ମୋଦି-ଟ୍ରମ୍ପ ଆଲୋଚନା:କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ବ୍ୟାରିଜ ସହରରେ ଅନୁଷ୍ଠିତ ଜି-୭ ଶିଖର ବୈଠକ ଅବସରରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ମଧ୍ୟ ମୁଖ୍ୟ ଫୋକସ୍ ଥିଲା ଜମ୍ମୁ-କାଶ୍ମୀର । କିନ୍ତୁ ଉଭୟ ନେତା ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ବୋଲି ସହମତ ହେବା ସହିତ ଏହାର ସମାଧାନ ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋସ ଆଲୋଚନା ଦ୍ୱାରା କରାଯିବ ବୋଲି ଏକମତ ହୋଇଛନ୍ତି ।ଟ୍ରମ୍ପଙ୍କ ସହିତ ଗଣମାଧ୍ୟମକୁ ସୂଚନା ଦେଇ ମୋଦି କହିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସବୁ ସମସ୍ୟା ହେଉଛି ଦ୍ୱିପାକ୍ଷିକ । ତେଣୁ ଏହି ସମସ୍ୟାରେ ଅନ୍ୟ କୌଣସି ଦେଶ ମଧ୍ୟସ୍ଥି ସାଜିବା କିମ୍ବା କଷ୍ଟ କରିବା ଭାରତ ଚାହୁଁନି । ୧୯୪୭ ମସିହା ପୂର୍ବରୁ ଭାରତ ଓ ପାକିସ୍ତାନ ଏକାଠି ଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ରହିଥିବା ସବୁ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି । କାଶ୍ମୀର ହେଉଛି ବାଣିଜ୍ୟ ଓ ଆଫଗାନିସ୍ତାନ ଭଳି ପ୍ରସଙ୍ଗ । ତେଣୁ ଉଭୟ ଦେଶର ନେତା ଏକାଠି ବସି ଏହାର ସମାଧାନ ବାଟ ବାହାର କରିବେ । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଟ୍ରମ୍ପ ମଧ୍ୟ ଦୃଢ଼ ସମର୍ଥନ ଜଣାଇଥିଲେ । କହିଥିଲେ ଉଭୟ ଦେଶ ଏକାଠି ସମସ୍ୟା ସମାଧାନ ଲାଗି ବହୁଦିନ ହେଲା ପ୍ରୟାସ କରିଆସୁଛନ୍ତି । ଆଗକୁ ମଧ୍ୟ ଏହ ଜାରି ରଖିବେ ଓ ସମାଧାନର ବାଟ ବାହାର କରିବେ । କାଶ୍ମୀର ପାଇଁ ମଧ୍ୟସ୍ଥତା କରିବେ କି ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ ସେ ଯେଉଁଠାରେ ଅଛନ୍ତି ଠିକ୍ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ତେଣୁ ସେ ଭାବୁଛନ୍ତି ଉଭୟ ନେତା ସେମାନଙ୍କ ସମସ୍ୟାର ସମାଧାନ କରିପାରିବେ । ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ପୂର୍ବରୁ ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କୌଣସି ମଧ୍ୟସ୍ଥତା କରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା ।ଉଭୟ ମୋଦି ଓ ଟ୍ରମ୍ପ ନିଜ ଦେଶ ପାଇଁ କରିଥିବା ଭଲ କାର୍ଯ୍ୟ ଲାଗି ପରସ୍ପରକୁ ପ୍ରଶଂସା କରିଥିଲେ । ମୋଦି କହିଲେ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର । ଭାରତ ଓ ଆମେରିକା ଲୋକତନ୍ତ୍ରକୁ ନେଇ ଆଗକୁ ବଢ଼ୁଛନ୍ତି । ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଦୁଇଦେଶ ସମ୍ପର୍କକୁ ଅଧିକ ମଜବୁତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଆମେରିକାରେ ଭାରତୀୟ ସମୁଦାୟଙ୍କୁ ଯେଉଁ ସମ୍ମାନ ମିଳିଛି ସେଥିପାଇଁ ସେ ଟ୍ରମ୍ପଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି । ଯେତେବେଳେ ସୁଯୋଗ ମିଳିଛୁ ଆମେ ଦୁଇନେତା ପରସ୍ପରକୁ ଭେଟୁଛୁ । ପାକିସ୍ତାନ ବିଷୟରେ ଉଲ୍ଲେଖ କରି ମୋଦି କହିଲେ ଯେ ସେଠାରେ ନିର୍ବାଚନ ପରେ ସେ ଇମ୍ରାନଙ୍କୁ ଫୋନ୍ କରିଥିଲେ । ଦୁଇଦେଶ ଦାରିଦ୍ର‌୍ୟ, ଅଶିକ୍ଷା, ରୋଗ ଓ ବିଭିନ୍ନ ସମସ୍ୟା ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଜି-୭ ସମ୍ମିଳନୀରେ କ’ଣ ହାସଲ କରିଛନ୍ତି ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ଟ୍ରମ୍ପ କହିଲେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୌଭାଗ୍ୟ ସେ ହାସଲ କରିଛନ୍ତି । ଦୁଇଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଅଧିକ ମଜବୁତ ହୋଇଛି, ତାହା ହିଁ ବଡକଥା । କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ସହ କଥା ହୋଇଛନ୍ତି । ସେଠାରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ମୋଦି ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଦୁଇନେତାଙ୍କ ମଧ୍ୟରେ ଆଲୋଚନା ବେଳେ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କୁ ଚିରାଚରିତ ଢ଼ଙ୍ଗରେ ନଜର ଆସିଥିବା ଦେଖିବାକୁ ମିଳିଥିଲା ବେଳେ ମୋଦିଙ୍କୁ ମଧ୍ୟ ସମାନ ଅନ୍ଦାଜରେ ଦେଖାଯାଇଥିଲା । ଉଭୟ ନେତା ପରସ୍ପର ହାତକୁ ଧରି ବେଶ୍ ହାଲକା ଫୁଲକା ଢ଼ଙ୍ଗରେ କଥା ହୋଇଥିଲେ । କୌତୁହଳରେ ଟ୍ରମ୍ପ କହିଥିଲେ ମୋଦି ଇଂରାଜୀରେ କହିପାରୁଛନ୍ତି । କିନ୍ତୁ ସେ ହିନ୍ଦୀରେ କହିପାରୁ ନାହାନ୍ତି । ସୂଚନାଯୋଗ୍ୟ ଯେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ତାକୁନେଇ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons