ମିଛ ଦୁନିଆରେ ଗୋଟିଏ ସତ…

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):‘ମିଛ ଦୁନିଆରେ ଗୋଟିଏ ସତ… ଜଗନ୍ନାଥ ସେ ମୋ ଜଗନ୍ନାଥ’ । ଏ ସଙ୍ଗୀତର ସୁରକାର ଆଜି ସତ ଦୁନିଆକୁ ବାହୁଡ଼ି ଯାଇଛନ୍ତି । ଯେଉଁଠୁ ସେ ଆଉ ଏ ମିଛ ଦୁନିଆକୁ ଫେରି ଆସିବେନି । ଆରପାରିରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ଅମରେନ୍ଦ୍ର ମହାନ୍ତି ତଥା ସମସ୍ତଙ୍କ ପ୍ରିୟ ବୁଲୁ ଭାଇ । ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ । ଅବସ୍ଥା ଗୁରୁତର ହେବାରୁ ତିନିଦିନ ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶେଷରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ଝିଅ ଅନ୍ୱେଷା ମହାନ୍ତି କହିଛନ୍ତି, ବାପା ଗତ ଏପ୍ରିଲ୍ ୨୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜ୍ୱର ଆସିବା ପରେ ଟେଷ୍ଟ କରାଇଥିଲେ । ଘରେ ସଙ୍ଗରୋଧରେ ରହି ଔଷଧ ଖାଉଥିଲେ । କିନ୍ତୁ ଜ୍ୱର ନ ଛାଡ଼ିବାରୁ ମେ’ ୩ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତିନିଦିନ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରୁ ବାହାରିବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ଗତକାଲି ଠାରୁ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ସୋମବାର ଭୋର ପ୍ରାୟ ୫ଟା ବେଳେ ତାଙ୍କର ପରଲୋକ ହୋଇଛି ।
ଏହି ଖବର ପ୍ରସାରିତ ହେବା ପରେ ଚାରିଆଡେ଼ ଶୋକର ଛାୟା ଖେଳିଯାଇଛି । ସଙ୍ଗୀତ ଜଗତ ଦୁଃଖରେ ଭାଙ୍ଗି ପଡ଼ିଛି । ସମସ୍ତ ଶିଳ୍ପୀ ମର୍ମାହତ ଓ ମ୍ରିୟମାଣ । ତାଙ୍କ ବିୟୋଗରେ ସଙ୍ଗୀତ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । କଳାକାରଙ୍କ ଅପୂରଣୀୟ କ୍ଷତି ହୋଇଛି । ଏହି ଦୁଃଖଦ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କରୋନା କଟକଣା ଓ ନିୟମ ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
