‘ମୁଖ୍ୟମନ୍ତ୍ରୀ କହିଛନ୍ତି- ମା’, ମାଉସୀ, ଭଉଣୀ ଓ ଭାଉଜଙ୍କ ଉପରେ ବୋଝ ହୁଅନ୍ତୁ ନାହିଁ’

Get real time updates directly on you device, subscribe now.

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ଭାବେ ସାଧାରଣ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିବାରେ ଲାଗିଛନ୍ତି। କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଘରେ ରହିବା ଓ ସର୍ବଦା ହାତ ଧୋଇବା ଉପରେ ଗୁରୁତ୍ୱ ଦେଇ ଶପଥ ନେବାକୁ ଆହ୍ୱାନ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ରାଜ୍ୟର ମହିଳାମାନଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୁରୁଷମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ଅନୁରୋଧକୁ ପଢ଼ି ଶୁଣାଇଛନ୍ତି।ଶ୍ରୀ ବାଗଚୀଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଲକ୍ ଡାଉନ ବେଳେ ଘରେ ରହିବାକୁ ପଡ଼ୁଥିବାରୁ ମା’, ମାଉସୀ, ଭଉଣୀ ଓ ଭାଉଜଙ୍କ ଉପରେ ‘କୋଭିଡ୍ -୧୯’ର ବୋଝ ଲଦି ଦିଅନ୍ତୁ ନାହିଁ। ଆପଣମାନେ ଘରେ ଅଛନ୍ତି। ତା’ମାନେ ନୁହେଁ ଯେ ଆପଣମାନେ ଘରେ ଚକ୍କା ପକ୍କେଇ ବସିବେ। ୩ ଥର ରୋଷେଇ ହେବ। ଚାରିଥର ରୋଷେଇ ହେବ। ପକୁଡ଼ି ଛଣା ହେବ । ବିଭିନ୍ନ ରକମର ଭଲମନ୍ଦ ହେବ। ଆପଣ ବସିକି ଖାଇବେ। ଏ ବୋଝଟା ପଡ଼ୁଛି ମା’, ମାଉସୀ, ଭଉଣୀ ଓ ଭାଉଜଙ୍କ ଉପରେ। ଖରାଦିନ ଆସିଗଲାଣି। ତାଙ୍କୁ ଯଦି ଆପଣ ରୋଷେଇ ଘରେ ବନ୍ଦୀ କରିଦେବେ ତା’ହେଲେ ସେମାନେ ଭାଙ୍ଗି ପଡ଼ିବେ। ଆଉ ମା’, ମାଉସୀ, ଭଉଣୀ ଓ ଭାଉଜମାନେ ଭାଙ୍ଗି ପଡ଼ିଲେ ଦେଶ ଭାଙ୍ଗିପଡ଼ିବ। ତେଣୁ ବର୍ତ୍ତମାନ ସମୟରେ ନିଜକୁ ସଂଯମରେ ରଖିବାକୁ ପଡ଼ିବ। ସଂକଳ୍ପ ନେବା, ଆଗରୁ ଯଦି ତିନି ଓଳି ଖାଉଥିଲେ ଏବେ ଅଳ୍ପ ଖାଇବି। ନିଜେ ଯାଇ ରୋଷେଇ ଘରେ ପଶିବି। ନଜ ଘର କାମରେ ହାତ ବଢ଼େଇବି। ପିଲାମାନଙ୍କୁ ଉତ୍ସାହିତ କରିବି ଘର କାମରେ ହାତ ବଢ଼େଇବାକୁ । ସୂଚନାଯୋଗ୍ୟ, କରୋନା ସଚେତନତା ଆଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୀର୍ଘ ୨୦ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରାଜ୍ୟବାସୀଙ୍କ ପାରିବାରିକ ଓ ବ୍ୟକ୍ତିଗତ ଜୀବନ ପରିସୀମାକୁ ଅନୁପ୍ରବେଶର ଉଦ୍ୟମ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons