ଝରିଗାଁ,(ବି.ବି.ନୁ୍ୟଜ୍): ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଲା । ଗାଁ ରାସ୍ତାରେ ମୋରମ୍ ବିଛାଇ ସମତଳ କରାଗଲା । ଗ୍ରାମବାସୀ ବି ଏଥିରେ ସହଯୋଗ କଲେ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ରେଡିଓଗୁଡାରେ ମଙ୍ଗଳବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଚାରି ଶହ ମିଟର କାଦୁଅ ପଚପଚ ରାସ୍ତାରେ ମୋରମ ପକାଯାଇ ଖାଲଢିପ ସମତଳ କରାଯାଇଛି । ଲୋକଙ୍କ ସହଯୋଗରେ ଜେସିବି ଓ ଟ୍ରାକ୍ଟର ଲଗାଯାଇ ରାସ୍ତା ସମତଳ କରାଯାଇଛି ।
ସୂଚନା ଅନୁସାରେ, ଗାଁର ଏହି ରାସ୍ତା ମରାମତି ଅଭାବରୁ ଦୟନୀୟ ହୋଇ ପଡିଥିଲା । ରାସ୍ତାସାରା ଖାଲଢିପରେ ଭର୍ତ୍ତି ହୋଇଯାଇଥିଲା । ମୁଖ୍ୟ ରାସ୍ତାକୁ ଯିବାକୁ ଲୋକେ ବଡ କଷ୍ଟରେ ଏହି ୪ ଶହ ମିଟର ରାସ୍ତା ପାର୍ ହେଉଥିଲେ । ଜରୁରୀ ସମୟରେ ଗର୍ଭବତୀ ଅବା ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ନାନା ଅସୁବିଧା ଭୋଗୁଥିଲେ । ଗାଁର ବିଶିକେଶନ ସାନ୍ତା, ସମା ସାନ୍ତା, ଦୁର୍ଯ୍ୟ ସାନ୍ତା, ନୁରୁ ସାନ୍ତା, କୁମ ସାନ୍ତା ପ୍ରମୁଖ କହିଛନ୍ତି, ଖାଲଢିପ ଯୋଗୁ ବର୍ଷାଦିନେ ରାସ୍ତାରେ ଯିବାଆସିବା କରିବା କଷ୍ଟକର ହୋଇପଡିଥିଲା । ଏବେ ମାଟି ପଡି ସମତଳ ହେବାରୁ କିଛି ମାତ୍ରାରେ ଉପଶମ ମିଳିବ ।


Comments are closed, but trackbacks and pingbacks are open.