ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କଳାହାଣ୍ଡିର ହିତାଧିକାରୀ:ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲଗି ସାରା ଦେଶରେ ଲକ୍ଡାଉନ ଜାରି ରହିଛି । ଫଳରେ ଗରିବ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
ସାଧାରଣତଃ ପରିବାର ଚଳାଇବାର ବୋଝ ମହିଳାଙ୍କ ଉପରେ ରହୁଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ମହିଳାମାନଙ୍କୁ ପ୍ରାଥମିକତା ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଉଛି ।
ତିନି ମାସ ପାଇଁ ମହିଳା ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କଠାରୁ ଏହି ସୁବିଧା ପାଇପାରିବେ । ଫଳରେ ଜନଧନ ଯୋଜନାର ମହିଳା ହିତାଧିକାରୀ ତିନି ମାସକୁ ୧୫୦୦ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ତିନି ମାସରେ ତିନିଟି ଗ୍ୟାସ ରିଫିଲ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।
ଇତି ମଧ୍ୟରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବହୁ ହିତାଧିକାରୀ ଉପରୋକ୍ତ ଦୁଇଟି ଯୋଜନାରେ ପ୍ରଥମ ଦଫା ସହାୟତା ପାଇସାରିଛନ୍ତି । ଲକ୍ଡାଉନ୍ ବେଳେ କାମଧନ୍ଦା ନଥିବାରୁ ଏପରି ଆର୍ଥିକ ସହାୟତା ସେମାନଙ୍କୁ ପରିବାର ଚଳାଇବାରେ ବେଶ୍ ସହାୟକ ହେବ ବୋଲି ହିତାଧିକାରୀମାନେ ମତବ୍ୟକ୍ତ କରିଛନ୍ତି ।
ଜିଲ୍ଲାର ଜଣେ ହିତାଧିକାରୀ ପ୍ରମିଳା ନାଗ କହିଛନ୍ତି, ଜନଧନ ଯୋଜନାରେ ୫୦୦ ଟଙ୍କା ପାଇଛି । ଉଜ୍ଜ୍ୱଳା ଯୋଜନାରେ ୮୦୦ ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । ଏବେ କାମ ଧନ୍ଦା ନଥିବା ବେଳେ ଏହି ଅର୍ଥ ପରିବାର ଚଳାଇବାରେ ସହାୟକ ହେବ । ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ଆଉ ଜଣେ ମହିଳା ହିତାଧିକାରୀ ରାଜେଶ୍ୱରୀ ନାଗ କହିଛନ୍ତି, କାମଦାମ ନଥିବାବେଳେ ଏହି ସହାୟତା ପାଇଥିବାରୁ ଆମେ ସୁବିଧାରେ ଚଳିପାରିବୁ । ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।
ଭବାନୀପାଟଣାରୁ ୨୧ କିମି ଦୂର ମେଦିନିପୁର ଗ୍ରାମର ୫୦୦ରୁ ଅଧିକ ହିତାଧିକାରୀଙ୍କ ନିକଟରେ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ରିଫିଲ କରାଯାଇଛି । ଗ୍ୟାସ ଏଜେନ୍ସି ପକ୍ଷରୁ ହିତାଧିକାରୀଙ୍କ ଘରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଏଭଳି ଅସୁବିଧା ସମୟରେ ମାଗଣାରେ ରୋଷେଇ ଗ୍ୟାସ ଯୋଗାଇ ଦେଇଥିବାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହାଛଡ଼ା କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଉପକୃତ ହୋଇଥିବା ବହୁ ହିତାଧିକାରୀ ମଧ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କୋଭିଡ୍-୧୯ ଲକ୍ଡାଉନ୍ କାରଣରୁ କାମଧନ୍ଦା ହରାଇଥିବା ଦେଶର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ଗତ ୨୬ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ତଦନୁଯାୟୀ ବିଭିନ୍ନ ଜନହିତକର ଯୋଜନାରେ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧୬.୦୧ କୋଟି ହିତାଧିକାରୀଙ୍କୁ ଡିବିଟି ଜରିଆରେ ୩୫.୬୫୯ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons