ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଲାଇଲେ ମହିଳା

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୂର୍ବ ଘୋଷଣା ମୁତାବକ ରବିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମହିଳାମାନଙ୍କୁ ଉତ୍ସର୍ଗ କରିଥିଲେ । ନିଜର କାର୍ଯ୍ୟ ଦ୍ୱାରା ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ୭ ଜଣ ମହିଳା ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିଥିଲେ । ରବିବାର ସକାଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମହିଳାଙ୍କୁ ଉତ୍ସର୍ଗ କରିବା ପୂର୍ବରୁ ମୋଦି ଦେଶବାସୀଙ୍କୁ ମହିଳା ଦିବସର ଶୁଭକାମନା ଜଣାଇଥିଲେ । କହିଥିଲେ, ଭାରତର ବିଭିନ୍ନ ଭାଗରେ ଏଭଳି ମହିଳା ରହୁଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବେ । କଠିନ ପରିଶ୍ରମ ଦ୍ୱାରା ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ୭ ଜଣ ମହିଳା ମୋର ସୋସିଆଲ ମିଡିଆ ଆକାଉଣ୍ଟ ଯୋଗେ ସେମାନଙ୍କ ଜୀବନଯାତ୍ରା ବିଷୟରେ ଜଣାଇବେ ଏହି ସମୟରେ ସେମାନେ ଆପଣଙ୍କ ସହ ବାର୍ତ୍ତାଳପ ମଧ୍ୟ କରିପାରନ୍ତି ।
ସର୍ବପ୍ରଥମେ ସ୍ନେହା ମୋହନ ଦାସ ନାମକ ମହିଳା ମୋଦିଙ୍କ ଟୁଇଟରରେ ଆସି କେତେକ ବାର୍ତ୍ତା ଦେଇଥିଲେ । ସେ ଫୁଡବ୍ୟାଙ୍କ ଖୋଲି ଗରିବ ଶ୍ରେଣୀର ଲୋକମାନଙ୍କୁ ଖାଦ୍ୟ ଦାନ କରିଥାନ୍ତି । ସ୍ନେହାଙ୍କ ପରେ ବିକାନେର ବିସ୍ଫୋରଣରେ ନିଜର ଦୁଇ ହାତ ହରାଇଥିବା ମାଳବିକା ଆୟର, ଯୁବ ଉଦ୍ୟୋଗପତି ଆରିଫା, ଜଳ ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କଳ୍ପନା ରମେଶ, ହସ୍ତତନ୍ତକୁ ପ୍ରୋତ୍ସାହନ ଦେଉଥିବା ବିଜୟା ପାୱାର, ପରିବେଶ ସ୍ୱଚ୍ଛତା ବାର୍ତ୍ତା ଦେଉଥିବା କଳାବତୀ ଏବଂ କୃଷି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୀଣା ଦେବୀ ମୋଦିଙ୍କ ଟୁଇଟର ସମ୍ଭାଳିଥିଲେ ।
ସ୍ନେହା ମୋଦିଙ୍କ ଟୁଇଟର ଜରିଆରେ କହିଥିଲେ ଯେ, ମୋ ମା’ ସଦାବେଳେ ନିରାଶ୍ରୟମାନଙ୍କୁ ଖାଦ୍ୟ ଦେଇଥାଏ । ତା’ଠାରୁ ପ୍ରେରିତ ହୋଇ ୨୦୧୫ରେ ମୁଁ ଫୁଡ୍ବ୍ୟାଙ୍କ ଇଣ୍ଡିଆ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲି । ଏଥିନିମନ୍ତେ ମୁଁ ଫେସ୍ବୁକର ସାହାଯ୍ୟ ନେଇଥିଲି । ଅନ୍ୟ ମହିଳାମାନେ ଆଗକୁ ଆସି ମୋ ସହ ହାତ ମିଶାନ୍ତୁ ବୋଲି ମୁଁ ସେମାନଙ୍କୁ ଅନୁରୋଧ କରୁଛି । ସମସ୍ତେ ଅତି କମ୍ରେ ଜଣ ଭୋକିଲାକୁ ଖାଦ୍ୟ ଦାନ କରିବା ଆବଶ୍ୟକ ।
ସ୍ନେହାଙ୍କ ପରେ ମାଲବିକା ଆୟର ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଦାୟିତ୍ୱ ନେଇଥିଲେ । ସେ କହିଥିଲେ, ମୁଁ ୧୩ ବର୍ଷ ବୟସରେ ବିକାନେର ବିସ୍ପୋରଣରେ ମୋର ଦୁଇ ହାତ ହରାଇଥିଲି । ମୋର ଗୋଡ଼ରେ ମଧ୍ୟ ଆଘାତ ପହଞ୍ଚିଥିଲା । କିନ୍ତୁ ମୁଁ ଧୈର୍ଯ୍ୟ ହରାଇ ନଥିଲି । ଶିକ୍ଷାକୁ ମୁଁ ଅଧିକ ଗୁରୁତ୍ୱ ଦେଉଥିଲି । ମୋର ଦୃଢ଼ ଇଚ୍ଛାଶକ୍ତି ଯୋଗୁ ମୁଁ ପିଏଚ୍ଡି ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋତେ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି ।
କାଶ୍ମୀରର ଯୁବ ଉଦ୍ୟୋଗପତି ଆରିଫା ତୃତୀୟ ମହିଳା ଭାବେ ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଦାୟିତ୍ୱ ନେଇଥିଲେ । ଆରିଫା କାଶ୍ମୀରର ସ୍ୱତନ୍ତ୍ର ହସ୍ତଶିଳ୍ପ ନମଦାରର ବୁଣାକାର । ସେ କହିଥିଲେ, କାଶ୍ମୀର ଏହି ସ୍ୱତନ୍ତ୍ରଶିଳ୍ପକୁ ପ୍ରଚାର କରିବା ପାଇଁ ମୁଁ ସର୍ବଦା ଚେଷ୍ଟିତ ଥିଲି । କାହିଁକି ନା ଏହା ସ୍ଥାନୀୟ ମହିଳାମାନଙ୍କୁ ରୋଜଗାର ପ୍ରଦାନ କରିଥାଏ । ବୁଣାକାରମାନଙ୍କୁ ଆବଶ୍ୟକୀୟ ପାରିଶ୍ରମିକ ମିଳି ପାରୁନଥିଲା । କିନ୍ତୁ କଠୋର ପରିଶ୍ରମ ଫଳରେ ଏହି ଶିଳ୍ପର ବିକାଶ ହେବା ସହ ମହିଳାମାନଙ୍କୁ ଉଚିତ ପାରିଶ୍ରମିକ ମିଳିପାରୁଛି । ଚତୁର୍ଥ ମହିଳା ଭାବେ କଳ୍ପନା ରମେଶ ମୋଦିଙ୍କ ସୋସିଆଲ ମିଡିଆ ସମ୍ଭାଳିଥିଲେ । ସେ ଜଳ ସଂରକ୍ଷଣ ନିମନ୍ତେ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ପଦକ୍ଷେପ ଯୋଗୁ ତାଙ୍କ ଗ୍ରାମର ଆଖପାଖ ଅଞ୍ଚଳରେ ଜଳାଭାବ ଦୂର ହୋଇପାରିଛି ।
ପରେ ବିଜୟା ପାୱାର ନାମକ ଜଣେ ମହିଳା ମୋଦିଙ୍କ ଟୁଇଟର ପରିଚାଳନା କରିଥିଲେ । ସେ ମହାରାଷ୍ଟ୍ରର ବଞ୍ଜାରା ସମ୍ପ୍ରଦାୟର ମହିଳା । କଠିନ ପରିଶ୍ରମ ଦ୍ୱାରା ସେ ବଞ୍ଜାରା କଳାକୁ ଜାତୀୟସ୍ତରରେ ପରିଚିତ କରାଇପାରିଛନ୍ତି । ସେ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କୁ ସ୍ୱରୋଜଗାରକ୍ଷମ କରାଇପାରିଛନ୍ତି । ଷଷ୍ଟ ମହିଳା ଭାବେ କାନପୁରର କଳାବତୀ ଦେବି ମୋଦିଙ୍କ ଟୁଇଟର ଆକାଉଣ୍ଟରେ ବିଭିନ୍ନ ବାର୍ତ୍ତା ଦେଇଥିଲେ । ପରିବେଶ ସ୍ୱଚ୍ଛତା ଦିଗରେ କଳାବତୀଙ୍କ ପ୍ରୟାସ ଅତୁଳନୀୟ । ସେ କିଭଳି ଭାବେ ନିଜର ଆଖପାଖ ଅଞ୍ଚଳର ସ୍ୱଚ୍ଛତା ଫେରାଇ ଆଣିଥିଲେ ଏବଂ ଶୌଚାଳୟ ବ୍ୟବହାର କରିବା ନିମନ୍ତେ ଲୋକଙ୍କୁ ପ୍ରେରିତ କରିଥିଲେ ଏହା ପ୍ରକାଶ କରିଥିଲେ । ସର୍ବଶେଷରେ ଛତୁ ଚାଷ ଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିଥିବା ବୀଣା ଦେବୀ ମୋଦିଙ୍କ ଟୁଇଟରରେ ଆସି ସଫଳତାର ବାର୍ତ୍ତା ଦେଇଥିଲେ । ରୋଜଗାରକ୍ଷମ ହେବା ନିମନ୍ତେ ସେ କିଭଳି ଛତୁ ଚାଷ ଆରମ୍ଭ କରିଥିଲେ ଏବେ ଉକ୍ତ ଚାଷ କିଭଳି ଭାବେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ତାହା ସେ ବର୍ଣ୍ଣନା କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଆଜି ବୀଣା ଦେବୀଙ୍କୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରିଥିଲେ ।
ଉଲ୍ଲେଖଯୋଗ୍ୟ, ସୋସିଆଲ ମିଡିଆରେ ମୋଦିଙ୍କର ବେଶ୍ ଲୋକପ୍ରିୟତା ରହିଛି । ତାଙ୍କର ଟୁଇଟରରେ ୫.୩ କୋଟି ଫଲୋୟର୍ସ, ଫେସବୁକରେ ୪.୪ କୋଟି ଫଲୋୟର୍ସ, ଇନ୍ଷ୍ଟାଗ୍ରାମରେ ୩.୫ କୋଟି ଫଲୋୟର୍ସ ଏବଂ ୟୁଟୁ୍ୟବରେ ୪୫ ଲକ୍ଷରୁ ଊଦ୍ଧ୍ୱର୍ ଫଲୋୟର୍ସ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons