ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଆଉ ଦେଶ ଦେଖିଲା ନୂଆ ସୂର୍ୟ୍ୟୋଦୟ। ଆଜି ଏଭଳି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ତାଙ୍କୁ ମିଳିଲା। ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳେ ଫାଶି ଖୁଣ୍ଟରେ ଝୁଲା ଯାଇଛି। ସକାଳ ସାଢ଼େ ୫ଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି ଚାରି ଜଣଙ୍କୁ ଏକ ସଙ୍ଗେ ଫାଶି ଦିଆଯାଇଛି।
ଏହା ଯେ କେବଳ ନିର୍ଭୟାଙ୍କ ପାଇଁ ନୁହେଁ ଦେଶରେ ଥିବା ଅନ୍ୟ ସମସ୍ତ ଝିଅଙ୍କ ପାଇଁ ବି ଖୁସି ଖବର।
ଦୋଷୀମାନେ ଫାଶି ପାଇବା ପରେ ନିର୍ଭୟାଙ୍କ ମା’ ପ୍ରତିକ୍ରିୟା ରଖି କହିଛନ୍ତି, “ଆଜି ମୋ ଝିଅ ଦୁନିଆରେ ନାହିଁ ନା ସେ ଆଉ ଦୁନିଆକୁ ପୁଣିଥରେ ଆସିବ। ମୋ ଝିଅ ଦୁନିଆ ଛାଡ଼ି ଚାଲିଗଲା ପରେ ତାକୁ ନ୍ୟାୟ ଦେବାପାଇଁ ଏ ସଂଘର୍ଷ ମୁଁ ଆରମ୍ଭ କରିଥିଲି। ତେଣୁ କେଉଁଠି ନା କେଉଁଠି ଏହି ସଂଘର୍ଷ ଦେଶର ଝିଅମାନଙ୍କ ପାଇଁ ଓ ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଥିଲା। ଆଉ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମଧ୍ୟ ମିଳିଲା। ମୋ ଝିଅର ଆତ୍ମାକୁ ଏବେ ଶାନ୍ତି ମିଳିବ। ”
ସେ ଆହୁରି କହିଛନ୍ତି, “ବିଳମ୍ବରେ ହେଲେ ମଧ୍ୟ ଏହି ୪ ଦୋଷୀଙ୍କୁ ଶେଷରେ ଫାଶି ମିଳିଲା। ଫଳରେ ପୁଣିଥରେ ଆମର ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଅତୁଟ ରହିଲା। ”


Comments are closed, but trackbacks and pingbacks are open.