୧୯୫୮ ମସିହା ଫେବ୍ରୁଆରୀ ୬ ତାରିଖରେ କେନ୍ଦ୍ରାପଡ଼ାରେ ଜନ୍ମିତ ଅମରେନ୍ଦ୍ର ପରେ କଟକରେ ଅବସ୍ଥାନ କରିଥିଲେ । ଏବେ କିଛି ବର୍ଷ ହେବ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଜର ଗୋଟିଏ ରେକର୍ଡିଂ ଷ୍ଟୁଡିଓ ପ୍ରତିÂା କରି ସେହିଠାରେ ବିଭିନ୍ନ ଗୀତ ପ୍ରସ୍ତୁତ କରି ଆସୁଥିଲେ । ଅନେକ କଳାକାରଙ୍କ ଅନ୍ତୁଡ଼ିଶାଳ ଥିଲା ତାଙ୍କର ଏହି ଷ୍ଟୁଡିଓ । ଆଜି ସମସ୍ତେ ଅମରେନ୍ଦ୍ରଙ୍କୁ ହରାଇ ଯେମିତି ଚୁପ୍ଚାପ୍ ଓ ନିରବ ।
ଅମରେନ୍ଦ୍ର ଆକାଶବାଣୀ କଟକରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ୧୯୯୩ ମସିହାର ଚଳଚ୍ଚିତ୍ର ‘ଶ୍ରଦ୍ଧାଞ୍ଜଳି’ ଥିଲା ତାଙ୍କ ସଙ୍ଗୀତ ନିଦେ୍ର୍ଧଶନାରେ ପ୍ରଥମ ଚଳଚ୍ଚିତ୍ର । ଶେଷ ଚଳଚ୍ଚିତ୍ର ହେଉଛି ‘ଗାଁର ନାଁ ଗାଲୁଆପୁର’, ଯାହା ମୁକ୍ତିଲାଭ ଅପେକ୍ଷାରେ ରହିଛି ।
ସେ ଅନେକ ଗୀତ ଅତି ସୁନ୍ଦର ଭାବେ ଗାଇଛନ୍ତି । ସଙ୍ଗୀତ ଦୁନିଆକୁ ବହୁ ଭଲ ଭଲ ସଙ୍ଗୀତ ଭେଟି ଦେଇଛନ୍ତି । ଭଜନ, ଜଣାଣ, ଯାତ୍ରା ଠାରୁ ଆଧୁନିକ ଓ ଫିଲ୍ମର ଅନେକ ହିଟ୍ ଗୀତ ପଛରେ ତାଙ୍କ ହାତର ଓ ସ୍ୱରର ଯାଦୁ ରହିଛି । ଓଡ଼ିଆ ଯାତ୍ରାକୁ ଲୋକପ୍ରିୟ କରିବାରେ ସବୁଠୁ ବେଶି ଅବଦାନ ଥିଲା ଅମରେନ୍ଦ୍ରଙ୍କର । ଓଡ଼ିଆ ସିନେମା ସଙ୍ଗୀତରେ ଏକ ବିରାଟ ପରିବର୍ତ୍ତନ ପଛରେ ବି ସେ ଥିଲେ । ‘ସୁନାପଞ୍ଜୁରୀ’ ଚଳଚ୍ଚିତ୍ରରେ ‘ପୁଚୁକି ଗାଲି ଫେସନ ବାଲି’ ଗୀତ ପରେ ଅମରେନ୍ଦ୍ର ଘରେ ଘରେ ପରିଚିତ ହୋଇଯାଇଥିଲେ । ସେହି ଚଳଚ୍ଚିତ୍ରର ସବୁ ଗୀତ ସୁପର୍ହିଟ୍ ହୋଇଥିଲା । ପରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଗୋଟିଏ ପରେ ଗୋଟିଏ ସଙ୍ଗୀତ ଦେଇ ଚାଲିଥିଲେ । ସଫଳତାରେ ଶିଖର ଛୁଇଁବା ସହ ବହୁ ସଙ୍ଗୀତ ଶିଳ୍ପୀଙ୍କୁ ସୃଷ୍ଟି କରିଦେଇଗଲେ । ସଙ୍ଗୀତ ଜଗତରେ ସେ ଥିଲେ ଜଣେ ନିରବ ସାଧକ । ହୁଏତ ଆଗାମୀ ଦିନରେ ତାଙ୍କ ପରି ଜଣେ ଅଭିଜ୍ଞତା ସମ୍ପନ୍ନ ବିଚକ୍ଷଣ ତଥା ପ୍ରଚଣ୍ଡ ପ୍ରତିଭାଧାରୀ ସଙ୍ଗୀତଜ୍ଞ ଆବିଷ୍କାର ହେବା ବିରଳ । ସେ ଏମିତି ଜଣେ ସଙ୍ଗୀତକାର ଥିଲେ, ଯେଉଁ ଗୀତର ସ୍କେଲ୍ ଧରୁଥିଲେ ତାହା ଶ୍ରୋତାଙ୍କ ପାଇଁ ଶ୍ରୁତିମଧୁର ହେଉନଥିଲା ବରଂ ଚିରକାଳ ଲାଗି ହିଟ୍ ହେଇଯାଉଥିଲା । ସେଥିପାଇଁ ତାଙ୍କର ସବୁ ଗୀତ ଶ୍ରୋତାଙ୍କ ସ୍ମୃତିରେ ସାଇତା ହୋଇରହିଛି । ଜୀବନକାଳରେ ବହୁ ଖ୍ୟାତନାମା ସଙ୍ଗୀତ ଶିଳ୍ପୀଙ୍କ ସହ କାମ କରିଥିଲେ । ଯେଉଁମାନଙ୍କ ଭିତରେ କିମ୍ବଦନ୍ତୀ ଭଜନ ସମ୍ରାଟ ଭିକାରୀ ବଳଙ୍କ ଠାରୁ ଆରମ୍ଭ କରି ଅନେକ ରହିଥିଲେ । ଭିକାରୀ ବଳଙ୍କ ପ୍ରିୟ ସ୍ୱରକାର ଥିଲେ ଅମରେନ୍ଦ୍ର ।
‘ଚାଲ ବେଗି ବେଗି ଯିବା ସଙ୍ଗାତ’ ହେଉ କି ‘ଥକାମନ ଚାଲ ଯିବା’ କି ‘ମୁଁ ତ ବଡ଼ ଦେଉଳର ପାରରେ’, ‘ଜୀବନରେ ଯେବେ ମୋର ଆସିବ ସନ୍ଧ୍ୟା’ ଭଳି ସୁମଧୁର ଭଜନ ଥିଲା ତାଙ୍କରି କୃତି । ସେହିଭଳି ‘ପୁଚୁକି ଗାଲି ଫେସନ ବାଲି’, ‘ମୋର ମନ ଉଡ଼ିଯାଏରେ’, ‘ଶୋଇଯା ମାମା’, ‘ଚାନ୍ଦର ଚାନ୍ଦିନୀ ପରି’ ଭଳି ଲୋକପ୍ରିୟ ସିନେ ସଙ୍ଗୀତ ତାଙ୍କରି ଅବଦାନ ଥିଲା । ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ହେଲା ଭଗାରି’, ‘ସୁନା ପଞ୍ଜୁରୀ’, ‘ବସୁଧା’, ‘ରାମ ଲକ୍ଷ୍ମଣ’, ‘ସିଂହବାହିନୀ’, ‘ପବିତ୍ର ବନ୍ଧନ’, ‘ସରପଞ୍ଚ ବାବୁ’, ‘ଧର୍ମ ଦେବତା’, ‘ମାଗୁଣିର ଶଗଡ଼’, ‘ପରୀ ମହଲ’, ‘କଣ୍ଢେଇ ଆଖିରେ ଲୁହ’, ‘ଜୟ ଶ୍ରୀରାମ’, ‘ହେ ସଖା’, ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ ରେ ସେ ସଙ୍ଗୀତ ନିଦେ୍ର୍ଧଶକ ଭାବେ କାମ କରିଥିଲେ । ସଙ୍ଗୀତ କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଅନେକ ସମ୍ମାନ, ସ୍ୱୀକୃତି ଓ ଲୋକପ୍ରିୟତା ଅଜର୍ନ କରିଥିଲେ । ଆଜି ତାଙ୍କ ବିୟୋଗରେ ତାଙ୍କୁ ଝୁରୁଛି ସାରା ଓଡ଼ିଶା ଓ ଝୁରୁଛି ସଙ୍ଗୀତ ଦୁନିଆ । ଏବେ ବି ବାହୁନି କାନ୍ଦୁଛି ତାଙ୍କ ହାର୍ମୋନିୟମ୍ ।
ଗତ ତିନି ବର୍ଷ ତଳେ ୨୨ ଜୁନ୍, ୨୦୧୮ ମସିହାରେ ଅମରେନ୍ଦ୍ରଙ୍କ ପତ୍ନୀ ସବିତା କାନୁନ୍ଗୋଙ୍କ ୬୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ପରଲୋକର କିଛିଦିନ ପୂର୍ବରୁ କଟକର ଏକ ସ୍କୁଲରୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଅବସର ନେଇଥିଲେ । ତାଙ୍କୁ ଅମରେନ୍ଦ୍ର ଏତେ ଭଲ ପାଉଥିଲେ ଯେ ବହୁତ ଭାଙ୍ଗିପଡ଼ିଥିଲେ, କିନ୍ତୁ କେବେ କାହାକୁ କହୁନଥିଲେ । ପତ୍ନୀଙ୍କ ସ୍ମୃତିରେ ପ୍ରସ୍ତୁତ କରିଥିଲେ ସଙ୍ଗୀତ ‘ତୁ ଗଲା ପରେ’ । ଯାହାର କଣ୍ଠ, ଗୀତ ଓ ସଙ୍ଗୀତରେ ସେ ନିଜେ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons