ଯାଜପୁର,(ବି.ବି.ନୁ୍ୟଜ୍): କୋଲକାତା ଫେରନ୍ତାଙ୍କୁ ନେଇ ଯାଜପୁର ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଯାଇଛି । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଯେଉଁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୭ଜଣ କୋଲକାତାରୁ ଫେରିଥିବା ବେଳେ ୪ଜଣ ସେମାନଙ୍କ ସଂପର୍କୀୟ । ଯାଜପୁର ବ୍ଲକରେ ସର୍ବାଧିକ ୭ଜଣ ଏବଂ ଦଶରଥପୁର ବ୍ଲକର ୩, କୋରେଇ ଓ ରସୁଲପୁର ବ୍ଲକରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୮୬୧ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସଂକ୍ରମଣ ରୋକିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସଂକ୍ରମିତ ବ୍ୟକ୍ତିଙ୍କ ଅଞ୍ଚଳ ୨୩ଟି ଗ୍ରାମକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ରଖାଯାଇଛି । ତାହା ବଳବତ୍ତର ଥିବା ବେଳେ ଅଧିକ ସଂକ୍ରମଣର ଆଶଙ୍କା ଥିବାରୁ ଜିଲ୍ଲାରେ ଗୁରୁବାର ରାତି ୧୦ଟାରୁ ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ୬୦ଘଣ୍ଟା ପାଇଁ ସରକାର ସଟ୍ ଡାଉନ୍ ଘୋଷଣା କରିଛନ୍ତି ।
ଶୁକ୍ରବାର ସଟ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ନିର୍ଦ୍ଧିଷ୍ଟ କିଛି ଔଷଧ ଦୋକାନ ଖୋଲା ରହିଛି । କେହି ଘରୁ ବାହାରି ନଥିଲେ । ସାରା ଜିଲ୍ଲା ଶୂନଶାନ ଥିଲା । ଜାତୀୟ ରାଜପଥରେ କେବଳ ମାଲବାହୀ ଗାଡ଼ି ଗୁଡ଼ିକ ଯାତାୟାତ କରିଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଜଗି ରହିବା ସହିତ ଗାଡ଼ି ଯାଞ୍ଚ କରିଥିଲେ । ବିଶେଷ କରି ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ବ୍ରଜନଗର ଓ ଛତିଆ ନିକଟରେ ପୁଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।
ଉଲ୍ଲେଖଯାଗ୍ୟ, ଗତ ୩ ତାରିଖରେ ରସୁଲପୁର ବ୍ଲକ୍ ବ୍ରହ୍ମବରଦାରେ ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ପରେ ତତ୍କ୍ଷଣାତ ବ୍ରହ୍ମବରଦା ସମେତ ଆଖପାଖ ୧୨ଟି ଗ୍ରାମକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଘୋଷଣା କରାଯାଇଥିଲା । ଇତି ମଧ୍ୟରେ ବ୍ରହ୍ମବରଦାର ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୧୩ ତାରିଖରେ ଯାଜପୁର ବ୍ଲକ୍ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର କୋଲକାତା ଫେରନ୍ତା ଜଣେ ବୟସ୍କ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୦ ତାରିଖରେ ପୁଣି ୫ ଜଣ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଦଶରଥପୁର ବ୍ଲକ ବିରଜାପୁର ଓ କୋରେଇ ବ୍ଲକ ମୁକୁନ୍ଦପୁରର ଜଣେ ଲେଖାଏଁ ଥିଲେ । ଅନ୍ୟ ୩ଜଣ ଯାଜପୁର ବ୍ଲକ ବାସୁଦେବପୁର ଜାଲପୁର ଗ୍ରାମର ୨ଜଣ ଓ ପଣସା ପଞ୍ଚାୟତ ବେହେରା ପାଟଣାର ଜଣେ । ଗତ ୨୨ ତାରିଖ ବୁଧବାର ଦିନ ଜିଲ୍ଲାର ଦଶରଥପୁର ବ୍ଲକ୍ ଅକରପଡ଼ା ପଞ୍ଚାୟତର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି ଅର୍ଥାତ ଗୁରୁବାର ଅପରାହ୍ଣରେ ଜିଲ୍ଲାର ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମର ୩ଜଣ ଓ ଦଶରଥପୁର ବ୍ଲକ୍ ବିରଜପୁର ଗ୍ରାମର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗୁରୁବାର ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି କୋଲକାତାରୁ ଫେରିଥିବା ଆକ୍ରନ୍ତଙ୍କ ସଂପର୍କୀୟ ।
ଦଶରଥପୁର ବ୍ଲକ୍ର ୧୨ଟି ଗ୍ରାମରେ ୨୦୬୧ଟି ପରିବାରର ୮,୬୦୨ଜଣ, ଯାଜପୁର ବ୍ଲକ୍ର ୮ଟି ଗ୍ରାମରେ ୧୧ଶହ ପରିବାରର ୫୩୦୦ ଜଣ, କୋରେଇ ବ୍ଲକ୍ର ୩ଟି ଗ୍ରାମର ୮୪୦ପରିବାରର ୪୬୨୪ଜଣ ବ୍ୟକ୍ତି ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ଅଛନ୍ତି । ପ୍ରଶାସନ ପକ୍ଷରୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ରହିଥିବା ବ୍ୟକ୍ତିମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଉଥିବା କହିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।
Comments are closed, but trackbacks and pingbacks are open.