ମୟୂରଭଞ୍ଜର ଏସ୍ଓଜି ଯବାନ ସୁଧୀର ସହିଦ୍

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): କନ୍ଧମାଳ-କଳାହାଣ୍ଡି ସୀମାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ବୁଧବାର ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ଏସ୍ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ବାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ଯବାନଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର ଏବଂ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ସୁଧୀର ଟୁଡୁ ବୋଲି ସୂଚନା ମିଳିଛି । ସହିଦ୍ ସୁଧୀରଙ୍କ ଘର ଶୁଳିଆପଦା ବ୍ଲକ୍ର ବାଘଡ଼ାସ୍ଥିତ ସାନଭଦୁଆଶୋଳ ଗାଁରେ । ମାଓ ଅପରେସନ ସମୟରେ ସୁଧୀର ସହିଦ୍ ହୋଇଥିବା ନେଇ ଖବର ମିଳିବା ପରେ ସୁଧୀରଙ୍କ ଗାଁ ସମେତ ସମଗ୍ର ଜିଲ୍ଲାରେ ଶୋକ ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ମଦନପୁର ରାମପୁର, କୋଟଗଡ଼ ମଧ୍ୟବର୍ତ୍ତୀ ଅଞ୍ଚଳ ତଥା ଭଣ୍ଡରଙ୍ଗି ସିକିଂ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ସଙ୍ଗେସଙ୍ଗେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଅପରେସନରେ ଏକ ୟୁନିଟ୍ ଏସ୍ଓଜି(ସ୍ପେଶାଲ ଅପରେସନ ଗ୍ରୁପ୍) ଗୋଟିଏ ୟୁନିଟ୍ ଡିଭିଏଫ୍(ଡିଷ୍ଟ୍ରିକ୍ଟ ଭଲୁ୍ୟଣ୍ଟାରୀ ଫୋର୍ସ) ସାମିଲ ଥିଲେ । ଏହି ଏସ୍ଓଜି ଯବାନଙ୍କ ମଧ୍ୟରେ ମୟୂରଭଞ୍ଜର ଲଢ଼ୁଆ ପୁଅ ସୁଧୀର ମଧ୍ୟ ସାମିଲ ଥିଲେ । ତେବେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସୁଧୀର ଗୁରୁତର ଆହତ ହୋଇ ଶେଷରେ ବୀରଗତି ପ୍ରାପ୍ତ ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାର ବୀର ପୁଅ ମାଓବାଦୀଙ୍କ ଗୁଳିରେ ସହିଦ୍ ହୋଇଥିବା ନେଇ ମୟୂରଭଞ୍ଜ ପୁଲିସ ପ୍ରଶାସନକୁ ଖବର ମିଳିବା ପରେ ଶୁଳିଆପଦା ପୁଲିସ ଗୁରୁବାର ସକାଳେ ସହିଦ୍ ସୁଧୀରଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଜଣାଇଥିଲେ । ପୁଲିସ ସୁଧୀରଙ୍କ ସମ୍ପର୍କରେ ଖବର ଦେବା ପରେ ଗାଁରେ ଶୋକର ବାଦଲ ଖେଳିଯାଇଥିଲା । ପୂର୍ବରୁ ସୁଧୀରଙ୍କ ବାପା କୁନ୍ଦିଆ ଟୁଡୁଙ୍କ ଦେହାନ୍ତ ହୋଇଥିବା ବେଳେ ପୁଅକୁ ହରାଇ ତାଙ୍କ ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।
ସୁଧୀର ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ତାଙ୍କର ମା’ଙ୍କ କଥା ବୁଝିବା ସହ ସାନଭାଇ ଓ ଦାଦାଙ୍କ ପରିବାର କଥା ମଧ୍ୟ ବୁଝାସୁଝା କରୁଥିଲେ । ଶୁଳିଆପଦାରେ ଜୁନ୍ ମାସରେ ଭୟଙ୍କର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କୋଭିଡ୍ ସ୍ଥିତି ପରଖିବାକୁ ଏବଂ ପରିବାରକୁ ଭେଟିବାକୁ ଗତ ରଜ ସମୟରେ ସେ ଗାଁକୁ ଆସିଥିଲେ । ପୁଣି ଦୁର୍ଗାପୂଜାରେ ଆସିବେ ବୋଲି କଥା ଦେଇଥିଲେ ସୁଧୀର । ମାତ୍ର ଦୁର୍ଗାପୂଜା ଆଗରୁ ସେ ସହିଦ୍ ହୋଇ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ । ସହିଦ୍ଙ୍କ ପରିବାର ଏବେ ଏକମାତ୍ର ସୁନାପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି । ପୁଲିସ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଉଛି । ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦାମ ଚରଣ ସାହୁ ସହିଦ୍ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ଶୁଳିଆପଦା ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସହିଦ୍ଙ୍କ ପରିବାର ଲୋକଙ୍କ ସହ ରହି ସହିଦ୍ ସୁଧୀରଙ୍କ ଶେଷକୃତ୍ୟ କିଭଳି ସମ୍ପନ୍ନ ହେବ ସେନେଇ ବ୍ୟବସ୍ଥା କରୁଥିଲେ ।
ସୂଚନା ମୁତାବକ ସହିଦ୍ ସୁଧୀରଙ୍କ ମରଶରୀର କଳାହାଣ୍ଡିରୁ ଅପରାହ୍ନ ୨ଟା ୪୫ରେ ବାହାରିଥିବାବେଳେ ଗୁରୁବାର ଭୋର୍ରୁ ପହଞ୍ଚିବ ବୋଲି ଆଶା କରାଯାଉଛି । ମରଶରୀର ସହିଦ୍ଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ତୋପ ସଲାମୀ ଦିଆଯାଇ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହେବ । ସରକାରଙ୍କ ପକ୍ଷରୁ ୧୬ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ଶୁକ୍ରବାର ତାଙ୍କ ପରିବାରକୁ ଦିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons