ଜୟପୁର,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଖୁବ୍ଶୀଘ୍ର ସ୍ଥାନୀୟ ଗ୍ଲୋକାଲ ହସ୍ପିଟାଲକୁ କୋଭିଡ୍ ମେଡିକାଲ୍ ଭାବେ କାର୍ଯ୍ୟକ୍ଷମ କରାଯିବ । କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ୨ ମାସ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ସରିବ । ଆଜି ଜୟପୁର ଗସ୍ତରେ ଆସି କୋଭିଡ ପରିଚାଳନା ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି, ଗ୍ଲୋକାଲ ମେଡିକାଲରେ କରୋନା ରୋଗୀଙ୍କ ପାଇଁ ୯୪ ଶଯ୍ୟା ପ୍ରସ୍ତୁତ ରହିଛି । ସେ ଭିତରେ ୨୪ଟି ଆଇସିୟୁ ଏବଂ ୩ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ୨ରୁ ୩ ଦିନ ମଧ୍ୟରେ ଏଠାରେ ରୋଗୀସେବା ଆରମ୍ଭ ହେବ । ଏଥିସହ ରୋଗୀଙ୍କ ଚିକିତ୍ସା ପାଇଁ ଆଗାମୀ ଦିନରେ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ୬୫୦ ଓ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଅତିରିକ୍ତ ୨୦୦ ଶଯ୍ୟା ବିଶିଷ୍ଟ ୱାର୍ଡ ପ୍ରସ୍ତୁତ କରାଯିବ । ଜିଲ୍ଲାରେ ଅକ୍ସିଜେନର ଅଭାବ କିପରି ହେବ ନାହିଁ, ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୨ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିÂା ହେବ । ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ କାମ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଏକ ପ୍ଲାଣ୍ଟ ପ୍ରତିÂା ହେବାକୁ ଯାଉଛି । ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଜିଲ୍ଲାକୁ ୨୦ ହଜାର କୋଭିଡ ଟିକା ଦିଆଯାଇଥିଲା । କୋରାପୁଟ ସହରରେ ଏହି ଟିକା ଦେବାର ବ୍ୟବସ୍ଥା ହୋଇଥିଲା । ଏହା ଶେଷ ହୋଇଯାଇଛି । ଅଧିକ ଟିକା ଆସିବା ପରେ ଆଗାମୀ ଦିନରେ ଜୟପୁର ସହରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦେବାର ବ୍ୟବସ୍ଥା କରାଯିବ । ଜିଲ୍ଲା ପାଇଁ ଶୁଭଖବର ହେଉଛି ଆସ୍ତେ ଆସ୍ତେ କରୋନା ନିୟନ୍ତ୍ରଣ ହେଉଛି । ପଜିଟିଭ୍ ହାର ୨୦ ପ୍ରତିଶ୍ରତରୁ କମି ୧୩ ପ୍ରତିଶତରେ ପହଞ୍ଚିଛି । ଆଗକୁ ମଧ୍ୟ ପଜିଟିଭ୍ ହାର ଆହୁରି କମିବ ।
ଆଜି ପୂର୍ବାହ୍ନ ୧୦ଟା ୧୦ରେ ନବରଙ୍ଗପୁରରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ସ୍ଥାନୀୟ ଏୟାରଷ୍ଟ୍ରିପରେ ଓହ୍ଲାଇଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର । ତାଙ୍କ ସହିତ ରହିଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ସମ୍ପର୍କରେ ପ୍ରଥମେ ସମୀକ୍ଷା କରିଥାନ୍ତେ । କିନ୍ତୁ ଏହି କାର୍ଯ୍ୟକ୍ରମ ବାତିଲ କରି ଏୟାରଷ୍ଟ୍ରିପରୁ ସିଧାସଳଖ ଗ୍ଲୋକାଲ ମେଡିକାଲ ଯାଇଥିଲେ । ସେଠାରେ ପହଞ୍ଚି ଭିତ୍ତିଭୂମି ଦେଖିଥିଲେ । ରୋଗୀଙ୍କ ଚିକିତ୍ସା ପାଇଁ କିପରି ସୁବିଧା ରହିଛି, ସେ ସମ୍ପର୍କରେ ଗ୍ଲୋକାଲ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପୁଣି ଏୟାରଷ୍ଟ୍ରିପ ଫେରିଥିଲେ । ସେଠାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ଉପରେ ଆଲୋଚନା କରିଥିଲେ । ଏହି ସମୟରେ ବିଧାୟକ ଜୟପୁର ସହରର ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ସହ ଜିଲ୍ଲାକୁ ଦୁଇଟି ଲାଇଫ ସପୋର୍ଟ ଆମ୍ବଲାନ୍ସ ଯୋଗାଇବାକୁ ଦାବି କରିଥିଲେ । ଏହାପରେ ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଶ୍ରୀ ମହାପାତ୍ର । ଏହି ସମୟରେ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀ, ଉପଜିଲ୍ଲାପାଳ ହେମକାନ୍ତ ସୟ, ସିଡିଏଓ ଡାକ୍ତର ମକରନ୍ଦ ବେଉରା, ଡିଏମ୍ଓ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାଷ୍କର ସାମନ୍ତରାୟ, ତହସିଲଦାର ପ୍ରଧାନ ଟୁଲ୍ଲିଆମ୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏସ୍ଡିପିଓ ଅରୂପ ଅଭିଶେଖ ବେହେରା, ଟାଉନ ଥାନା ଆଇଆଇସି ସଞ୍ଜୟ ମଣ୍ଡଳ, ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ଥିଲେ ।
Comments are closed, but trackbacks and pingbacks are open.