ମା’ ହୋଇବି ରଗ୍ବୀଠୁ ଦୂରେଇ ପାରି ନାହାନ୍ତି ଶୁଭଲକ୍ଷ୍ମୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ମା’ ହେବା ପରେ ଶରୀରକୁ ପୂର୍ବଭଳି ଫିଟ୍ ରଖିବା ଏତେ ସହଜ ହୋଇନଥାଏ । ସେଥିପାଇଁ ଅଧିକାଂଶ ମହିଳା କ୍ରୀଡ଼ାବିତଙ୍କ କ୍ୟାରିୟର ଏହାପରେ ଶେଷ ହୋଇଯାଏ । ମାତ୍ର ବିଶ୍ୱରେ ଏମିତି କିଛି କ୍ରୀଡ଼ାବିତ ଅଛନ୍ତି ଯେଉଁମାନେ ମା’ ହେବା ପରେ ବି କ୍ରୀଡ଼ାରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଛଅ ଥର ବିଶ୍ୱ ଚାମ୍ପିଅନ ମହିଳା ବକ୍ସର ମେରୀ କମ୍ ସେମାନଙ୍କ ମଧ୍ୟରୁ ଜଣେ । ମେରୀଙ୍କ ପଦାଙ୍କ ଅନୁସରଣ କରି ଦେଶରେ ବହୁ କ୍ରୀଡ଼ାବିତ ମା’ ହେବା ପରେ ବି ପୁଣି କ୍ରୀଡ଼ାକୁ ପ୍ରତ୍ୟାବର୍ତ୍ତନ କରିବାର ଉଦ୍ୟମ କରୁଛନ୍ତି । ଭାରତୀୟ ସିନିୟର ମହିଳା ରଗ୍ବୀ ଦଳର ଶୁଭଲକ୍ଷ୍ମୀ ବାରିକ ସେମାନଙ୍କ ମଧ୍ୟରୁ ଜଣେ ।
ଶୁଭଲକ୍ଷ୍ମୀ ଏବେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଫରୱାର୍ଡ । ଶନିବାର ଠାରୁ ଜାକର୍ତ୍ତାରେ ଆରମ୍ଭ ହେଉଥିବା ଏସିଆନ୍ ରଗ୍ବୀ ସେଭେନସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ମିଶାଇ ମୋଟ୍ ୪ ଜଣ ଓଡ଼ିଆ ସାମିଲ ହୋଇଛନ୍ତି । ସେମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ ଓ ମୀରାରାଣୀ ହେମ୍ବ୍ରମ । ଏମାନଙ୍କ ମଧ୍ୟରୁ ଶୁଭଲକ୍ଷ୍ମୀ କିନ୍ତୁ ନିଆରା । ସେ ଏକାଧାରାରେ ଜଣେ କ୍ରୀଡ଼ାବିତ୍, ମା’ ଓ ସରକାରୀ ଚାକିରିଆ । ତାଙ୍କୁ ଏବେ ୨୮ ବର୍ଷ । ତାଙ୍କର ୫ ବର୍ଷର ପୁଅଟିଏ (ତୋଶାନ କୁମାର) । ସେ ଫରେଷ୍ଟ ଗାର୍ଡ ଭାବେ ଭୁବନେଶ୍ୱରରେ କାର୍ଯ୍ୟ କରୁଛନ୍ତି । ଏସବୁ ସତ୍ତେ୍ୱ ବି ନିଜକୁ ଶତପ୍ରତିଶତ ଫିଟ୍ ରଖିଛନ୍ତି ଏବଂ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି ।
ରଗ୍ବୀ ଏକ ଏଭଳି ଏକ କ୍ରୀଡ଼ା ଯେଉଁଥିରେ ଅହରହ ଦୌଡ଼ିବାକୁ ପଡ଼ିଥାଏ । ଯେଉଁ ଦଳ ଯେତେ ଫିଟ୍ ଏବଂ ଦ୍ରୁତ ସେହି ଦଳକୁ ସଫଳତା ମିଳିଥାଏ । ବଲ୍ ଧରି ପଡ଼ିଆରେ ନନ୍ଷ୍ଟପ୍ ଦୌଡ଼ିବା ବୟାସାଧିକ କିମ୍ବା ମା’ ହେବାପରେ ମହିଳାଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ତେଣୁ ଯୁବ ଓ ଫିଟ୍ ଖେଳାଳିଙ୍କୁ ପ୍ରାୟତଃ ସୁଯୋଗ ମିଳିଥାଏ ।
କିନ୍ତୁ ରଗ୍ବୀ ପ୍ରତି ମୋହ ଥିବା ଶୁଭଲକ୍ଷ୍ମୀ ମା’ ହେବା ପରେ ବି ତୁଟାଇ ପାରିନଥିଲେ । ପୁଅ ଜନ୍ମ ଦେବାର ଦୁଇ ବର୍ଷ ପରେ ସେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ । କଠିନ ପରିଶ୍ରମ ଓ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଥିଲା । ଏବେ ସେ ଭାରତୀୟ ଦଳରେ ନିୟମିତ ତାରକା । ଆସନ୍ତା ୧୦ ଓ ୧୧ ତାରିଖରେ ଜାକର୍ତ୍ତାରେ ଖେଳାଯିବାକୁ ଥିବା ରଗ୍ବୀ ସେଭେନସ ଟ୍ରଫି ପାଇଁ ସେ ଜାତୀୟ ଦଳ ସହ ଜାକର୍ତ୍ତା ଯାତ୍ରା କରିଛନ୍ତି । ଆସନ୍ତାକାଲି ଚାଇନିଜ ତାଇପେ ସହ ଭାରତ ପ୍ରଥମ ମ୍ୟାଚ୍ ଖେଳିବ ।
ସେ କହିଛନ୍ତି, ୧୦ ବର୍ଷ ପୂର୍ବରୁ ରଗ୍ବୀ ଖେଳିବା ଆରମ୍ଭ କରିଥିଲି । ରାଜ୍ୟ ଦଳରେ ଉନ୍ନତ ପ୍ରଦର୍ଶନ କରିବା ପରେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥିଲା ।’ ସେ କେବଳ ଜଣେ ରଗ୍ବୀ ଖେଳାଳି ନୁହଁନ୍ତି, ଫୁଟବଲ୍ ମଧ୍ୟ ଖେଳୁଥିଲେ । ରାଜ୍ୟ ଦଳରେ ସାମିଲ ହୋଇ ଜାତୀୟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିଛନ୍ତି ।
ଭାରତୀୟ ରଗ୍ବୀ ଦଳରେ ଶୁଭଲକ୍ଷ୍ମୀ ଜଣେ ଫରୱାର୍ଡର ଭୂମିକା ନିର୍ବାହ କରିଥାନ୍ତି । ଏସିଆନ୍ ରଗ୍ବୀ ସେଭେନ (୨୦୧୬)ରେ ଭାରତୀୟ ଦଳରେ ସାମିଲ ହୋଇ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସିଆନ୍ ରଗ୍ବୀ ଚାମ୍ପିଅନସିପ୍ (ସିରିୟା)ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଦଳର ସଦସ୍ୟା ଥିଲେ ।
‘ପରିବାରର ସହଯୋଗ ଯୋଗୁ ମୁଁ ଏତେ ବାଟ ଆସି ପାରିଛି । ବିଶେଷ କରି ମୋର ବାପା, ବୋଉ ମୋତେ ଏ ଦିଗରେ ଅଧିକ ପ୍ରୋତ୍ସାହିତ କରିଆସିଛନ୍ତି । ସକାଳ ୪ଟାରୁ ଉଠିବା ପରେ ମୋତେ ଆଉ ବିଶ୍ରାମ ମିଳେ ନାହିଁ । ରାତି ୧୧ ପର୍ଯ୍ୟନ୍ତ ନିଜର ଅଭ୍ୟାସ, ଅଫିସ କାର୍ଯ୍ୟ ଓ ଘରୋଇ କାମରେ ବ୍ୟସ୍ତ ଥାଏ । ସକାଳେ ପୁଅକୁ ସ୍କୁଲରେ ଛାଡ଼ି ଆସିବା ପରେ ବ୍ୟାୟାମ କରେ । ଜିମ୍ ଯାଏ । କେବେତେଳେ ପଡ଼ିଆରେ ଦୌଡ଼େ । ଏହାପରେ ୧୦ଟାରେ ଯାଇ ଅଫିସରେ ପହଞ୍ଚିଯାଏ । ପୁଣି ଅଫିସରୁ ଫେରିବା ପରେ ସନ୍ଧ୍ୟାରେ ଅଭ୍ୟାସ କରେ ।
ପ୍ରତ୍ୟେକ ଦିନ ଏଭଳି ରୁଟିନରେ କାର୍ଯ୍ୟ କରିଥାଏ । ରଗ୍ବୀ ପ୍ରତି ଦୁର୍ବଳତା ହିଁ ମୋତେ ଭାରତୀୟ ଦଳରେ ଖେଳିବାର ସୁଯୋଗ ଦେଇଛି । କଠିନ ପରିଶ୍ରମ କରୁଛି । ସବୁବେଳେ ପ୍ରୟାସ କରିଥାଏ କେମିତି ସମସ୍ତଙ୍କ ଠାରୁ ଭଲ ପ୍ରଦର୍ଶନ କରିବି । ଆସନ୍ତାକାଲି ଆମେ ଚାଇନିଜ ତାଇପେ ସହ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛୁ । ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଶୁଭଲକ୍ଷ୍ମୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons