ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହସ୍ପିଟାଲକୁ ଆସୁଥିବା ସବୁ ରୋଗୀ ଉତ୍ତମ ସେବା ପାଇବେ । କେହି ଜଣେ ବି ନିରାଶ ହୋଇ ଫେରିବେନି । ଏଥିପାଇଁ ଚାଲିଛି ସରକାରଙ୍କ ମହତକାଂକ୍ଷୀ ଅଭିଯାନ ‘ମୋ ସରକାର’ । କିନ୍ତୁ ବିଡମ୍ବନା, ଖୋଦ୍ ଡାକ୍ତର ବାବୁ ‘ମୋ ସରକାର’କୁ ଉପହାସ କରୁଛନ୍ତି । କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି । ଲେବର ରୁମ୍ରୁ ଡାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଜର୍ଜରିତ ଜଣେ ଅନ୍ତଃସତ୍ତ୍ୱା ମହିଳା ହସ୍ପିଟାଲ ଫୁଟପାଥରେ ସନ୍ତାନ ପ୍ରସବ କରିଛନ୍ତି ।
ଶୁକ୍ରବାର ରାତି ପ୍ରାୟ ୮ଟା ବେଳକୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଲିଆ ସାହିରେ ରହୁଥିବା ପାନା ମୁର୍ମୁ ଆଜି ଗର୍ଭ ଯନ୍ତ୍ରଣା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଆସି ପହଞ୍ଚିଥିଲେ । ତାଙ୍କ ସହ ତାଙ୍କ ପରିବାର ଲୋକେ ଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତରଙ୍କୁ ଦେଖାଇବା ପରେ ଲେବର ରୁମ୍କୁ ଯାଇଥିଲେ । କିନ୍ତୁ ଡୁ୍ୟଟିରେ ଥିବା ଡାକ୍ତର ତାଙ୍କୁ ପ୍ରସବ କରାଇନଥିଲେ । କ୍ରିଟିକାଲ ଅଛି, ଏଠି ହେବନି । କଟକ ପଳାଅ ବୋଲି ଡାକ୍ତରଜଣକ କହିଥିଲେ । ସେପଟେ ପାନା ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେ ଯନ୍ତ୍ରଣା ସହ୍ୟ କରି ପାରୁନାହାନ୍ତି । ଏଣୁ ଡାକ୍ତର ତାଙ୍କୁ ପ୍ରସବ କରାଇବାକୁ ତାଙ୍କ ପରିବାର ଲୋକେ ନେହୁରା ହୋଇଥିଲେ ।
ତଥାପି ଡାକ୍ତରଜଣକ ସାମାନ୍ୟତମ ସମ୍ବେଦନଶୀଳତା ଦେଖାଇନଥିଲେ । ତାଙ୍କୁ ଲେବର ରୁମ୍ରୁ ବାହାର କରି ଦେଇଥିଲେ । କଟକ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ସେ କଷ୍ଟେମଷ୍ଟେ ଲେବର ରୁମ୍ରୁ ବାହାରି ହସ୍ପିଟାଲ ରାସ୍ତା କଡ଼ ଫୁଟପାଥ୍ରେ ବସି ପଡିÿଲେ । ମାତ୍ର କିଛି ସମୟ ଭିତରେ ସେ ଫୁଟପାଥ୍ ଉପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଖପାଖରେ ଥିବା ଲୋକେ ଏହାକୁ ଦେଖିବା ପରେ ତାଙ୍କ ପାଖକୁ ଆସି ଗଦା ହୋଇଥିଲେ । ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।
Comments are closed, but trackbacks and pingbacks are open.