ମାଲକାନଗିରି: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଲକ୍ଡାଉନ୍ ପାଇଁ ଘରବାହୁଡ଼ା ହେଉଛନ୍ତି ପ୍ରବାସୀ ଶ୍ରମିକ । ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲା ମୋଟୁ ଚେକ୍ପୋଷ୍ଟ୍ ଦେଇ ପ୍ରତିଦିନ ଘରକୁ ଫେରୁଛନ୍ତି ପ୍ରବାସୀ । ଏବେ ସୁଦ୍ଧା ୨୧,୧୮୪ ଜଣ ଶ୍ରମିକ ଫେରିଥିବା ସୂଚନା ମିଳିଛି । ୩୧ ତାରିଖ ମଧ୍ୟରେ ୪ଟି ରାଜ୍ୟ ସୀମାନ୍ତ ମୋଟୁ ଚେକ୍ ପୋଷ୍ଟ୍ ଦେଇ ଏହି ପ୍ରବାସୀମାନେ ଘରବାହୁଡ଼ା ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୮୫୭ ଜଣ ମାଲକାନଗିରି ଜିଲ୍ଲାର, ଅନ୍ୟ ଜିଲ୍ଲାର ୧୧୧୬୦ ଜଣ ଏବଂ ଅନ୍ୟ ରାଜ୍ୟର ୧୧୭୨ ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବା ଏବଂ ଲକ୍ଡାଉନ୍ ପାଇଁ କାମଧନ୍ଦା ହରାଇବା ପରେ ଘରକୁ ଫେରି ଆସୁଛନ୍ତି ପ୍ରବାସୀ ଶ୍ରମିକ ।
ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ ୪ଟି ରାଜ୍ୟରୁ ପ୍ରବାସୀମାନେ ମାଲକାନଗିରି ଜିଲ୍ଲା ମୋଟୁ ଚେକ୍ପୋଷ୍ଟ୍ ଦେଇ ଓଡ଼ିଶାକୁ ଆସୁଛନ୍ତି । ଦୁଇଦିନ ପୂର୍ବେ ଶତାଧିକ ପ୍ରବାସୀ ସୁନ୍ଦରଗଡ଼ ଜିଲ୍ଲାକୁ ଯିବା ପାଇଁ ମୋଟୁ ଚେକ୍ପୋଷ୍ଟ୍ରେ ପହଞ୍ଚିଥିଲେ । ଏହି ଖବର ଜାଣିବା ପରେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର, ପଞ୍ଚାୟତ ଅଧିକାରୀ କେଶବ ଚନ୍ଦ୍ର ଖରକା, ବ୍ଲକ୍ ଯନ୍ତ୍ରୀ ବସନ୍ତ ବେହେରା ପୁଲିସ ଅଧିକାରୀ ସେଠାକୁ ଆସିଥିଲେ । ପ୍ରବାସୀଙ୍କ କୋଭିଡ୍ ଟେଷ୍ଟ୍ କରିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କୁ ସୁନ୍ଦରଗଡ଼ ପଠାଯାଇଛି । କରୋନାର ଦ୍ୱିତୀୟ ଲହରି ହୋଇଛି ଭୟଙ୍କର । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମଣ ଭୟରେ ଚାକିରି ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗତବର୍ଷ ଭଳି ପ୍ରବାସୀମାନେ ଘରମୁହାଁ ହେଉଛନ୍ତି ।
କଟକଣା ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରବାହୁଡ଼ା ଶ୍ରମିକଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କ ପାଇଁ ଅସ୍ଥାୟୀ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର, କ୍ୱାରେଣ୍ଟାଇନ୍ ଗୃହର ବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କ ଥର୍ମାଲ୍ ସ୍କି୍ରନିଂ, କୋଭିଡ୍ ଟେଷ୍ଟ୍ କରାଯାଉଛି । ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ସେତୁ ବୋର୍ଡର ଚେକ୍ପୋଷ୍ଟ୍ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ପହରା ଦିଆଯାଉଛି । ମୋଟୁ କାଲେରୁ ବ୍ରିଜ୍ ଓ ମୋଟୁ ସିଲେରୁ ନଦୀଘାଟରେ ଚେକ୍ପୋଷ୍ଟ୍ କରି ଆନ୍ତଃରାଜ୍ୟ ବସ୍ ଓ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ସଂକ୍ରମଣରୁ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଅଧିକାରୀଙ୍କୁ ନେଇ ଟାସ୍କ୍ଫୋର୍ସ ଗଠନ କରାଯାଇଛି ।
ରିପୋର୍ଟ : ସତ୍ୟ ପ୍ରକାଶ ସାମଲ
Comments are closed, but trackbacks and pingbacks are open.