ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବ ଭାରତର ବିକାଶ ହେଲେ ହିଁ ସମଗ୍ର ଦେଶର ବିକାଶ ସମ୍ଭବ । ପୂର୍ବ ଭାରତରେ ଓଡ଼ିଶାର ବିକାଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମୋଦିଙ୍କ ସରକାରରେ ଓଡ଼ିଶାର ବିକାଶ ରଥ ଆଗକୁ ଗଡ଼ିଛି । ଓଡ଼ିଆମାନେ ଅଧିକ ସମ୍ମାନ ପାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ କେନ୍ଦ୍ର ସବୁଠାରୁ ବଳି ଅଧିକ ସହଯୋଗ କରିଛି । ମହାମାରୀ କରୋନା ସମୟରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କ ସହଯୋଗ ଅତୁଳନୀୟ । ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, “ଫୋନି’ ମହାବାତ୍ୟା ମୁକାବିଲା ପାଇଁ ୪୬୭୯ କୋଟି ଟଙ୍କା ମିଳିଥିଲା । ସେହିପରି ଅମ୍ପନ୍ ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଓଡିଶାକୁ ଦେଇଛନ୍ତି ।
୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟର ଅଂଶ ବାବଦରେ ଓଡିଶା ପାଉଛି ୩୬,୩୦୦ କୋଟି ଟଙ୍କା । ସେହିପରି ଚଳିତ ଆର୍ଥିକ ବର୍ଷରେ ୨୦୨୦-୨୧ରେ ଓଡିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ପାଉଛି ୩୨,୦୦୦ କୋଟି ଟଙ୍କା । ୨୦୧୪-୧୫ରୁ ୨୦୨୦-୨୧ ଭିତରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡିଶାକୁ ମିଳିଛି ୩,୬୮,୫୯୨ କୋଟି ଟଙ୍କା । ୨୦୨୦-୨୧ ରେଳ ବଜେଟ୍ରେ ମିଳିଛି ୫୨୯୬ କୋଟି ଟଙ୍କା । ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ । କୋଣାର୍କକୁ ସୂର୍ଯ୍ୟନଗରୀ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ସୋଲାର ପ୍ରକଳ୍ପ ବାବଦରେ ୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛି ।
ଶ୍ରୀ ମହାନ୍ତିି କହିଛନ୍ତି, ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡିଶାରୁ ୧୨ ଜଣ ଓଡିଆ ସମ୍ମାନିତ ହୋଇଛନ୍ତିି ଯାହା ଏକ ରେକର୍ଡ । ମୋଦିଙ୍କ ସମୟରେ ଓଡିଶାରୁ ୩ ରାଜ୍ୟପାଳ, ପ୍ରଥମ ଓ ଦ୍ୱିତୀୟ ଉଭୟ ସରକାରରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ଓଡିଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ, ଓଡିଆ ଘରର ମାଣବସା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ମିଳିବା ଓଡିଶା ପାଇଁ ଗର୍ବର ବିଷୟ । କେବଳ ସେତିକି ନୁହେଁ କରୋନା ସମୟରେ ଓଡିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡିଶାକୁ ୧୭୮ଟି ଟ୍ରେନ୍ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରାଇ ଅଣାଯାଇଛି । କେନ୍ଦ୍ର ସରକାର ଟିକେଟ ମୂଲ୍ୟର ୮୫% ଅର୍ଥ ବହନ କରୁଛନ୍ତି ।
ପିଏମ୍ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧିକାରୀଙ୍କୁ ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ମିଳିଛି । ଓଡିଶାର ୯୩ ଲକ୍ଷ ପରିବାରଙ୍କୁ ମାସକୁ ୧ କିଲୋ ଡାଲି ହିସାବରେ ୩ ମାସ ପାଇଁ ଡାଲି ଦିଆଯାଇଛି । ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ୧୪ ଲକ୍ଷ ୬୬ ହଜାର ବୃଦ୍ଧାବୃଦ୍ଧଙ୍କୁ ୧୦୦୦ ଟଙ୍କାର ସହାୟତା ଦିଆଯାଇଛି । ସେହିପରି ପିଏମ କିଷାନ ଯୋଜନାରେ ଓଡିଶାର ୩୬.୨୮ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ଏହି ଲକ୍ଡାଉନ ସମୟରେ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ଓଡିଶାର ୨୮ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ୪୭.୪୭ ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ମୋଦି ସରକାର ଏ ବାବଦରେ ଓଡିଶା ପାଇଁ ଖର୍ଚ୍ଚ କରିଛନ୍ତିି ୧୧୦୩ କୋଟି ।
ସମୀର କହିଛନ୍ତି, ରାଜ୍ୟରେ କୋଭିଡ୍ ହସ୍ପିଟାଲ ନିର୍ମାଣରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ । କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଓଡିଆଙ୍କ ମେରୁଦଣ୍ଡକୁ ମଜବୁତ୍ କରିବ ।
Comments are closed, but trackbacks and pingbacks are open.