ମୋଦିଙ୍କ ର୍ୟାଲିରେ ଯୋଗ ଦେବେ ଟ୍ରମ୍ପ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଜାତିସଂଘର ସାଧାରଣ ଅଧିବେଶନ ବୈଠକରେ ଯୋଗ ଦେବାକୁ ଆମେରିକା ଗସ୍ତରେ ଯିବେ । ଏହି ଅବସରରେ ସେ ହଷ୍ଟନ ସହରରେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କର ଏକ ର୍ୟାଲିକୁ ସମ୍ବୋଧନ କରିବେ । ଏହି ର୍ୟାଲିରେ ପ୍ରାୟ ୫୦,୦୦୦ ପ୍ରବାସୀ ଭାରତୀୟ ନାଗରିକ ଯୋଗ ଦେବେ । ତେବେ ଉକ୍ତ ର୍ୟାଲିରେ ସମସ୍ତଙ୍କୁ ଚକିତ କଲା ଭଳି କିଛି ଘଟିବାକୁ ଯାଉଛି । ଚର୍ଚ୍ଚା ହେଉଛି କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଇ ର୍ୟାଲିରେ ସରପ୍ରାଇଜ ଗେଷ୍ଟ ଭାବେ ଯୋଗ ଦେବେ । ଏନେଇ ଦୁଇ ଦେଶଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏ ପ୍ରକାର କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ପୂରା ରାଜନୈତିକ ଅଟେ । ଆମେରିକାରେ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ଟ୍ରମ୍ପ ଏଇ ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ତେବେ ଆମେରିକାରେ ପ୍ରାୟ ୩୨ ଲକ୍ଷ ଭାରତୀୟ ନାଗରିକ ବସବାସ କରୁଛନ୍ତି । ଟ୍ରମ୍ପ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ପ୍ରବାସୀ ଭାରତୀୟମାନଙ୍କ ଭୋଟ ହାସଲ କରିବାକୁ ଚାହୁଁଛନ୍ତି । ଅନ୍ୟପଟରେ, ଟ୍ରମ୍ପଙ୍କୁ ନିଜ ର୍ୟାଲିକୁ ଆଣି ମୋଦି ସମଗ୍ର ବିଶ୍ୱକୁ ଆମେରିକା ଭାରତ ସହିତ ଅଛି ବୋଲି ବାର୍ତ୍ତା ଦେବାକୁ ଚାହାନ୍ତି ।
ଏହା ମଧ୍ୟ କୁହାଯାଉଛି ଯେ ଉକ୍ତ ସମ୍ମିଳନୀରେ ଯୋଗ ଦେବା ସମୟରେ ଦୁଇ ଦେଶ ପରସ୍ପର ସହିତ ଏକ ନୂଆ ବାଣିଜି୍ୟକ ଚୁକ୍ତି ସମ୍ପର୍କରେ ବି ଘୋଷଣା କରିପାରନ୍ତି । ଟ୍ରମ୍ପ ପୂର୍ବରୁ ଅନେକ ଥର ଅଭିଯୋଗ କରିଛନ୍ତି ଯେ ଭାରତ ଆମେରିକାର ଉପôାଦଗୁଡିକ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛି ଏବଂ ତାଙ୍କ ଦେଶ ଏହାକୁ ଆଉ ବରଦାସ୍ତ କରିବ ନାହିଁ । ତେଣୁ ଟ୍ରମ୍ପଙ୍କ ଚିନ୍ତା ଦୂର କରିବା ପାଇଁ ମୋଦି ସରକାର ଆମେରିକା ସହିତ କିଛି ରାଜିନାମା କରିବେ ।
ଗତ ମାସରେ ଫ୍ରାନ୍ସରେ ଆୟୋଜିତ ଜି-୭ ବୈଠକ ଅବସରରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ସେତେବେଳେ ଆମେରିକା ଠାରୁ ଅଧିକ ପରିମାଣରେ ଇନ୍ଧନ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏହା ଟ୍ରମ୍ପଙ୍କୁ ଖୁସି କରିଦେଇଛି । ତେଣୁ ମୋଦିଙ୍କ ର୍ୟାଲିରେ ଟ୍ରମ୍ପଙ୍କ ଯୋଗ ଦେବା ସମ୍ଭାବନା ଅଧିକ ଅଛି ବୋଲି କୁହାଯାଉଛି । ତେବେ ଏନେଇ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି । କାରଣ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଦେଖିଲେ ସେ କେତେବେଳେ କେଉଁ ରୂପ ଧାରଣ କରିବେ, ତାହା ଆକଳନ କରିବା ମୁସ୍କିଲ ହେବ । ତେଣୁ ଏହି କାର୍ଯ୍ୟକ୍ରମ ପୂରା ଚୂଡାନ୍ତ ନହେବା ଯାଏଁ ଏବିଷୟରେ ନିର୍ଦ୍ଧିଷ୍ଟ ଭାବେ କିଛି କହିବା ଉଚିତ୍୍ ହେବ ନାହିଁ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons