ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୫(କ)କୁ ହଟାଇବା ପାଇଁ କେନ୍ଦ୍ର ପ୍ରସ୍ତୁତି କରୁଥିବାର ଚର୍ଚ୍ଚା ହେଉଥିଲାବେଳେ ଏହାକୁ ନେଇ ପିଡିପି ନେତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି କେନ୍ଦ୍ରକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଧାରା ୩୫(କ)କୁ ହଟାଇବା ପାଇଁ ପ୍ରୟାସ କରିବା ବାରୁଦ ଗଦାରେ ନିଆଁ ଲଗାଇବା ସହିତ ସମାନ । ଯଦି କେହି ଏହି ଧାରାକୁ ହଟାଇବାକୁ ଉଦ୍ୟମ କରେ, ତାହାହେଲେ ତା’ର କେବଳ ହାତ ନୁହେଁ ବରଂ ସମ୍ପୂର୍ଣ୍ଣ ଦେହ ଜଳିଯିବ । ନିଜ ଦଳର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ସେ ସେମାନଙ୍କୁ ଧାରା ୩୫(କ)କୁ ବଜାୟ ରଖିବା ଉଦ୍ଦେଶ୍ୟରେ ବଡ଼ଧରଣର ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଛନ୍ତି । ସେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି କି ଆମେ ଦେହରେ ଶେଷ ରକ୍ତ ବୁନ୍ଦା ଥିବା ଯାଏଁ ଏହି ଧାରାର ସୁରକ୍ଷା ପାଇଁ ଲଢ଼ିବୁ । ଗତକାଲି ମଧ୍ୟ ସେ ଅନୁରୂପ ବୟାନ ଦେଇଥିଲେ । ସେ କହିଥିଲେ କି ରାଜ୍ୟରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ର କାଶ୍ମୀରବାସୀଙ୍କ ମନରେ ଭୟ ସଂଚାର କରିବାକୁ ଉଦ୍ୟମ କରୁଛି ।
Comments are closed, but trackbacks and pingbacks are open.