କୋରାପୁଟ: କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ସଦର ଥାନା ଉମରୀ ପଞ୍ଚାୟତ ଖପରାପୁଟ ଗାଁର ସମରା ଗୁଣ୍ଠା(୪୪) । ସମରା ଗତ ବୁଧବାର ସକାଳେ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନଥିଲେ । ଗୁରୁବାର ସନ୍ଧ୍ୟାରେ ଗାଁର କେତେକ ଲୋକ ଜଳଭଣ୍ଡାର ଆଡେ଼ ଯାଇ ଆଉଥରେ ଖୋଜାଖୋଜି କରିବା ପରେ କୂଳରେ ସମରା ଭାସୁଥିବା ଦେଖିବାକୁ ପାଇଥିଲେ । ବଞ୍ଚିଥିବା ଆଶାରେ ରାତିରେ ସମରାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ହୋଇ ଯାଇଥିବାରୁ ଆଜି ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ସମରାଙ୍କ ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଘରର ସେ ଜଣେମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ରୋଜଗାରରେ ଘରେ ଚୁଲି ଜଳୁଥିଲା । ତାଙ୍କ ମୃତୁ୍ୟପରେ ପୂରା ପରିବାର ଭାଙ୍ଗି ପଡ଼ିଛନ୍ତି । ମୃତକଙ୍କ ପରିବାରକୁ ଆଜି ପ୍ରଶାସନ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛି । ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଆର୍ଥିକ ସହାୟତା ରାଶି ସମରାଙ୍କ ବାପା ଗୁରୁ ଗୁଣ୍ଠାଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ୱେଚ୍ଛାସେବୀ ବାବୁଲା ବେନିଆ, ଜଗଦୀଶ ଖୋସଲା, ରମେଶ ବାଖିଆ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଘଟଣାକୁ ନେଇ ସଦର ଥାନାରେ ୮/୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏଏସଆଇ ମନୋଜ ପ୍ରଧାନ କହିଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ


Comments are closed, but trackbacks and pingbacks are open.