କୋରାପୁଟ,(ବି.ବି.ନୁ୍ୟଜ୍): ବୋରିଗୁମ୍ମାରେ ଆଲୋଡ଼ନ । ଉଦ୍ଧାର ହୋଇଛି ନିଖୋଜ ବ୍ଲକ ଗ୍ରାମ୍ୟ ଜଳଯେଗାଣ ଓ ପରିମଳ ବିଭାଗ କନିÂ ଯନ୍ତ୍ରୀ ଏମ. ଭେଙ୍କଟରାଓଙ୍କ ମୃତଦେହ । ମଙ୍ଗଳବାର ମଧ୍ୟାହ୍ନରେ ବିସିଂପୁର ଥାନା ହରିଡ଼ାଗୁଡ଼ା ନିକଟ ମୂଷାମାଟି ଜଙ୍ଗଲରୁ ମିଳିଛି ଶବ । ପାନୀୟ ଜଳଯୋଗାଣ ପ୍ରକଳ୍ପ ସର୍ଭେ କରିବାକୁ ଗତ ସୋମବାର ଦିନ ସହକର୍ମୀମାନଙ୍କ ସହ ହରିଡ଼ାଗୁଡ଼ା ଯାଇଥିବା ବେଳେ କେଉଁଆଡେ଼ ନିଖୋଜ ହୋଇ ଯାଇଥିଲେ ଶ୍ରୀ ଭେଙ୍କଟରାଓ । ଶବ ମିଳିବା ପରେ ଏସ୍ପିଙ୍କ ତତ୍ତ୍ୱାବଧାନରେ ଚାଲିଛି ଘଟଣାର ତନାଘନା । ମୃତ ଯନ୍ତ୍ରୀଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଯେଉଁ କର୍ମଚାରୀମାନେ ଯନ୍ତ୍ରୀଙ୍କ ସହିତ ଯାଇଥିଲେ, ସେମାନଙ୍କ କାର୍ଯ୍ୟକଳାପକୁ ସନେ୍ଦହ ଦୃଷ୍ଟିରେ ଦେଖିଛନ୍ତି ପତ୍ନୀ ସଂଘମିତ୍ରା ପାତ୍ର ।
କନିÂ ଯନ୍ତ୍ରୀ ଶ୍ରୀ ଭେଙ୍କଟରାଓ ଗତ ସୋମବାର ଦିନ ଜୟପୁରର ସହକାରୀ ଯନ୍ତ୍ରୀ ହରି ନାରାୟଣ ରଥ, କନିÂ ଯନ୍ତ୍ରୀ ନିରାକାର ବିଶୋୟୀ ଏବଂ ଅନ୍ୟ ଦୁଇଜଣ ଠିକାଦାରଙ୍କ ସହ ପାନୀୟ ଜଳଯେଗାଣ ପ୍ରକଳ୍ପ ସର୍ଭେ ପାଇଁ ହରିଡ଼ାଗୁଡ଼ା ଯାଇଥିଲେ । ସେଠାରେ ପାହାଡ଼ ଉପରେ ସର୍ଭେ କରୁଥିଲେ । ସର୍ଭେ ସାରି ଅନ୍ୟମାନଙ୍କ ସହ ଜଙ୍ଗଲିଆ ରାସ୍ତାରେ ଫେରୁଥିଲେ । ହଠାତ୍ କୁଆଡେ ଯନ୍ତ୍ରୀ ଭେଙ୍କଟରାଓ ନିଖୋଜ ହୋଇଯାଇଥିଲେ । ଅନ୍ୟ କର୍ମଚାରୀ ଓ ହରିଡ଼ାଗୁଡ଼ା ଗାଁ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନଥିଲା । ଶେଷରେ ସହକାରୀ ଯନ୍ତ୍ରୀ ହରିନାରାୟଣ ରଥ ବିସିଂପୁର ଥାନାରେ ଶ୍ରୀ ରାଓ ନିଖୋଜ ଥିବା ସଂପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିସିଂପୁର ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା । କିନ୍ତୁ ରାତି ହୋଇଯିବାରୁ ପତ୍ତା ପାଇ ନଥିଲା । ଆଜି ସକାଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା । ଏସ୍ପି ମୁକେଶ କୁମାର ଭାମୋ, ବୋରିଗୁମ୍ମା ଏସ୍ଡ଼ିପିଓ ହରେକୃଷ୍ଣ ମାଝି, ଜୟପୁର ଏସ୍ଡିପିଓ ଜି. ବରୁଣ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରିଥିଲେ । ବୋରିଗୁମ୍ମା ଓ ବିସିଂପୁର ପୁଲିସ ସହ ଗୋଟିଏ ପ୍ଲାଟୁନ ଡିଭିଏଫ୍କୁ ଏଥିରେ ସାମିଲ କରାଯାଇଥିଲା । ବହୁ ସମୟ ଧରି ଖୋଜାଖୋଜି ପରେ ମୂଷାମାଟି ଜଙ୍ଗଲରୁ ଯନ୍ତ୍ରୀଙ୍କ ମୃତଦେହ ମିଳିଥିଲା । ଜଙ୍ଗଲି ରାସ୍ତାର ଏକ ପାହାଡ଼ ତଳୁ ଶବ ମିଳିଥିଲା ।
କେଉଁ ପରିସ୍ଥିତିରେ ଯନ୍ତ୍ରୀଙ୍କ ମୃତୁ୍ୟ ହେଲା, ତାଙ୍କ ସହିତ ଅନ୍ୟ କେତେଜଣ କର୍ମଚାରୀ ଯାଇଥିଲେ ଓ ସେମାନେ କେତେ ଦୂରତାରେ ରହିଥିଲେ, ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍ । ଯନ୍ତ୍ରୀଙ୍କୁ ପଛରେ ଛାଡ଼ି ଅନ୍ୟମାନେ କିଭଳି ଏତେ ଆଗକୁ ଯାଇଥିଲେ ଏବଂ କେତେ ସମୟ ପରେ ତାଙ୍କ ନିଖୋଜ ସଂପର୍କରେ ସେମାନେ ଜାଣିବାକୁ ପାଇଥିଲେ, ସେସବୁକୁ ତଦନ୍ତ ପରିସରକୁ ନିଆଯାଇଥିବା ବୋରିଗୁମ୍ମା ଏସଡିପିଓ ଶ୍ରୀ ମାଝି କହିଛନ୍ତି । ଏ ସଂପର୍କରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ତଦନ୍ତ ଜାରି ରହିଥିବା ବି.ସିଂପୁର ଥାନା ଓଆଇସି ସୁଦର୍ଶନ ନାୟକ କହିଛନ୍ତି । ଅନ୍ୟପକ୍ଷରେ ମୃତ ଯନ୍ତ୍ରୀଙ୍କ ସ୍ତ୍ରୀ ସଂଘମିତ୍ରା କହିଛନ୍ତି, ଗତ ସୋମବାର ଦିନ ତାଙ୍କ ସ୍ୱାମୀ ବୋରିଗୁମ୍ମା ସରକାରୀ କ୍ୱାର୍ଟରରୁ ବାଇକ୍ ଧରି କାର୍ଯ୍ୟାଳୟ ଯାଇଥିଲେ । ଯିବା ବେଳେ ହରିଡ଼ାଗୁଡ଼ା ଯାଉଥିବା କହିଥିଲେ । ବାଇକ୍ରେ ଏତେବାଟ କାହିଁକି ଯିବ ବୋଲି ସେ ପଚାରିଥିଲେ । ବାଇକ୍ ନୁହେଁ, ଅଫିସ୍ ଷ୍ଟାଫଙ୍କ ସହ ବୋଲେରୋ ଗାଡ଼ିରେ ଯିବେ ବୋଲି ଉତ୍ତର ଦେଇଥିଲେ । ଗଲାବେଳେ ଚାପରେ ଥିବାଭଳି ଲାଗୁଥିଲେ । ମାସେ ହେଲା ତାଙ୍କ ଦରମା ମିଳିନଥିଲା । ଉଚ୍ଚ ରକ୍ତଚାପ ଏବଂ ସୁଗର ପାଇଁ ଔଷଧ ଖାଉଥିଲେ । କାର୍ଯ୍ୟାଳୟରୁ ସକାଳ ପ୍ରାୟ ୯ଟା ବେଳେ ବୋଲେରୋରେ ହରିଡ଼ାଗୁଡ଼ା ଯାଇଥିଲେ । ହରିଡ଼ାଗୁଡ଼ା ଛକରେ ଗାଡ଼ି ରଖି ଫିଲ୍ଡ ସର୍ଭେ ପାଇଁ ଅନ୍ୟମାନଙ୍କ ସହ ଚାଲିଚାଲି ଯାଇଥିଲେ । କେଉଁଭଳି ପରିସ୍ଥିତିରେ ତାଙ୍କ ମୃତୁ୍ୟ ହେଲା, ସଂପୂର୍ଣ୍ଣ ସନେ୍ଦହ ଘେରରେ ରହିଛି । ପୁଲିସ୍ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.