ମା’ ବିରୋଧରେ ପୁଅର ୧.୫ କୋଟିର ମାମଲା

Get real time updates directly on you device, subscribe now.

ମୁମ୍ବାଇ: ଜଣେ ୪୦ ବର୍ଷୀୟ ପୁଅ ତାଙ୍କ ଜନ୍ମଦାତ୍ରୀ ମା’ଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧.୫ କୋଟି ଟଙ୍କାର କ୍ଷତିପୂରଣ ମାମଲା ରୁଜୁ କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କୁ ୨ ବର୍ଷ ବୟସ ହୋଇଥିଲା ବେଳେ ମା’ ତାଙ୍କୁ ଛାଡି ପଳାଇଥିଲେ ଏବଂ ବର୍ତ୍ତମାନ ତାଙ୍କୁ ନିଜର ପୁଅ ଭାବେ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ତେଣୁ କ୍ଷତିପୂରଣ ବାବଦରେ ସେ ମା ଓ ସାବତ ପିତାଙ୍କ ଠାରୁ ୧.୫ କୋଟି ଟଙ୍କା ଦାବି କରିଛନ୍ତି ।
ଆବେଦନକାରୀ ଜଣକ ହେଲେ ଶ୍ରୀକାନ୍ତ ସବନିସ୍ । ପୋସାରେ ସେ ଜଣେ ମେକ୍-ଅପ୍ ଆର୍ଟିଷ୍ଟ । ତାଙ୍କ ପିଟିସନରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପିତା ଦୀପକ ସବନିସ୍ ଓ ମା’ ଆରତୀ ମସ୍କର ପୁନେରେ ରହୁଥିଲେ । ୧୯୭୯ରେ ତାଙ୍କର ଜନ୍ମ ହୋଇଥିଲା । କିନ୍ତୁ ମା’ ଜଣେ ଉଚ୍ଚାଭିଳାଷୀ ଥିଲେ । ସେ ମୁମ୍ବାଇ ଯାଇ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ । ୧୯୮୧ରେ ସେ ତାଙ୍କୁ ଧରି ମୁମ୍ବାଇ ଚାଲିଯାଇଥିଲେ । ମୁମ୍ବାଇରେ ପହଞ୍ଚôବା ପରେ ମା’ ତାଙ୍କୁ ଟ୍ରେନରେ ଛାଡି ପଳାଇଯାଇଥିଲେ । ତାଙ୍କୁ ସେତେବେଳେ ମାତ୍ର ୨ ବର୍ଷ ବୟସ ହୋଇଥିଲା । ଟ୍ରେନରେ କାନ୍ଦୁଥିବା ବେଳେ ତାଙ୍କୁ ଜଣେ ରେଳବାଇ ଅଧିକାରୀ ଉଦ୍ଧାର କରିଥିଲେ । ପରେ ତାଙ୍କୁ ସେ ନେଇ ଅନାଥାଶ୍ରମରେ ରଖିଥିଲେ । ୧୯୮୬ରେ ତାଙ୍କ ଆଈ କୋର୍ଟରେ ମାମଲା ରୁଜୁ କରିବା ପରେ ତାଙ୍କୁ ନିଜ ହେପାଜତକୁ ନେଇଥିଲେ । ସେ ମାମୁଁଘରେ ରହି ବଡ ହୋଇଥିଲେ । ତେବେ ୨୦୧୭ରେ ସେ ନିଜର ମା’ଙ୍କ ବିଷୟରେ ଜାଣିବାକୁ ପାଇଥିଲେ ।
ଶ୍ରୀକାନ୍ତ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବହୁ କଷ୍ଟରେ ମା’ଙ୍କ ଟେଲିଫୋନ୍ ନମ୍ବର ସଂଗ୍ରହ କରିବା ପରେ ୨୦୧୮ ସେପ୍ଟେମ୍ବରରେ ତାଙ୍କ ସହିତ ଯୋଗାଯୋଗ କରିଥିଲେ । ସେତେବେଳକୁ ତାଙ୍କ ମା’ଉଦୟ ମସ୍କରଙ୍କୁ ଦ୍ୱିତୀୟ ବିବାହ କରିସାରିଥିଲେ ଏବଂ ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ହୋଇସାରିଥିଲା । ଟେଲିଫୋନ୍ରେ ସେ ମା’ଙ୍କ ସହିତ କଥା ହେଲେ । ମା’ ତାଙ୍କୁ ଟ୍ରେନରେ ଛାଡି ଆସିଥିବା କଥା ଜଣାଇଥିଲେ । ପ୍ରତିକୂଳ ପରିସ୍ଥିତି ଯୋଗୁ ସେ ଏଭଳି କରିଥିବା କହିଥିଲେ । ପରେ ସେ ତାଙ୍କ ମା ଓ ସାବତ ପିତାଙ୍କୁ ଭେଟିଥିଲେ । ସେମାନେ ତାଙ୍କୁ ନିଜର ପ୍ରକୃତ ପରିଚୟ ଗୋପନ ରଖିବାକୁ ପରାମର୍ଶ ଦେଇଥିଲେ । ସର୍ବସାଧାରଣରେ ତାଙ୍କୁ ନିଜର ପୁଅ ବୋଲି ସ୍ୱୀକାର କରିବାକୁ ମନା କରିଦେଇଥିଲେ । ଫଳରେ ସେ ଫେରିଆସିଥିଲେ । ମା ଓ ସାବତ ପିତା ତାଙ୍କୁ ଦୀର୍ଘବର୍ଷ ଧରି ଘୋର ମାନସିକ ଯନ୍ତ୍ରଣା ଦେଇଛନ୍ତି ଓ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛନ୍ତି । ଏପରିକି ଆଈ ତାଙ୍କୁ ନିଜ ହେପାଜତକୁ ନେବା ପୂର୍ବରୁ ସେ ଅନାଥାଶ୍ରମରେ ଅକଥନୀୟ ମାନସିକ ଯନ୍ତ୍ରଣା ଭୋଗିଛନ୍ତି । ତେଣୁ ମା’ ଓ ସାବତ ପିତାଙ୍କ ଠାରୁ ସେ ଏହି ପିଟିସନରେ କ୍ଷତିପୂରଣ ଦାବି କରିଛନ୍ତି । ଆସନ୍ତା ୧୩ ତାରିଖ (ସୋମବାର) ବିଚାରପତି ଏ.କେ ମେନନ ଏହାର ଶୁଣାଣି କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons