ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରନ୍ତୁ । ଏହାଦ୍ୱାରା ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏହାର ସୁଫଳ ପାଇପାରିବେ । ମାଗଣା ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଏମଏସଏମଇ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।
ସେ ଲେଖିଥିବର ଚିଠିରେ ଦର୍ଶାଇଛନ୍ତି ଯେ, ସଂପ୍ରତି କରୋନା ଲକଡାଉନ୍ ସମୟରେ ବାହାର ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ସହ ଆଲୋଚନା ବେଳେ ବାହାରେ ଥିବା ବହୁ ଓଡ଼ିଆ ଶ୍ରମିକ ଜଟିଳ ରୋଗରେ ଆକ୍ରାନ୍ତ ଥିବା ସେ ଜାଣିବାକୁ ପାଇଛନ୍ତି । ମାତ୍ର ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିନଥିବାରୁ ଏ ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ଜଟିଳ ରୋଗର ଚିକିତ୍ସା ସେବା ପାଇପାରୁନାହାନ୍ତି । ଆର୍ଥିକ ଅନାଟନରେ ଥିବା ଶ୍ରମିକମାନେ ଗୁଣାତ୍ମକ ଚିକିତ୍ସାରୁ ବଂଚିତ ରହୁଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସେବାର ବ୍ୟବସ୍ଥା ରହିଛି । ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲେ ବାହାରେ ଥାଇ ମଧ୍ୟ ଏ ଶ୍ରମିକମାନେ ଚିକିତ୍ସା ପାଇପାରନ୍ତେ । ସଂପ୍ରତି କରୋନା ମହାମାରୀ ମଧ୍ୟ ଗରିବ ପରିବାରଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏଭଳି ସମୟରେ ଓଡ଼ିଶା ସରକାର ତୁରନ୍ତ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ଆଗେଇ ଆସନ୍ତୁ । ୨୫ଟି ରାଜ୍ୟ ଓ ୭ କେନ୍ଦ୍ର ଶାସିତ ଅଞ୍ଚଳ ଏହାର ଲାଭ ଉଠାଉଥିଲା ବେଳେ ଲୋକଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ଷଡ଼ଙ୍ଗୀ ଚିଠିରେ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.