ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମ ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟ କେବଳ ମାଓବାଦୀ ଓ ଆତଙ୍କବାଦୀଙ୍କ ପାଇଁ ସ୍ପନ୍ଦିତ ହୁଏ । ସମ୍ବାଦ ସରବରାହ ସଂସ୍ଥା ଆଇଏଏନଏସକୁ ଏକ ସାକ୍ଷାତକାର ଦେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବାକୁ କିଛି ଲୋକ ବିରୋଧ କରିବା ସମ୍ପର୍କିତ ଏକ ପ୍ରଶ୍ନ ଉପରେ ସେ କହିଥିଲେ କି ଭାରତର ସବୁ ଭାଗର ଲୋକ ନିଜର ରାଜନୈତିକ ବିଚାରଧାରାକୁ ଏଡାଇଯାଇ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କେବଳ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ, ରାଜନୈତିକ ବଂଶବାଦ କାରଣରୁ ନେତା ହୋଇଥିବା ବ୍ୟକ୍ତି, ଆତଙ୍କବାଦୀଙ୍କ ପ୍ରତି ସମବେଦନା ରଖୁଥିବା ବ୍ୟକ୍ତି ଏବଂ ଆମର କିଛି ବିରୋଧୀ ଦଳର ନେତା ଏହାର ବିରୋଧ କରୁଛନ୍ତି । ଏବେ କିନ୍ତୁ ସମସ୍ତେ ଜାଣିଗଲେଣି କି ଧାରା ୩୭୦ ଏବଂ ୩୫(କ) ଯୋଗୁ ଜମ୍ମୁ-କାଶ୍ମୀର କେମିତି ଭାରତ ଠାରୁ ଅଲଗା ହୋଇରହିଥିଲା । ଏହି ଧାରାଗୁଡିକ ଯୋଗୁ ସେଠାକାର ଲୋକେ ବିକାଶ ଯୋଜନାର ଫାଇଦା ପାଇପାରୁନଥିଲେ କି ସେମାନଙ୍କ ଆଶାଆକାଂକ୍ଷା ପୂରଣ ହୋଇପାରୁନଥିଲା । କିନ୍ତୁ ଏବେ ସେଠାରେ ବିକାଶ ଯୋଜନାକୁ ତ୍ୱାରାନ୍ୱିତ କରିବା ପାଇଁ ସୁଯୋଗ ଦିଆଯିବା ଦରକାର । କିଛି ଲୋକ ତ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ପାଇଁ କରାଯାଉଥିବା ସବୁ ପଦକ୍ଷେପକୁ ବିରୋଧ କରନ୍ତି । ଲୋକଙ୍କୁ ପାଣି ଯୋଗାଇବାକୁ କିଛି ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ ସେମାନେ ବିରୋଧ କରନ୍ତି । ରେଳ ଧାରଣା ନିର୍ମାଣ କରାଗଲେ ବି ସେମାନେ ଏହାର ବିରୋଧ କରନ୍ତି । ସେମାନଙ୍କ ହୃଦୟ କେବଳ ମାଓବାଦୀ ଓ ଆତଙ୍କବାଦୀଙ୍କ ପାଇଁ ସ୍ପନ୍ଦିତ ହୁଏ ।
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଆବଶ୍ୟକ ସଂଖ୍ୟାଗରିଷ୍ଠତା ପାଇବ ନାହିଁ ବୋଲି କିଛି ଲୋକ ଭବିଷ୍ୟତବାଣୀ କରିଥିବା ଉପରେ ମୋଦି କହିଥିଲେ କି ମୁଁ ଏପଯର୍ଯ୍ୟନ୍ତ ଯେତେ ନିର୍ବାଚନ ଲଢ଼ିଛି, ସବୁଥିରେ ମୋ ନେତୃତ୍ୱରେ ଦଳ ହାରିବ ବୋଲି କିଛି ଲୋକ ଅନୁମାନ ଲଗାଇଥିଲେ । କିନ୍ତୁ ଏପରି ଘଟିନାହିଁ । କାରଣ ଆମେ ନିର୍ବାଚନ ଜିତିବା ନୁହେଁ, ବରଂ ଲୋକଙ୍କ ମନ ଜିତିବାରେ ବିଶ୍ୱାସ କରୁ । ଆମେ ଲୋକଙ୍କ କଲ୍ୟାଣ ପାଇଁ କାମ କରୁ ଏବଂ ତା’ର ପ୍ରଭାବ ନିର୍ବାଚନରେ ପରିଲକ୍ଷିତ ହୁଏ । ଏହି କାରଣରୁ ଯେଉଁମାନେ ଗତ ନିର୍ବାଚନରେ ବର୍ଷକୁ ୭୨,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ, ସେମାନେ ୭୨ଟି ଆସନ ବି ଜିତିପାରିଲେ ନାହିଁ । କାରଣ ସେମାନେ ଏହି ପ୍ରତିଶ୍ରୁତି ପୂରଣ କରିବେ ବୋଲି ଲୋକଙ୍କର ଭରସା ପାଇନଥିଲା ।
ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ୭୫ ଦିନ ପୂରଣ ହେଉଥିବାରୁ ତା’ ଉପରେ ସେ କହିଥିଲେ କି ଏତିିକି ଦିନ ଭିତରେ ଲୋକେ ଜାଣିଗଲେଣି ଯେ ବିପୁଳ ଜନମତରେ ଜିତି କ୍ଷମତାସୀନ ହୋଇଥିବା ସରକାର ଏବଂ ଦୃଢ଼ ନିଷ୍ପତ୍ତି ନେଇପାରୁଥିବା ସରକାର କ’ଣ କରିପାରନ୍ତି । ତିନ୍ ତଲାକ୍ ବିଲ୍ ଲାଗୁ କରିବା ଏବଂ ଧାରା ୩୭୦ ହଟାଯିବା ଆଦିରୁ ଏହା ସ୍ପଷ୍ଟ ପ୍ରତିପାଦିତ ହେଉଛି ।
Comments are closed, but trackbacks and pingbacks are open.