ଯାଜପୁର, (ବି.ବି.ନୁ୍ୟଜ୍): କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କରି ଚଳିତ ବର୍ଷର ମହା ବାରୁଣୀ ମେଳାକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଚଳିତ ମାସ ୨୧ ତାରିଖରେ ଯାଜପୁରଠାରେ ହେବାକୁ ଥିବା ମହା ବାରୁଣୀ ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହେବାର ସମ୍ଭାବନା ରହିଛି । ତେବେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଜନସମାଗମ ଉପରେ ସରକାର କଟକଣା ଜାରି କରିଥିବାରୁ ଚଳିତ ବର୍ଷ ବାରୁଣୀ ମେଳାକୁ ବନ୍ଦ ରଖାଗଲା ବୋଲି ଆଜି ଜିଲ୍ଲାପାଳ (ଭାରାପ୍ରାପ୍ତ) ଇନ୍ଦ୍ରମଣି ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ସମଗ୍ର ଜିଲ୍ଲାରେ ଫୌଜଦାରୀ କାର୍ଯ୍ୟ ବିଧି ସଂହିତା ଧାରା-୧୪୪କୁ ଜିଲ୍ଲା ପ୍ରଶାସନ ଜାରି କରି କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ସର୍ବସାଧାରଣ ସ୍ଥଳରେ ଏକାଠି ହୋଇପାରିବେ ନାହିଁ ବୋଲି ଘୋଷଣା କରାଯାଇଛି ।
ଚଳିତ ବର୍ଷ ମହା ବାରୁଣୀ ସ୍ନାନ ଯୋଗ ପଡ଼ିଥିବାରୁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯାଜପୁରସ୍ଥିତ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ସ୍ନାନ ନିମନ୍ତେ ଠୁଳ ହେବାର ସମ୍ଭାବନା ରହିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଯାଜପୁରର ବୈତରଣୀ କୂଳରେ ଏକାଠି ହେଲେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ପ୍ରଶାସନ ମହା ବାରୁଣୀ ମେଳା ଓ ସ୍ନାନ ଉପରେ କଟକଣା ଜାରି କରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳରୁ ଯାଜପୁରକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ବସ୍ ଗୁଡ଼ିକୁ ଯାଜପୁରର ବିଭିନ୍ନ ତୀର୍ଥସ୍ଥଳ ଓ ପର୍ଯ୍ୟଟନ କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ ।
ସେହିପରି ଯାଜପୁରର ଅଧିÂାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ପୂଜା ପ୍ରକ୍ରିୟାରେ ମନ୍ଦିର ପ୍ରଶାସନ କଟକଣା ଜାରି କରିଛି । ବିରଜା ମନ୍ଦିର ପରିସରକୁ ରାଜ୍ୟ ବାହାରର ତୀର୍ଥଯାତ୍ରୀଙ୍କ ପ୍ରବେଶକୁ ବାରଣ କରାଯାଇଛି । ମନ୍ଦିର ପରିସରରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ବିରଜା ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି । ମନ୍ଦିର ମଧ୍ୟରେ ସେବାୟତମାନେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସଚେତନ ହେବା ପାଇଁ ବ୍ୟବସ୍ଥା କରା ଯାଇଛି । ରତ୍ନଗିରି, ଉଦୟଗିରି, କାଏମା ବୌଦ୍ଧ କୀର୍ତ୍ତିସ୍ଥଳ, ଛତିଆ ବଟ, ଅଶୋକ ଝର, କୁସୁମା ପୁଷ୍କରିଣୀ, ବରାହ କ୍ଷେତ୍ର, ମହାବିନାୟକ ମନ୍ଦିର, ବରୁଣେଶ୍ୱର ସମେତ ଜିଲ୍ଲାର ୨୦ଟି ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସକ କଟକଣା ଜାରି କରିଛି ।


Comments are closed, but trackbacks and pingbacks are open.