ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ମାତୃଭାଷା ଓଡ଼ିଆ ପରୀକ୍ଷା ସହିତ କଳା/ବାଣିଜ୍ୟ ଓ ବିଜ୍ଞାନର ଅଲଟରନେଟିଭ୍ ଇଂରାଜୀ ପରୀକ୍ଷା ଥିଲା । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟାରେ ସରିଥିଲା । ରାଜ୍ୟର ପ୍ରାୟ ସ୍ଥାନରେ ପରୀକ୍ଷା ସୁରୁଖୁରୁରେ ସରିଥିବା ବେଳେ ଚିଲିକାରେ ଡଙ୍ଗାରେ ପରୀକ୍ଷା ଦେବାକୁ ଆସିଥିବା ୨୨ ଛାତ୍ରଛାତ୍ରୀ ଡଙ୍ଗା ଖରାପ ହୋଇଥିବାରୁ ବିଳମ୍ବରେ ପହଞ୍ଚିଥିଲେ । ଖବର ପାଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେବା ପରେ ସେହି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା । ସେହିପରି ସମ୍ବଲପୁରରେ ଏକ ଜାଲି କଲେଜରେ ନାମ ଲେଖି ପାଖାପାଖି ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଅପରପକ୍ଷେ ଆଜି କପି କରି ୪୧ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ. ପି.କେ ଦାଶ ସୂଚନା ଦେଇଛନ୍ତି ।
ବୁଧବାର କଳାରେ ପାଖାପାଖି ୨ଲକ୍ଷ ୨୦ହଜାର ଓ ବାଣିଜ୍ୟରେ ୨୫ହଜାର ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଥିବା ବେଳେ କଳା, ବାଣିଜ୍ୟ ଓ ବିଜ୍ଞାନର ମାତୃଭାଷା ଅଲଟରନେଟିଭ୍ ଇଂରାଜୀ ରଖିଥିବା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଅଞ୍ଚଳର ଛାତ୍ରଛାତ୍ରୀ ସକାଳ ୮ଟାରେ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ମୋଟର୍ ଡଙ୍ଗାରେ ବାହାରିଥିଲେ । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା । ସେହି ଡଙ୍ଗାରେ ରହିଥିଲେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ୨୨ଜଣ ପରୀକ୍ଷାର୍ଥୀ । ଆରକୂଳରେ ଥିବା ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଉଥିଲେ । କୂଳ ଛାଡ଼ିବା ବେଳେ ସବୁ ଠିକ୍ ଥିଲା । ହେଲେ ୫ ମିନିଟ୍ ପରେ ମହିସାକୁଦରେ ଡଙ୍ଗା ଅଚଳ ହୋଇ ଯାଇଥିଲା । ମଝି ଦରିଆରେ ଅଟକି ରହିଥିଲେ ପରୀକ୍ଷାର୍ଥୀ । ଆଉ ଏକ ଡଙ୍ଗା ଆସି ମଝି ଦରିଆରୁ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଥିଲା । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଖବର ପାଇ ମନ୍ତ୍ରୀ ଶ୍ରୀ ଦାଶ ତୁରନ୍ତ ପଦକ୍ଷେପ ନେଇଥିଲେ । ବିଳମ୍ବରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ କହିଥିଲେ । ପରୀକ୍ଷାର୍ଥୀ ରତିକାନ୍ତ ପ୍ରଧାନ ଓ ଅକାଶ ପ୍ରଧାନ ପ୍ରମୁଖ ପରୀକ୍ଷା ସମୟରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିଦିନ ଡଙ୍ଗା ପାରି ହୋଇ ପରୀକ୍ଷା ଦେବାକୁ ଆସିବା ସମୟରେ ସେମାନଙ୍କ ମନରେ ଭୟ ରହୁଛି । ଫଳରେ ସୁସ୍ଥ ମସ୍ତିଷ୍କରେ ପରୀକ୍ଷା ଦେଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।
ସେହିପରି ସମ୍ବଲପୁରର ଯମୁନା ଦେବୀ ଘରୋଇ କଲେଜର ୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କଲେଜରୁ ଆଡମିଟ୍ କାଡର଼୍ ନ ମିଳିବାରୁ ପରୀକ୍ଷା ଦେଇପାରିନାହାନ୍ତି । କଲେଜଟି ଏକ ଜାଲ୍ କଲେଜ ବୋଲି ଜାଣି ନପାରି ନାମ ଲେଖି ଅସୁବିଧାରେ ପଡ଼ିଛନ୍ତି । କଲେଜଟି ୬ ମାସ ହେବ ତାଲା ଝୁଲୁଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ଏ ନେଇ ପରିଷଦର ସମ୍ବଲପୁର ଜୋନ୍ ଉପସମ୍ପାଦକ ଉତ୍ତମ କୁମାର ପ୍ରଧାନ କହିଛନ୍ତି, କଲେଜଟି ଫେକ୍ କଲେଜ । ଠିକ ଭାବେ ନବୁଝି ନାମ ଲେଖିଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.