ନୂଆଦିଲ୍ଲୀ: ମୋଦୀ ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କରାଯାଇଥିବା ଏକ ସର୍ଭେରେ ପ୍ରାୟ ଦୁଇ ତୃତୀୟାଂଶ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଇଏନଏସ-ସି ଭୋଟର ‘ଷ୍ଟେଟ୍ ଅଫ ଦ ନେସନ ୨୦୨୦’ର ସର୍ଭେ ଅନୁଯାୟୀ ୬୫.୬୯ ପ୍ରତିଶତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସନ୍ତୁଷ୍ଟ ଅଛନ୍ତି। କରୋନା ମହାମାରୀ କାରଣରୁ ସମସ୍ତ ବିଶ୍ଵ ନେତୃତ୍ଵଙ୍କ ଲୋକପ୍ରିୟତାରେ ହ୍ରାସ ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକ ପ୍ରିୟତାରେ କୌଣସି ଆଞ୍ଚ ଆସିନାହିଁ। ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଦୀଙ୍କ କାର୍ୟ୍ୟରେ ୫୮.୩୬ ପ୍ରତିଶତ ଭାରତୀୟ ବହୁତ ସନ୍ତୁଷ୍ଟ ଥିବା କହିଛନ୍ତି।
ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟରେ ୨୪.୦୧ ପ୍ରତିଶତ ଭାରତୀୟ କିଛି ମାତ୍ରାରେ ସନ୍ତୁଷ୍ଟ ଥିବା ବେଳେ ୧୬.୭୧ ପ୍ରତିଶତ ସଂପୂର୍ଣ୍ଣ ଖୁସି ବ୍ୟକ୍ତ କରିଛନ୍ତି। ଯଦି ରାଜ୍ୟ ଉପରେ ନଜର ପକାଇବା ତେବେ ଅଣ ବିଜେପି ଶାସିତ ରାଜ୍ୟ ଓଡିଶାରେ ମୋଦୀଙ୍କ ଲୋକ ପ୍ରିୟତା ସବୁଠୁ ଅଧିକ ରହିଛି। ଓଡିଶାରେ ୯୫.୬ ପ୍ରତିଶତ ଲୋକ ମୋଦୀଙ୍କ ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ବହୁତ ସନ୍ତୁଷ୍ଟ ଅଛନ୍ତି। ରାଜ୍ୟର କେବଳ ୨.୨ ପ୍ରତିଶତ ହିଁ ମୋଦୀଙ୍କ କାମରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।
ସର୍ଭେ ଅନୁଯାୟୀ ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତା ବହୁତ ଅଧିକ ରହିଛି। ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା ହାର ୯୩.୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ ଏବଂ ଆନ୍ଧ୍ର ପ୍ରଦେଶରେ ୮୩.୬ ପ୍ରତିଶତ ରହିଛି। ଖାସ୍ କଥା ଏହା ଯେ, ଓଡିଶା ପରି ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ମଧ୍ୟ ଅଣ ବିଜେପି ଶାସିତ ରାଜ୍ୟ।
ଝାରଖଣ୍ଡରେ ଗତ ବର୍ଷ ବିଜେପି କ୍ଷମତାରୁ ବେଦଖଲ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡିନାହିଁ। ସେଠାରେ ମୋଦୀଙ୍କୁ ୬୪.୨୬ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକ ପ୍ରିୟତା ୮୨.୯୭ ପ୍ରତିଶତ ରହିଛି।
ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଓ ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ ତାଙ୍କର ଲୋକପ୍ରିୟତା ହେବା କିଛି ନୂଆଁ କଥା ନୁହେଁ। ମାତ୍ର ଶିବସେନା-କଂଗ୍ରେସ-ଏନସିପିର ମେଣ୍ଟ ଶାସିତ ମହାରାଷ୍ଟ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ମହାରାଷ୍ଟ୍ରରେ ୭୧.୪୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି।
Comments are closed, but trackbacks and pingbacks are open.