ମୂଳସଢା ରୋଗ ପାଇଁ ଅଦା ଚାଷ ନଷ୍ଟ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ଅଦାରେ ଲାଗିଛି ମୂଳସଢା ରୋଗ । ଏହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଜିଲ୍ଲାର ଚାଷୀ । ଲଗାଣ ବର୍ଷା ଯୋଗୁ ଦେଖାଦେଇଛି ଏ ରୋଗ । ଚାଷ ଉଜୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି । ବିଷେଶକରି ଜିଲ୍ଲାର ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର ଏବଂ ଲମତାପୁଟ ଅଞ୍ଚଳରେ ଲଗାଯାଇଥିବା ଅଦାର ମୂଳ ପଚି ଯାଉଛି । ଗଛ ବଢିବା ଆଗରୁ ହଳଦିଆ ପଡ଼ି ଝାଉଁଳି ଯାଉଛି । ଏହାଦ୍ୱାରା ଉତ୍ପାଦନ ହ୍ରାସ ପାଇବ ବୋଲି କହିଛନ୍ତି ଚାଷୀ ।
ଜିଲ୍ଲାର ମାଟି ଓ ଜୟବାୟୁ ବେଶ୍ ଅନୁକୁଳ । ତେଣୁ ଚଳିତବର୍ଷ ଜିଲ୍ଲାର ୩ ହଜାର ୪ଶହ ହେକ୍ଟର ଜମିରେ ହୋଇଛି ଅଦା ଚାଷ । ହେଲେ ୧୫ ଦିନ ଧରି ଲଗାଣ ବର୍ଷାରେ ପଚି ଯାଇଛି ଅଦାର ମୂଳ । ଗଛ ହଳଦିଆ ପଡ଼ିଯାଇଛି । ଫଳରେ ଏକର ଏକର ଜମିରେ ଅଦା ଚାଷ ନଷ୍ଟ ହୋଇଥିବା ପଟ୍ଟଙ୍ଗି ପଡ଼ାଲଗୁଡ଼ାର ଭଗବାନ ପଡ଼ାଲ, ବାଉଁଶଗୁଡ଼ାର କତନା ତାମାଲ ପ୍ରମୁଖ ଚାଷୀ କହିଛନ୍ତି । ପଡ଼ାଲ ଗୁଡ଼ାର ଭଗବାନ ଗୋଟିଏ ଏକର ଜମିରେ ଏବଂ ବାଉଁଶଗୁଡ଼ାର କତନା ତାମାଲ ଦେଢ଼ ଏକର ଜମିରେ ଅଦା ଚାଷ କରିଥିଲେ । ଗଛ ଭଲ ହୋଇଥିବାରୁ ଉତ୍ସାହିତ ହୋଇପଡ଼ିଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁ ଜମିରୁ ପାଣି ନିଷ୍କାସନରେ ସମସ୍ୟା ହେଲା । ଗଛ ମୂଳଳେ ଜମି ରହିଥିଲା ପାଣି ।
ଜିଲ୍ଲା ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି ଯେ, ଚାଷୀମାନେ ଯେଉଁ ବିହନ ଅଦା ଲଗାଉଛନ୍ତି ତାହାକୁ ପରେ କାଢ଼ି ନେଉଛନ୍ତି । ଏହାକୁ କଢାଯିବା ମାତ୍ରେ ଗଛ ମୂଳରେ ସ୍ୱତନ୍ତ୍ର ଔଷଧ ସ୍ପ୍ରେ କରିବା କଥା । କିନ୍ତୁ ଚାଷୀମାନେ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି । ପିଣ୍ଡ ଅଦା ଖୋଳି ନିଆଯିବା ପରେ ଗଛମୂଳର ମାଟି ହାଲୁକା ହୋଇଯାଉଛି । ଜମିରେ ପାଣି ଜମିଲେ ଗଛମୂଳ ପଚି ଯାଉଛି । ଏ ସଂପର୍କରେ ଗତବର୍ଷ ଚାଷୀଙ୍କୁ ସଚେତନ କରାଯାଇଥିଲା । କିନ୍ତୁ ଭୁଲ୍ ଦୋହରାଇଥିବାରୁ ଏବର୍ଷ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ପ୍ରତିକାର ପାଇଁ ଏବେ ଚାଷୀମାନଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଶ୍ରୀ ସେଠୀ ।
ଚଳିତ ବର୍ଷ ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, କୋରାପୁଟ, ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି ୬ଟି ବ୍ଲକରେ ଅଧିକ ଅଦା ଚାଷ କରାଯାଇଛି । ପଟ୍ଟାଙ୍ଗି ବ୍ଲକରେ ସର୍ବାଧିକ ୮୦୦ ହେକ୍ଟରରେ ହୋଇଛି ଏହି ଚାଷ । ସେହିପରି ସେମିଳିଗୁଡ଼ା ବ୍ଲକରେ ୭୦୦ ହେକ୍ଟର,ନନ୍ଦପୁର ବ୍ଲକରେ ୭୦୦ ହେକ୍ଟର,ଲମତାପୁଟ ବ୍ଲକରେ ୪୦୦ ହେକ୍ଟର, କୋରାପୁଟ ବ୍ଲକରେ ୩୫୦ ହେକ୍ଟର, ଦଶମନ୍ତପୁର ବ୍ଲକରେ ୨୫୦ହେକ୍ଟର ଏବଂ ଲକ୍ଷ୍ମୀପୁର ବ୍ଲକରେ ପ୍ରାୟ ୨୦୦ ହେକ୍ଟର ଜମିରେ ଅଦା ଲଗାଯାଇଛି । ମୂଳସଢା ରୋଗ ପାଇଁ ଏବେ ଚାଷୀଙ୍କ ନିଦ ହଜିଯାଇଛି । ଉଦ୍ୟାନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons