ମୁସ୍ଲିମ ମହିଳାଙ୍କ ପ୍ରତି ମନ୍ତବ୍ୟ:ଦୁଃଖପ୍ରକାଶ କଲେ ବିଷ୍ଣୁ, ବିବରଣୀରୁ ବାଦ୍ ପଡ଼ିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମୁସଲିମ୍ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିଜେପି ସଦସ୍ୟ ବିଷ୍ଣୁ ଚରଣ ସେଠୀ ବିଧାନସଭାରେ ବିରୋଧର ସମ୍ମୁଖୀନ ହେବା ପରେ ଆଜି ଗୃହରେ ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ନେଇ କଂଗ୍ରେସ ଗୁରୁବାରଠାରୁ ବିରୋଧ ଜାରି ରଖିଥିଲା । ଆଜି ଶୂନ୍ୟକାଳରେ ବିଷ୍ଣୁ ଦୁଃଖ ପ୍ରକାଶ କରିବା ପରେ ଏ ଅଧ୍ୟାୟରେ ପୂର୍ଣ୍ଣଛେଦ ପଡ଼ିଛି ।
ବିଧାନସଭାରେ ତିନ୍ ତଲାକ ବିଲକୁ ବିଜେଡିର ସମର୍ଥନ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପରେ ଏ ସଂପର୍କରେ ବିଷ୍ଣୁ ଗୁରୁବାର ଗୃହରେ ନିଜ ମତ ରଖି କହିଥିଲେ, ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ମୁସଲିମ୍ ମହିଳାଙ୍କ ସାମାଜିକ ସମସ୍ୟାକୁ ସେ ଗତକାଲି ଗୃହରେ ରଖିଥିଲେ । ମାତ୍ର କଂଗ୍ରେସ ଏହା ମୁସଲିମ ମହିଳାଙ୍କ ପ୍ରତି ଅପମାନ ବୋଲି ଦର୍ଶାଇଥିଲା । ତେଣୁ ବିଷ୍ଣୁ ଏ ନେଇ କ୍ଷମା ମାଗିବାକୁ କଂଗ୍ରେସ ଅଡ଼ି ବସିଥିଲା ।
ଆଜି ପ୍ରଶ୍ନକାଳରେ ମଧ୍ୟ ଏ ପ୍ରସଙ୍ଗକୁ ଧରି କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସି କଂଗ୍ରେସ ସଭ୍ୟମାନେ ସ୍ଲୋଗାନ ଛାଡ଼ିଥିଲେ, ମା’ ଭଉଣୀଙ୍କ ଇଜ୍ଜତ ରକ୍ଷା କର । ଏପଟେ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ପଢ଼ୁଥିଲେ ମଧ୍ୟ କଂଗ୍ରେସ ସଭ୍ୟଙ୍କ ପାଟିତୁଣ୍ଡରେ କିଛି ଶୁଭୁନଥିଲା । ମାତ୍ର ମିନିଟକ ମଧ୍ୟରେ ବାଚସ୍ପତି ସାଢ଼େ ୧୧ଟା ଯାଏ ଗୃହକୁ ବନ୍ଦ ରଖିଥିଲେ । ସାଢ଼େ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଷ୍ଣୁ କହିଲେ, ମୋର ମନ୍ତବ୍ୟ ପାଇଁ ମୁଁ ଦୁଃଖିତ । ମୋର ମନ୍ତବ୍ୟ କାହାକୁ ଆଘାତ ଦେବାକୁ ଉଦ୍ଦିଷ୍ଟ ନଥିଲା । ଗଣମାଧ୍ୟମ ତଥ୍ୟକୁ ଉଦ୍ଧାର କରି ମୁଁ କହିଥିଲି । ଯଦି ଏହା କାହାକୁ ଆଘାତ ଦେଇଛି ମୁଁ ସେଥିପାଇଁ ଦୁଃଖପ୍ରକାଶ କରୁଛି । ଏହାକୁ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରୁଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ଶ୍ରୀ ସେଠୀ ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦିଆଗଲା । ଏହାକୁ ନେଇ ଅଧିକ ଆଲୋଚନା ଗଣମାଧ୍ୟମରେ କରାନଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons