ଭୁବନେଶ୍ୱର,(ବି.ବି.ବ୍ୟୁରୋ): ‘ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ, ତାକୁ କାର୍ଯ୍ୟକାରୀ କରିବୁ ।’ ଏ କଥାକୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଦୋହରାଉଥିଲା ବେଳେ ସରକାର ଏ ନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ମଧ୍ୟ ନେଉଛନ୍ତି । ରାଜ୍ୟର ଶାସନ ଓ ପ୍ରଶାସନିକ ବ୍ୟବସ୍ଥାରେ ସରକାର ସଂସ୍କାର ଆଣିବାକୁ ଯେ ଚାହୁଁଛନ୍ତି ତାହା ଅନୁମାନ କରାଯାଉଛି । ଏଣିକି ପ୍ରଶାସନିକ ବିଭାଗ ଅଧୀନରେ ସମସ୍ତ ସରକାରୀ ନିର୍ଦ୍ଦେଶାଳୟ କାମ କରିବ । ସିଙ୍ଗଲ ୱିଣ୍ଡୋରେ ଫାଇଲ କାମ ହେବ । ଏହାଦ୍ୱାରା ସରକାରୀ ନିଷ୍ପତ୍ତି ତ୍ୱରିତ ହେବା ସହ ଲୋକମାନେ ଶୀଘ୍ର ସେବା ପାଇପାରିବେ । ଏ ନୂଆ ବ୍ୟବସ୍ଥା ପ୍ରଶାସନକି ଢାଞ୍ଚାରେ ବଡ଼ ସଂସ୍କାର ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ପୂରାକୁ ପୂରା ‘ଆକ୍ସନ ମୁଡ’ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।\n କ୍ରମାଗତ ୫ମ ପାଳିରେ ରାଜ୍ୟର ଶାସନ ଡୋରି ଧରିବା ପରେ ନବୀନ ପ୍ରଥମ ଦିନରୁ ମନ୍ତ୍ରୀ ପରିଷଦର ବୈଠକରେ ସ୍ପଷ୍ଟ କରିଥିଲେ, ଓଡ଼ିଶାବାସୀ ଆମକୁ ଆଶୀର୍ବାଦ କରିଛନ୍ତି । ପୁଣି ସେବା କରିବାକୁ ସୁଯୋଗ ଦେଇଛନ୍ତି । ଆସନ୍ତୁ, ଆମେ ସମସ୍ତେ ସମୟର ପରିବର୍ତ୍ତନରେ ସାମିଲ ହେବା । ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବା । ଏ ଆହ୍ୱାନ ଦେବା ପରେ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ନୂଆ ନିଷ୍ପତ୍ତି ନେଉଛନ୍ତି । \n ପ୍ରଶାସନିକ ବିଭାଗ ସହ ନିର୍ଦ୍ଦେଶାଳୟଗୁଡ଼ିକର ମିଶ୍ରଣ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରଛି । ନିଷ୍ପତ୍ତି ହୋଇଛି ଏଣିକି ଗୋଟିଏ ଛାତ ତଳେ ଉଭୟ ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ କାମ କରିବ । ଓସ୍ୱାସରେ ସିଙ୍ଗଲ ଫାଇଲ ବ୍ୟବସ୍ଥା ରହିବ । ନିର୍ଦ୍ଦେଶାଳୟରୁ ଆସୁଥିବା ସମସ୍ତ ପ୍ରସ୍ତାବ ଏଣିକି ବିଭାଗ ଦ୍ୱାରା ଅନୁଧ୍ୟାନ କରିବା ଆବଶ୍ୟକତା ରହିବନି । ଦୁଇ ଅଫିସର କର୍ମଚାରୀମାନଙ୍କୁ କାମର ଚାପ ଅନୁସାରେ ଦାୟିତ୍ୱ ବଣ୍ଟନ କରାଯିବ । ମାତ୍ର ସମୟ ଅପଚୟକୁ ଆଦୌ ବରଦାସ୍ତ କରାଯିବନି । ବଳକା କର୍ମଚାରୀଙ୍କୁ ଅନ୍ୟତ୍ର ବିନିଯୋଗ କରାଯିବ । କର୍ମଚାରୀଙ୍କର କ୍ୟାଡରରେ ପରିବର୍ତ୍ତନ ହେବନାହିଁ । କ୍ୟାଡର ଅନୁସାରେ କର୍ମଚାରୀଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ । ତେବେ ଅର୍ଥ ବିଭାଗର ଗାଇଡଲାଇନ ଅନୁସାରେ ତଳିଆ ପଦବିକୁ ଉଚ୍ଛେଦ କରାଯିବ । ଉଲ୍ଲେଖଯୋଗ୍ୟ, ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଦାୟିତ୍ୱ ନେବା ବେଳେ ସ୍ପଷ୍ଟ କରିଥିଲେ, ଏଣିକି ଫାଇଲ ‘ରକେଟ୍ ବେଗ’ରେ ଯିବ । ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେବାର ଦୁଇଦିନ ମଧ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି ।\n ନବୀନ ୫ମ ପାଳି ଆରମ୍ଭ କରିବାର ଦୁଇ ମାସ ପରେ ପୁଲିସ ମୁଖିଆ ଓ ପ୍ରଶାସନିକ ମୁଖିଆ ପଦବିରେ ନୂଆ ନିଯୁକ୍ତି ଦେଇଛନ୍ତି । ଆଇଏଏସ ଓ ଆଇପିଏସସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ନୂଆ ଟିମ୍ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍ପରେନ୍ସି, ଟେକ୍ନୋଲୋଜି, ଟ୍ରାନସଫରମେସନ, ଟାଇମ୍) ଅନୁସାରେ କାମ କରିବାକୁ ନବୀନ ଗୁରୁତ୍ୱ ଦେଇଆସୁଛନ୍ତି । ଅଫିସରମାନଙ୍କୁ ନବୀନ କହିଛନ୍ତି, ଆପଣମାନଙ୍କର କାମର ମୂଲ୍ୟାଙ୍କନ ରିପୋର୍ଟ ମୁଁ ଲେଖୁଛି । ମୁଁ କ’ଣ କାମ କରୁଛି, ଜନତା ତା’ର ରିପୋର୍ଟ ଲେଖୁଛନ୍ତି । ମୁଁ ଚାହେଁ, ଉଭୟକୁ ଯୋଡ଼ିବାକୁ । ଆମ ସମସ୍ତଙ୍କୁ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ । ଏଥିପାଇଁ ସରକାରଙ୍କର ସବୁ ବିଭାଗ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏକ ସମୃଦ୍ଧ ରାଜ୍ୟ ଗଢ଼ିବାକୁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ଆହ୍ୱାନ ଦେଇଛନ୍ତି । ଜିଲ୍ଲାର ଏସପି ଓ ଭାରତୀୟ ବନ ସେବା (ଆଇଏଫଏସ୍)ର ଅଫିସରମାନେ ଏଣିକି ବାର୍ଷିକ କାର୍ଯ୍ୟ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ (ଆନୁଆଲ ପର୍ଫମାନସ ଆପ୍ରିଜାଲ ରିପୋର୍ଟ) ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଏହି ରିପୋର୍ଟର ମୂଲ୍ୟାୟନ ବେଳେ ୫ ‘ଟି’ର ଉତ୍ତମ ପ୍ରଦର୍ଶନ ପାଇଁ ୨୦ଧ ୱେଟେଜ୍ ମଧ୍ୟ ରଖାଯାଇଛି । ଏହାପଛରେ ମୁଖ୍ୟମନ୍ତ୍ରୀଙ୍କର ମୂଳ ଉଦ୍ଦେଶ୍ୟ ପ୍ରଶାସନିକ ସଂସ୍କାର ବୋଲି ପାୱାର କରିଡରରେ ଚର୍ଚ୍ଚା ।\n ବିଧାୟକମାନଙ୍କୁ ନବୀନ ସ୍ପଷ୍ଟ ଭାବେ କହିଛନ୍ତି, କ୍ଷମତା ନିଶାରେ ଅହଂକାର ଛାଡ଼ । ନମ୍ର ଓ ସରଳ ହେବା ସହ ଦଳୀୟ ବାଛ ବିଚାରରୁ ଉଧ୍ୱର୍କୁ ଯାଇ ଲୋକଙ୍କ ପାଇଁ କାମ କର । ଦଳର ଇସ୍ତାହାରକୁ ନୀତିଗତ ଭାବେ ନୂଆ ସରକାର ସରକାରଙ୍କ କାର୍ଯ୍ୟକ୍ରମ ବୋଲି ଗ୍ରହଣ କରଛି । ଏହିକ୍ରମରେ ମନ୍ତ୍ରୀମାନେ କେତେ ନିଷ୍ଠା ଓ ଦକ୍ଷତାର ସହ ନିଜ କାମ ତୁଲାଉଛନ୍ତି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ମାଗୁଛନ୍ତି । ମନ୍ତ୍ରୀମାନେ ପ୍ରତି ମାସର ୭ ରେ ମାସକର କାର୍ଯ୍ୟ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରୁଛନ୍ତି । ଏହାକୁ ନିଜେ ନବୀନ ଅନୁଧ୍ୟାନ କରିବାକୁ କହି ମନ୍ତ୍ରୀମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲାଇଛନ୍ତି । ଏହାର ଉଦ୍ଦେଶ୍ୟ ବିକାଶର ଗତିଶୀଳତା କେତେ ତ୍ୱରିତ ହେବ । ମନ୍ତ୍ରୀମାନେ ଅଧିକ ଗସ୍ତ କରିବା ସହ ସରକାରୀ ଅଫିସ ଅଚାନକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଦଳୀୟ ସାଂସଦମାନେ ମଧ୍ୟ ପ୍ରତି ଦୁଇ ମାସରେ ରିପୋର୍ଟ କାର୍ଡ ଦେବାକୁ ନବୀନ ପରାମର୍ଶ ଦେଇଛନ୍ତି । \n ଦୁର୍ନୀତି ବିରୋଧରେ ନବୀନ ଖଣ୍ଡା ବୁଲାଇ ଅଫିସରଙ୍କୁ ବରଖାସ୍ତ କଲେଣି । ଏପଟେ ଲୋକାୟୁକ୍ତ ନିଯୁକ୍ତି ସହ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆଗେଇଛି । ସରକାର ଦାୟିତ୍ୱକୁ ଆସିବା ପରେ କିଛି ମନ୍ତ୍ରୀ ବିଭିନ୍ନ ସରକାରୀ ଅଫିସକୁ ଅଚାନକ ଗସ୍ତ କରୁଛନ୍ତି । କୃଷି ଓ ଉଚ୍ଚଶିକ୍ଷା ସହ ଗଣଶିକ୍ଷା ମନ୍ତ୍ରୀ ନିଜ ବିଭାଗରେ ସଂସ୍କାର ଆଣିବାକୁ ଘନ ଘନ ବୈଠକ ଡାକୁଛନ୍ତି । ସଚିବାଳୟର ନାମ ବଦଳାଇ ‘ଲୋକସେବା ଭବନ’ ରଖିବା, ‘ଗାର୍ଡ ଅଫ ଅନର’ ବ୍ୟବସ୍ଥା ଉଚ୍ଛେଦ ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ କରିବା ଭଳି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଏବେ ଚର୍ଚ୍ଚାରେ ଅଛନ୍ତି । ଅନ୍ୟ ପାଳିଗୁଡ଼ିକ ଅପେକ୍ଷା ନବୀନ ସରକାର ୫ମ ପାଳିରେ ପ୍ରଥମରୁ ଅଧିକ ଚଳଚଞ୍ଚଳ ଲାଗୁଛି ବୋଲି ଏବେ ସବୁଠି ଚର୍ଚ୍ଚା ।
Comments are closed, but trackbacks and pingbacks are open.