ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ ଆଶୀର୍ବାଦ ଦେଲେ ସେବାୟତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆପଣମାନେ ସହଯୋଗ କରିଛନ୍ତି… । ବହୁତ ବହୁତ ଧନ୍ୟବାଦ । ବହୁତ ସୁନ୍ଦର ମନ୍ଦିର.. ।
ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଶ୍ରୀଲିଙ୍ଗରାଜ । ଆମେ ଦେଖୁଥାଉ ଆପଣ ସଦାସର୍ବଦା ଏମିତି ସୁସ୍ଥ ରହି ରାଜ୍ୟଭାର ସମ୍ଭାଳନ୍ତୁ । ଓଡ଼ିଶା ସାରା ଲୋକେ ଉପକୃତ । ଆପଣ ମୁଖ୍ୟମନ୍ତ୍ରୀ ହେଲା ପରେ ଭୁବନେଶ୍ୱରର ବହୁତ ଉନ୍ନତି ହୋଇଛି । ମୋତେ ୭୮ ବର୍ଷ ହେଲାଣି । କୋଉ ମନ୍ତ୍ରୀମଣ୍ଡଳ ବିଶେଷ କରି ପୁରୁଣା ଭୁବନେଶ୍ୱରରେ ଏଭଳି ଉନ୍ନତି କରିବା ଆମେ ଦେଖି ନାହୁଁ… । ଆମର ଗୋଟିଏ ପ୍ରାର୍ଥନା । ଶ୍ରୀଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ । ଆପଣଙ୍କୁ ଶ୍ରୀଲିଙ୍ଗରାଜ ଦୀର୍ଘାୟୁ କରିବେ… ।
କରିବି… କରିବି.. ଜରୁର୍ କରିବି ।

ଆଜି ଏକାମ୍ର ଯୋଜନା ପରିଦର୍ଶନ ଅବସରରେ ଉପରୋକ୍ତ ସଂଳାପ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଲିଙ୍ଗରାଜଙ୍କ ବରିÂ ସେବାୟତ ନୃସିଂହ ମହାପାତ୍ରଙ୍କ ମଧ୍ୟରେ ହୋଇଥିବା କଥୋପକଥନ । ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ସେଠାରେ ଉପସ୍ଥିତ ସେବାୟତଙ୍କୁ ପ୍ରକଳ୍ପ କାମରେ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେବାୟତଗଣ ଏକାମ୍ର ଯୋଜନା ବଢ଼ିଆ ଯୋଜନା ବୋଲି କହି ବରିÂ ସେବାୟତ ଶ୍ରୀ ମହାପାତ୍ରଙ୍କୁ ସ୍ୱତନ୍ତ୍ର ଆଇନ ଯୋଜନା ସମ୍ପର୍କରେ ଜଣାଇବାକୁ ସୁଯୋଗ ଦେଇଥିଲେ ।
ଏକାମ୍ର ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଡି୍ରମ୍ ପ୍ରୋଜେକ୍ଟ । ୬୬ ଏକର ବିଶିଷ୍ଟ ଅଞ୍ଚଳରେ ୯ଟି ପ୍ରକଳ୍ପର ସଫଳ ରୂପରେଖ ପାଇଁ କାମ ଚାଲିଛି । ଏହାର ତଦାରଖ ଖୋଦ୍ ମୁଖ୍ୟମନ୍ତ୍ରୀ କରୁଛନ୍ତି । ବାରମ୍ବାର ପରିଦର୍ଶନରେ ଆସି ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ଣ ପ୍ରାୟ ୪ଟା ୪୫ରେ ଦେବୀ ପାଦହରା ନିକଟରେ ପହଞ୍ଚିଥିଲେ । ସେଠାରୁ ଚାଲି ଚାଲି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ । ତାଙ୍କ ସହିତ ୫ଟି ସଚିବ ଭି କେ ପାଣ୍ଡିୟାନ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ତ୍ତ ସଚିବ କିଷନ କୁମାର, ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ସିଂହଦ୍ୱାର ନିକଟରେ ପହଞ୍ଚିବା କ୍ଷଣି ଉପସ୍ଥିତ ସେବାୟତମାନଙ୍କୁ ହସ ହସ ମୁହଁରେ ଭେଟିଥିଲେ । ଆଲୋଚନା ଅବସରରେ ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାର ଉତ୍ତର ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଜରୁର କରିବି ।
ସିଂହଦ୍ୱାରରେ ସେବାୟତଙ୍କ ଠାରୁ ବିଦାୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣି ଚାଲି ଚାଲି ଦେବୀ ପାଦହରା ଅଞ୍ଚଳରେ ବୁଲିଥିଲେ । ରଥଗଡ଼ା ପଟେ ଶିବତୀର୍ଥ ଓ ଗୋପାଳତୀର୍ଥ ମଝିରେ ସମତୁଲ ହୋଇଥିବା ଅସ୍ଥାୟୀ ରାସ୍ତା ପଟେ ବିନ୍ଦୁସାଗର ମଠଘାଟ ଉପକୂଳ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ବିନ୍ଦୁସାଗର ଓ ଅନ୍ୟାନ୍ୟ କୀର୍ତ୍ତିରାଜି ଅବଲୋକନ କରିଥିଲେ । ବିନ୍ଦୁସାଗର କୂଳରେ ଏକାମ୍ର ଯୋଜନାର ନକ୍ସା ଦେଖି କାମର ସମୀକ୍ଷା କରିଥିଲେ । ପାଖରେ ଥିବା ଅଧିକାରୀମାନେ କାମର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦେଇଥିଲେ ।

ବିନ୍ଦୁସାଗର କୂଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଖୁବ୍ ଶୀଘ୍ର ପ୍ରଣୟନ କରାଯିବ । ଏକାମ୍ର ଯୋଜନା କାମର ଅଗ୍ରଗତି ବେଶ ସନ୍ତୋଷଜନକ । ଏହି ଯୋଜନାରେ ଜମି ଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଁ କୃତଜ୍ଞତା ଜଣାଉଛି । ପ୍ରକଳ୍ପର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଏହି ଯୋଜନା ସମ୍ପୂର୍ଣ୍ଣ ହେଲେ ଅଧିକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ପ୍ରାୟ ୪୫ ମିନିଟ କାଳ ପ୍ରକଳ୍ପ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ହାତ ହଲାଇ ଶୁଭେଚ୍ଛା ଜ୍ଞାପନ କରି ଫେରି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରା ଯାଇଥିଲା । ଖାଲି ହୋଇଥିବା ସ୍ଥାନ ଗୁଡ଼ିକରେ ପାଣି ପକାଇ ସମତୁଲ କରା ଯାଇଥିଲା । ସୂଚନା ଥାଉକି ୬୬ ଏକର ବିଶିଷ୍ଟ ଅଞ୍ଚଳରେ ଏକାମ୍ର ଯୋଜନା ମୁତାବକ ୯ଟି ପ୍ରକଳ୍ପ ହେବ । ଏଥିପାଇଁ ମୁଖ୍ୟତଃ ଜମି ଅଧିଗ୍ରହଣ କାମ ଅଗ୍ରାଧିକାର ଭିତ୍ତିରେ ଚାଲିଛି । କଂକ୍ରିଟ ଜଙ୍ଗଲ ଭାଙ୍ଗି ସମତୁଲ ହେବା ପରେ ଅନେକ ଐତିହ୍ୟ ପଦାକୁ ଆସିଲାଣି । ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ଶୋଭା ଧୀରେ ଧୀରେ ଫୁଟିବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons