ମୋଦିଙ୍କ ମନ୍ତବ୍ୟ:ଗାନ୍ଧିଙ୍କ ନୀତିରେ ସବୁ ସମସ୍ୟାର ସମାଧାନର ସୂତ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଜି ଭାରତ ସମେତ ସମଗ୍ର ବିଶ୍ୱରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଜଂଳି ଜ୍ଞାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବାପୁଙ୍କୁ ବିନମ୍ର ଶ୍ରଦ୍ଧାଂଜଳି ଦେବା ସହିତ ତାଙ୍କ ନୀତି ଓ ଆଦର୍ଶର ସ୍ମୃତିଚାରଣ କରିଛନ୍ତି । ଗୁଜରାଟ ସ୍ଥିତ ସାବରମତୀ ଆଶ୍ରମରେ ମୋଦି କହିଛନ୍ତି ଯେ ଗାନ୍ଧିଙ୍କ ନୀତି ଓ ଆଦର୍ଶ ଗତକାଲି ବି ପ୍ରଭାବ ପକାଉଥିଲା, ଆଜି ବି ପକାଉଛି ଏବଂ ଆଗାମୀ ଦିନରେ ବି ପକାଇବ । ସମଗ୍ର ବିଶ୍ୱରେ ଯେତେସବୁ ସମସ୍ୟା ଦେଖାଯାଉଛି, ସେସବୁର ସମାଧାନର ସୂତ୍ର ଗାନ୍ଧିଙ୍କ ନୀତିରେ ନିହିତ ଅଛି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଭାରତକୁ ‘ ଖୋଲାରେ ମଳତ୍ୟାଗ’ ମୁକ୍ତ ଦେଶ ଭାବେ ଘୋଷଣା କରିଛନ୍ତି ।
ମୋଦି ଆଜି ସକାଳୁ ବାପୁଙ୍କ ସମାଧିସ୍ଥଳ ରାଜଘାଟକୁ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ଆମେରିକୀୟ ସମ୍ବାଦପତ୍ର ନୁ୍ୟୟର୍କ ଟାଇମ୍ସରେ ମଧ୍ୟ ଆଜି ମୋଦିଙ୍କର ଏକ ଲେଖାସ୍ତମ୍ଭ ପ୍ରକାଶିତ ହୋଇଛି ଯେଉଁଥିରେ ସେ ସାମ୍ପ୍ରତିକ ସମୟରେ ଗାନ୍ଧି ନୀତିର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଶାନ୍ତି, ସୌହାର୍ଦ୍ଧ୍ୟ ଓ ଭ୍ରାତୃତ୍ୱକୁ ଅକ୍ଷୁଣ୍ଣ ରଖିବା ପାଇଁ ମହାତ୍ମା ଗାନ୍ଧି ଯେଉଁସବୁ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ, ଆଜି ବି ତାହା ସତେଜ ରହିଛି । ସେ ଏଭଳି ଏକ ବିଶ୍ୱର ସ୍ୱପ୍ନ ଦେଖୁଥିଲେ, ଯେଉଁଠି ଅତି ଗରିବ ଲୋକ ବି ସଶକ୍ତ ଭାବେ ବଞ୍ଚିପାରିବେ । ତାଙ୍କ ଚିନ୍ତାଧାରା ଆଜି ମଧ୍ୟ ଆମ ସମସ୍ତଙ୍କୁ ମାର୍ଗ ଦେଖାଉଛି ।
ମୋଦି ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚôଥିଲେ । ଅହମ୍ମଦାବାଦ ବିମାନବନ୍ଦରରେ ସେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ‘ ମହାତ୍ମାଗାନ୍ଧି ଅମର ରହେ’ ବୋଲି କହିଥିଲେ । ଏହାପରେ ସେ ଦଳୀୟ କର୍ମୀଙ୍କୁ କହିଥିଲେ ଯେ ଏବେ ସମଗ୍ର ବିଶ୍ୱରେ ଭାରତର ଭାବମୂର୍ତ୍ତି ଉଜ୍ଜ୍ୱଳ ହୋଇଛି । ଭାରତୀୟ ନାଗରିକଙ୍କୁ ସମ୍ମାନର ସହ ଦେଖାଯାଉଛି । ଆନ୍ତର୍ଜାତିକ ସ୍ତରରେ ଯେଉଁ କେତେକ ସକାରାତ୍ମକ ପରିବର୍ତ୍ତନ ଆସୁଛି, ସେଥିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାର ସମସ୍ତେ ଅନୁଭବ କରୁଛନ୍ତି । ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ସମ୍ଭାବନାପୂର୍ଣ୍ଣ ଦେଶ ଭାବେ ଦେଖୁଛି । ସେ ୨୦୧୪ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଜାତିସଂଘର ସବୁଠାରୁ ଅଧିକ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିଲେ ଏବଂ ବହୁତ କମ ଦିନରେ ଏହି ପ୍ରସ୍ତାବ ପାସ୍ ହୋଇଯାଇଥିଲା । ସେହିପରି ନିକଟରେ ଜାତିସଂଘ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଇଛି ।
ହୁ୍ୟଷ୍ଟନରେ ହାଉଡି ମୋଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ସେଦିନ ହୁ୍ୟଷ୍ଟନରେ ପ୍ରବଳ ବର୍ଷା ହେଉଥିଲା । ଏହାସତ୍ତେ୍ୱ ସେଠାକାର ଗଭର୍ଣ୍ଣର, ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟିର ଅନେକ ନେତା ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ବହୁତ କିଛି ସୂଚାଉଛି ।
ମୋଦି ପରେ ସାବରମତୀ ଆଶ୍ରମ ଯାଇ ସେଠାରେ ଗାନ୍ଧିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋଦି ଛୋଟ ଛୋଟ ପିଲା ଏବଂ ସ୍ୱେଚ୍ଛାସେବୀଙ୍କୁ ସାକ୍ଷାତ କରିଥିଲେ । ସେ ମଧ୍ୟ ସାବରମତୀ ଆଶ୍ରମର ବିଭିନ୍ନ ଭାଗ ପରିଦର୍ଶନ କରି ଗାନ୍ଧିଙ୍କ ଜୀବନ ସହିତ ଜଡିତ ବିଭିନ୍ନ ବସ୍ତୁର ନିରୀକ୍ଷଣ କରିଥିଲେ । ଏହାପରେ ମୋଦି ସାବରମତୀ ରିଭରଫ୍ରଣ୍ଟକୁ ଯାଇଥିଲେ । ସେଠାରେ ଆୟୋଜିତ ‘ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ’କୁ ସମ୍ବୋଧନ କରିବା ଅବସରରେ ସେ ଭାରତକୁ ‘ଖୋଲାରେ ମଳତ୍ୟାଗ’ ମୁକ୍ତ ଦେଶ ଭାବେ ଘୋଷଣା କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବା ତାଙ୍କ ସରକାର ଅମଳରେ ଏକ ବଡ଼ ସଫଳତା ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ୨୦,୦୦୦ ସରପଞ୍ଚ ଯୋଗ ଦେଇଥିଲେ । ସ୍ୱଚ୍ଛତା ଅଭିଯାନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୋଦି କହିଥିଲେ । ସେ ଆହୁରି କହିଥିଲେ କି ଯେଉଁପରି ଭାବେ ଗାନ୍ଧିଙ୍କ ଗୋଟିଏ ଆହ୍ୱାନରେ ଲକ୍ଷ ଲକ୍ଷ ଭାରତୀୟ ସତ୍ୟାଗ୍ରହରେ ଭାଗ ନେଇଥିଲେ, ଠିକ୍ ସେହିପରି ‘ସ୍ୱଚ୍ଛତାଗ୍ରହ’ରେ ବି କୋଟି କୋଟି ଲୋକ ସ୍ୱଇଛାରେ ସାମିଲ ହୋଇଛନ୍ତି । ବୟସ, ସାମାଜିକ ଓ ଆର୍ଥିକ ସ୍ଥିତି ଯାହା ହେଉନା କାହିଁକି, ସମସ୍ତ ବ୍ୟକ୍ତି ସ୍ୱଚ୍ଛତା, ଗରିମା ଓ ସମ୍ମାନର ଏହି ଯଜ୍ଞରେ ଯୋଗଦାନ କରିବା ଉଚିତ୍ । ଗତ ୬୦ ମାସରେ ୬୦ କୋଟି ଲୋକଙ୍କୁ ଶୌଚାଳୟ ସୁବିଧା ଦିଆଯାଇଛି ଏବଂ ଏହି ସମୟ ମଧ୍ୟରେ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁ ବିଗତ ୫ ବର୍ଷ ଭିତରେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ସକାରାତ୍ମକ ପ୍ରଭାବ ପଡିଛି ଏବଂ ଏହାଯୋଗୁ ୭୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଭାରତର ଏହି ସଫଳତା ଦେଖି ବିଶ୍ୱ ଆଚମ୍ବିତ ହୋଇଯାଇଛି । ସେହିପରି ପ୍ଲାଷ୍ଟିକ୍କୁ ପରିବେଶ ଏବଂ ସ୍ୱଚ୍ଛତା ଅଭିଯାନ ପାଇଁ ସବୁଠାରୁ ବଡ ଚାଲେଞ୍ଜ ବୋଲି ଦର୍ଶାଇ ସେ ୨୦୨୨ ସୁଦ୍ଧା ଭାରତକୁ ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ମୁକ୍ତ କରିବା ଲକ୍ଷ୍ୟ ହାସଲ ପାଇଁ ଆହ୍ୱାନ କରିଥିଲେ । ମୋଦି ମଧ୍ୟ ଆଜି ଗାନ୍ଧିଙ୍କ ସ୍ମ୍ମୃତିରେ ଡାକଟିକେଟ ଏବଂ ମୁଦ୍ରା ଜାରି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons