ନୂଆଦିଲ୍ଲୀ : ସୀମାକୁ ନେଇ ଚୀନ ଓ ଭାରତ ମଧ୍ୟରେ ଜାରି ଉତ୍ତେଜନା ହୁଏତ ଯୁଦ୍ଧରେ ପରିଣତ ହୋଇପାରେ। ଏପରି ଆଶଙ୍କା କରିଛନ୍ତି ଅନ୍ତର୍ଜାତୀୟ ପ୍ରତିରକ୍ଷା ବିଶେଷଜ୍ଞ ଏସ୍ଲେ ଜେ.ଟେଲିସ୍। ଅତୀତରେ ଭାରତର ଐତିହାସିକ ପରମାଣୁ ବୁଝାମଣାରେ ବୁଶ୍ ପ୍ରଶାସନକୁ ସହଯୋଗ କରିଥିବା ଟେଲିସ୍ ପ୍ରସଙ୍ଗକୁ ନେଇ ଚୀନ ସହ କୂଟନୈତିକ ଆଲୋଚନା ବେଳେ ନୂଆଦିଲ୍ଲୀକୁ ଯୁଦ୍ଧ ପ୍ରସ୍ତୁତି ଚଳାଇବା ମଧ୍ୟ ଜରୁରି ବୋଲି କହିଛନ୍ତି। ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଟେଲିସ୍ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଭାରତ ଓ ଚୀନ ସୀମାରେ ବର୍ତ୍ତମାନ ଯାହା ବି ହେଉଛି ତାକୁ ସ୍ଥାନୀୟ ଉତ୍ତେଜନା କୁହାଯାଇ ନପାରେ, ଏଥିଲାଗି ବେଜିଂର ମଧ୍ୟ ସମର୍ଥ ରହିଥିବା ଆଶଙ୍କା କରିଛନ୍ତି ଟେଲିସ୍।
ପ୍ରସଙ୍ଗରେ ଚୀନ ସହ ଭାରତର କୂଟନୈତିକ ଆଲୋଚନା ଜାରି ରହିଛି। ଯାହା ଏହି କ୍ରମର ପ୍ରାରମ୍ଭିକ ପର୍ୟ୍ୟାୟ ବୋଲି କୁହାଯାଇପାରେ। ତେବେ ଭାରତ ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ଏବେଠାରୁ ଯୁଦ୍ଧ ପ୍ରସ୍ତୁତି ମଧ୍ୟ କରିବା ଆବଶ୍ୟକ । ଏହାଦ୍ୱାରା ପରିସ୍ଥିତି ବେକାବୁ ହେଲେ, ଖାସ୍ କରି ଦେଶର ମୌଳିକ ହୀତ ସହ ସମ୍ପର୍କ ନଥିବା ସୀମାବର୍ତ୍ତି ଅଞ୍ଚଳ ଲାଗି ନିଜର ସମ୍ମାନ ଓ ସ୍ୱାର୍ଥ କେତେମାତ୍ରାରେ ପ୍ରଭାବିତ ତାହା ଚୀନ ଆକଳନ କରିବାକୁ ବାଧ୍ୟ ହେବ ବୋଲି ଟେଲିସ୍ କହିଛନ୍ତି। କାରଣ ଲଦ୍ଦାଖ କ୍ଷେତ୍ରରେ ଚୀନର ସୈନ୍ୟ ଗତିବିଧିରୁ ଏପର୍ୟ୍ୟନ୍ତ ଏହା ଅନୁମାନ କରାଯାଉଥିବା କହିଛନ୍ତି ଟେଲିସ୍।
ଭାରତରେ କୋଭିଡ-୧୯ମହାମାରୀ ଭଳି ପରିସ୍ଥିତିରେ ଚୀନ୍ ସୀମାରେ ଉତ୍ତଜନା ସୃଷ୍ଟିକରିବାର କାରଣ ନେଇ ଟେଲିସ୍ ଯାହା କୁହନ୍ତି ତାହା ବାସ୍ତବିକ୍ ଆଶ୍ଚର୍ୟ୍ୟଜନକ। ଟେଲିସ୍ଙ୍କ ଅନୁସାରେ ଚୀନ କିଛି ନୂଆ ସାବ୍ୟସ୍ତ କରିବାକୁ ଚାହୁଁଛି, ଯେଉଁଥିପାଇଁ ସୀମାରେ ଯଥାସ୍ଥିତିକୁ ବଦଳାଇବାକୁ ସୈନ୍ୟ ଓ ପ୍ରତିଷ୍ଠାନକୁ ଦାବି ରେଖାଠାରୁ ଯଥେଷ୍ଠ ପଛକୁ ଠେଲିଦେବାକୁ ଉଦ୍ୟମ କରୁଥିବା କହିଛନ୍ତି। କୋଭିଡ-୧୯ ସଂକଟ ପ୍ରବନ୍ଧନରେ ନିଜର ବିଫଳତା ଓ ଏଥିଯୋଗୁ ପଡୁଥିବା ଅନ୍ତର୍ଜାତୀୟ ଚାପକୁ ହଟାଇବା ଲାଗି ହୁଏତ ଚୀନ ଏପରି ଆକ୍ରମକ ହୋଇଥିବାର ମଧ୍ୟ ଟେଲିସ୍ ଆଶଙ୍କା କରୁଛନ୍ତି।
ତେବେ ଯାହାବି ହେଉ ଉପୁଜିଥିବା ପରିସ୍ଥିତିରେ ଭାରତ ସପକ୍ଷରେ ଆମେରିକା ନିଶ୍ଚିତ ଛିଡା ହେବ ବୋଲି ଟେଲିସ୍ ଆଶାବ୍ୟକ୍ତ କରିଛନ୍ତି। କାରଣ ଚୀନର ଏହା ଅବୈଧ ଅନୁପ୍ରବେଶ ଉଦ୍ୟମ ବୋଲି ଆମେରିକା ପ୍ରଥମରୁ ଜଣିଛି। ଏଣୁ ଭାରତ ପଛକୁ ହଟିବାର ଏଠାରେ ପ୍ରଶ୍ନ ହିଁ ନାହିଁ ଓ ଏହାହିଁ ସମାଧାନର ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି। ଯଦି ଭାରତ ପଛକୁ ହଟେ ତେବେ ସମାଧାନର ସମସ୍ତ ରାସ୍ତା ବନ୍ଦ ହେବା ସହ ଅନ୍ୟ ନୂଆ ସମସ୍ୟାର ବି କାରଣ ହୋଇପାରେ ବୋଲି ଟେଲିସ୍ ସତର୍କ କରାଇଦେଇଛନ୍ତି। ଏଣୁ ଚୀନକୁ ଯୁଦ୍ଧ ପର୍ୟ୍ୟନ୍ତ ଘୋଷାଡି ନେବା ହିଁ ଏବେ ଭାରତ ଲାଗି ବୁଦ୍ଧିମାନିର କାମ ହେବ ବୋଲି ସେ କହିଛନ୍ତି।
ପୂର୍ବ ଲଦ୍ଦାଖରେ ଭାରତର ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ। ଏଣୁ ଭାରତ ନିଜ ପକ୍ଷେ କେବେବି ଛାଡିବାର କଥା ନୁହେଁ। ପରିସ୍ଥିତି ଅଣାୟାତ୍ତ ହେଲେ ଭାରତ ସପକ୍ଷରେ ଆମେରିକା ଛିଡା ହେବ ଏହା ସ୍ପଷ୍ଟ ଓ ସୁନିଶ୍ଚିତ। ହେଲେ ଏପରି ହେଉ ତାହା ଚୀନ କେବେବି ଚାହେଁନା। କାରଣ ଭାରତ ଓ ଆମେରିକା ଗଭୀର ସମ୍ପର୍କ ସମଗ୍ର ଏସିୟାରେ ଚୀନର ପ୍ରଭାବକୁ ହ୍ରାସ କରିବ। ହେଲେ ଏଥିଲାଗି ଭାରତକୁ ମଧ୍ୟ ଟିଟ୍ ଫର ଟ୍ୟାଟ୍ ନୀତି ଅବଲମ୍ବନ କରିବାକୁ ହେବ ବୋଲି ଟେଲିସ୍ କହିଛନ୍ତି। ଏପରି ହେଲେ ସମଗ୍ର ଏସିୟାରେ ପ୍ରଭୂତ୍ୱ ବିସ୍ତାର କରିବାକୁ ଚାହୁଁଥିବା ଚୀନକୁ ଉଚିତ ଜବାବ ବି ମିଳିବ।
ସୀମାରେ ଉପୁଜିଥିବା ପରିସ୍ଥିତିରୁ ଚୀନ ବି ସହଜରେ ଓହରିଯିବା ପରି ମନେ ହେଉ ନାହିଁ ବୋଲି କହିଛନ୍ତି ଟେଲିସ୍। କାରଣ ଏଥିପାଇଁ ସେ ଯେତିକି ନିବେଶ କଲାଣି ସେଥିରୁ ସେପଛକୁ ହଟିବା ପରି ମନେ ହେଉ ନାହିଁ। ହେଲେ ଭାରତ ଯଦି ନିଜ ଦାବିରେ ଅଡି ରହେ ଓ ଏଥିଯୋଗୁ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି କରେ ସେଥିରୁ ଚୀନ ନିଜର ଯେଉଁ କ୍ଷତିର ଆକଳନ କରିଛି ତାହା ତା ପାଇଁ କେତେ ଭୟାନକ ତାହା ଆକଳନ କରିବା ପରେ ହିଁ ପଛକୁ ହଟିବ। ନଚେତ ପରବର୍ତ୍ତି ପରିସ୍ଥିତି ଚୀନ ଲାଗି କୋଭିଡ-୧୯ ଠାରୁ ବି ଅଧିକ ଭୟଙ୍କର ହୋଇପାରେ ବୋଲି ଟେଲିସ୍ ଆକଳନ କରିଛନ୍ତି।
ଚୀନ ଓ ଭାରତ ସୀମାରେ ଉତ୍ତେଜନା ପ୍ରସଙ୍ଗକୁ ନେଇ ଟ୍ରମ୍ପ ନିଜ ଆଡୁ ମଧ୍ୟସ୍ଥତାର ପ୍ରସ୍ତାବ ରଖିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତିଙ୍କର ଏହା ଏକ ଆବେଗିକ ପ୍ରସ୍ତାବ ବୋଲି କହିଛନ୍ତି ଟେଲିସ୍। ହୁଏତ ଚୀନ ଅଥବା ଭାରତ ପ୍ରସଙ୍ଗରେ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରି ନ ପାରନ୍ତି କି ସେ ମଧ୍ୟ ପ୍ରସଙ୍ଗରେ ମଧ୍ୟସ୍ଥତା ହୁଏତ ନ କରିପାରନ୍ତି ହେଲେ ସେ ଏପରି କାହିଁକି କୁହନ୍ତି ତାହା ଏପର୍ୟ୍ୟନ୍ତ କେହି କଳ୍ପନା ବି କରିନି। ହୁଏତ ଶାନ୍ତି ଦୂତ ହେବା ଲାଗି ତାଙ୍କ ବିଚାର ଯୋଗୁ ସେ ଏପରି କହୁଥାଇପାରନ୍ତି ବୋଲି କହିଛନ୍ତି ଟେଲିସ୍।
Comments are closed, but trackbacks and pingbacks are open.