ଯନ୍ତ୍ରଣାରେ ଛଟପଟ ବୃଦ୍ଧ

Get real time updates directly on you device, subscribe now.

ପଡିଆ,(ବି.ବି.ନୁ୍ୟଜ):ଦାଦନ ଖଟି ଦି ପଇସା ରୋଜଗାର କରିବାକୁ ଯାଇଥିଲେ ଆନ୍ଧ୍ର । କିନ୍ତୁ ମୋଟର ସାଇକେଲ ଦୁର୍ଘଟଣାରେ ଭାଙ୍ଗିଗଲା ଗୋଡ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ବୃଦ୍ଧ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦରମହକୁମାରୁ ମାତ୍ର ୨ କିମି ଦୂର କମାରଗୁଡା ଗାଁରେ । ବୃଦ୍ଧ ହେଲେ ଗାଁର ଦୁଲା ସ୍ୱୟମ(୬୫) । ଦେଶୀ ଚିକିତ୍ସା ଭରସାରେ ଦୁଲା ଘରେ ପଡି ରହିଛନ୍ତି ।
ସୂଚନା ଅନୁସାରେ, ଦୁଲାଙ୍କ ପରିବାର କହିଲେ କେହି ନାହାନ୍ତି । ସ୍ତ୍ରୀ ପଦିଏଙ୍କର ଦୀର୍ଘ ବର୍ଷରୁ ମୃତୁ୍ୟ ହୋଇଛି । ଗୋଟିଏ ବୋଲି ଝିଅକୁ ନିଜ ଗାଁରେ ବିବାହ ଦେଇଛନ୍ତି । ଘରେ ଏକୁଟିଆ ରହୁଥିବା ବେଳେ ଝିଅ କେତେବେଳେ କେମିତି ଆସି କାମରେ ସାହାଯ୍ୟ କରୁଛନ୍ତି । ଗତ ଚାରି ସପ୍ତାହ ତଳେ ଦୁଲା ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିଲେ । ସେଠାରେ ଜଣେ ଚାଷୀଙ୍କ ପାଖରେ ରହି ଲଙ୍କା ତୋଳା କାମ ତାଙ୍କୁ ମିଳିଥିଲା । କିନ୍ତୁ ର୍ଦୁଭାଗ୍ୟରୁ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ କେହି ଅଜଣା ବ୍ୟକ୍ତି ତାଙ୍କୁ ମୋଟର ସାଇକେଲ୍ ଧକ୍କା ଦେଇ ଚାଲି ଯାଇଥିଲେ । ଏଥିରେ ଦୁଲାଙ୍କର ଗୋଡ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ଉଦ୍ଧାର କରି ଘରକୁ ପଠାଇ ଦେଇଥିଲେ । ଦୁଲା ଘରେ ପହଞ୍ଚି ଥିଲେ ହେଁ ପାଖରେ ଟଙ୍କା ପଇସା ନଥିବାରୁ ଡାକ୍ତର ଦେଖାଇ ପାରି ନଥିଲେ । ଘରେ ରହି ଦେଶୀ ବ୍ୟବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘରେ ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ଦୁଲାଙ୍କ ପ୍ରତି କାହାର ଦୃଷ୍ଟି ପଡୁ ନଥିବା ପରିତାପର ବିଷୟ ହୋଇଛି । ଅଙ୍ଗନବାଡି କର୍ମୀ, ଆଶା ଅବା ସ୍ୱାସ୍ଥ୍ୟକର୍ମୀଙ୍କ ଦୃଷ୍ଟି ମଧ୍ୟ ଏହି ବୃଦ୍ଧଙ୍କ ପ୍ରତି ନପଡିବା ଦୁଃଖର ବିଷୟ ବୋଲି ଗାଁ ଲୋକେ କହିଛନ୍ତି । ସହାୟତା ପାଇଁ ପ୍ରଶାସନ ହାତ ବଢାଇଲେ ଦୁଲା କଷ୍ଟରୁ ମୁକ୍ତ ପାଇପାରନ୍ତେ ବୋଲି ଗାଁ ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons