
ମାଲକାନଗିରି,(ବି.ବି.ନୁ୍ୟଜ):ଜିଲ୍ଲାର ଚିର ଅବହେଳିତ ତଥା ମାଓପ୍ରବଣ ବିଚ୍ଛିନ୍ନାଞ୍ଚଳ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳ ପାଇଁ ଶହେ କୋଟିରୁ ଅଧିକ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସ୍ୱାଭିମାନ ଅଞ୍ଚଳ ଏବେ ବିକାଶ ପଥରେ ଆଗେଇ ଚାଲିଛି ବୋଲି ପ୍ରଶାସନିକ ଅଧିକାରୀମାନେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ଓଲଟା ରହିଛି । ଏସବୁ ସତ୍ତେ୍ୱ ସ୍ୱାଭିମାନ ଅଞ୍ଚଳର ଅନେକ ଗାଁ ଏବେ ବି ଅବହେଳିତ ହୋଇ ରହିଛି । ଧୂଳିପୁଟ ପଞ୍ଚାୟତ ଅମିବିରିଡା ଅଞ୍ଚଳର ୩୧ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବା ପରିତାପର ବିଷୟ ହୋଇଛି । ଏପରିସ୍ଥଳେ, ଅଞ୍ଚଳବାସୀ ଚିତ୍ରକୋଣ୍ଡା ତହସଲିଦାର ଓ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି ।
ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନିବିରିଡା ଗାଁରେ ଲୋକେ ସରକାରୀ ଯୋଜନାରୁ କୌଣସି ପ୍ରକାର ଫାଇଦା ପାଇପାରୁନାହାନ୍ତି । ବାରମ୍ବାର ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରସାଶନକୁ ଜଣାଇଲେ ବି ସୁଫଳ ମିଳୁନି । ଏପରିସ୍ଥଳେ, ଶୁକ୍ରବାର ଆଦିବାସୀ ଲୋକମାନେ ଜଳ ପଥରେ ଲୋକେ ବହୁଦୂର ଯାତ୍ରାକରି ଚିତ୍ରକୋଣ୍ଡା ଆସି ତହସିଲଦାର, ବିଡିଓଙ୍କୁ ଭେଟି ସେମାନଙ୍କ ଗାଁର ସମସ୍ୟା ଜଣାଇଛନ୍ତି । ବିଚ୍ଛିନ୍ନାଞ୍ଚଳକୁ ସଡକ ପଥରେ ସଂଯୋଗ ନିମନ୍ତେ ଗୁରୁପ୍ରିୟା ସେତୁ ନିର୍ମାଣ କରି ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ହେଁ ଏବେ ବି ଅନେକ ପଞ୍ଚାୟତର ଲୋକେ ବାହାର ଦୁନିଆ ସହ ଯୋଗାଯୋଗ ରକ୍ଷା କରିପାରୁନାହାନ୍ତି । ଧୂଳିପୁଟ ପଞ୍ଚାୟତର ଅମିବିରିଡା ଗାଁରେ ପାଖାପାଖି ୩୧ ରୁ ଅଧିକ ପରିବାର ଏଥିରେ ପେଷି ହେଉଛନ୍ତି । ଦୀର୍ଘ ସାତ ଦଶନ୍ଧି ଧରି ଏମାନେ ଜଙ୍ଗଲ ସଫାକରି ବସତି ସ୍ଥାପନ କରି ରହିଛନ୍ତି । ରାଜ୍ୟ ସରକାର ଅବା ଜିଲ୍ଲା ପ୍ରଶାସନ ଏହି ଗ୍ରାମପ୍ରତି ଗୁରୁତ୍ୱ ଦେଉ ନଥିବା ଜଣାପଡିଛି । ଗ୍ରାମର ୯୦ ପ୍ରତିଶତ ଲୋକ ଓଡିଆ ଭାଷା ବଦଳରେ ତେଲୁଗୁ ଭାଷା କହୁଛନ୍ତି । ଆନ୍ଧ୍ରପ୍ରଦେଶର ଚାଲିଚଳଣିକୁ ଆପଣେଇ ନେଇଛନ୍ତି । ଆନ୍ଧ୍ରର ଜନ୍ତୁରାଇଠାରୁ ମାତ୍ର ଦେଢଶହ ମିଟର ଦୂରରେ ଏହି ଅବହେଳିତି ଅନିବିରାଡା ଗ୍ରାମ ରହିଛି । ଗାଁକୁ ମାଟି ଅବା ପକ୍କା ରାସ୍ତାଟିଏ ନାହିଁ । ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ଶୂନ ହୋଇ ରହିଛି । ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକେ ଚୁଆର ଗୋଳିଆ ପାଣି ପିଉଛନ୍ତି । ପିଲାଙ୍କ ପାଠ ପଢା ପାଇଁ ବିଦ୍ୟାଳୟ କି ଅଙ୍ଗନବାଡି ନାହିଁ । କିଛି ପିଲା ଆନ୍ଧ୍ରକୁ ପାଠ ପଢିବାକୁ ଯାଉଛନ୍ତି । ଅନ୍ୟମାନେ ଗୋରୁ ଚରାଇବା ସହ କୁଲି ମଜୁରି ଲାଗୁଛନ୍ତି । ତୁରନ୍ତ ଏହି ଗ୍ରାମପ୍ରତି ଗୁରୁତ୍ୱ ଦେଇ ମୌଳିକ ସମସ୍ୟା ସମାଧନ କରିବାକୁ ଲୋକେ ଚିତ୍ରକୋଣ୍ଡା ତହସଲିଦାର ଓ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି ।


Comments are closed, but trackbacks and pingbacks are open.