କୋକସରା,(ବି.ବି.ନୁ୍ୟଜ୍): ମଙ୍ଗଳବାର ଥିଲା ରଙ୍ଗର ପର୍ବ ହୋଲି । ସମସ୍ତେ ହୋଲିର ମାହୋଲରେ ମସଗୁଲ ଥିବାବେଳେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଜଲତାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ଶ୍ରୀକର ତାଣ୍ଡିଙ୍କ ପୁଅ ନକୁଲ(୨୫)ର ମୃତଦେହ ଘର ପଛପଟୁ ଉଦ୍ଧାର ହୋଇଥିଲା । ପରିବାରବର୍ଗ ଓ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ପୁଲିସ ଶବ ଉଦ୍ଧାର କରିଛି । ଜନୈକ ନାବାଳିକା ସହ ମୃତକଙ୍କ ଅନୈତିକ ପ୍ରେମ ସଂପର୍କକୁ ନେଇ ତାକୁ ହତ୍ୟା କରାଯାଇଥିବା ପୁଲିସ କହିଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ମୃତକଙ୍କ ବାପା କହିବା ଅନୁସାରେ ନକୁଳ ସୋମବାର ରାତି ୯ଟାରେ ଘରୁ ପଦାକୁ ବାହାରି ଆଉ ଫେରିନଥିଲା । ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ମିଳିନଥିଲା । ହେଲେ ସକାଳୁ ଘର ପଛପଟେ ନକୁଳର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ଓ କୋକସରା ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ପହଞ୍ଚି ସନ୍ଧାନି କୁକୁର ସହାୟତାରେ ଝାନଭିନ ଆରମ୍ଭ କରିଥିଲେ । ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗ ଅନୁସାରେ ନକୁଳଙ୍କୁ ତାଙ୍କ ପଡିଶା ଘର ଭୁଜବଳ ପୁଝାରୀ ଓ ତାଙ୍କ ପୁଅ ଦିଗନ୍ତ ପୁଝାରୀ ଗତ ୨୦ ଦିନ ତଳେ ଧମକଚମକ ଦେବା ସହ ମୋ ଭଉଣୀ ସହ ସମ୍ପର୍କ ରଖିଲେ ଜୀବନରେ ମାରି ଦେବୁ ବୋଲି କହିଥିବା ନକୁଳଙ୍କ ବାପା ପୁଲିସ ଆଗରେ କହିଥିଲେ । ମୃତ ନକୁଳ ବିବାହିତ ଥିବା ଜଣାପଡିଛି । ତଦନ୍ତ ପ୍ରକ୍ରିୟା ସରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଏଥିସହ ସନେ୍ଦହରେ ଭୁଜବଳ ପୁଝାରୀଙ୍କ ପରିବାର କିଛି ସଦସ୍ୟକୁ ଆଣି ପଚରାଉଚରା କରିଥିଲା । ଏହାପରେ ଭୂଜବଳ ପୁଝାରୀଙ୍କ ପୁଅ ଦିଗନ୍ତ ପୁଝାରୀ ନକୁଳକୁ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ । ଏଥିସହ ଅଭିଯୁକ୍ତ କେମିତି ହତ୍ୟାକାଣ୍ଡ କରିଥିଲା ସେନେଇ ଡେମୋ କରି ଦେଖାଇଥିଲା । ନିଜ ନାବାଳିକା ଭଉଣୀଙ୍କୁ ନକୁଳ ପୂର୍ବରୁ ଭଲପାଇ ଆସୁଥିଲା । ତା ସହିତ ମୋବାଇଲରେ କଥାବାର୍ତ୍ତା ହେଉଥିଲା । ଘଟଣା ଦିନ ରାତିରେ ନକୁଳ ନାବାଳିକା ସହ ପ୍ରେମ ନିବେଦନ କରୁଥିବା ଦେଖି ପରିସ୍ରା କରିବାକୁ ଆସିଥିବା ଭାଇ ଦିଗନ୍ତ ଏହାଦେଖିବାକୁ ପାଇଥିଲେ । ସେ ରାଗରେ ନକୁଳର ତଣ୍ଟିକୁ ଯୋରରେ ଚାପି ରଖିବାରୁ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟ ହୋଇଥିଲା । ପରେ ନାବାଳିକା ଭଉଣୀ ସହ ମିଶି ନକୁଳର ମୃତଦେହକୁ ଆଣି ତା ଘର ପଛପଟେ ପକାଇଦେଇ ଚାଲିଯାଇଥିଲେ ବୋଲି ପୁଲିସ ସୂଚନା ଦେଇଛି । ଏନେଇ କୋକସରା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ଦିଗନ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିସହ ଅଭିଯୁକ୍ତର ନାବାଳିକା ଭଉଣୀକୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା କୋକସରା ଥାନାଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.