ଢେଙ୍କାନାଳ,(ବି.ବି.ନୁ୍ୟଜ୍): ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ । ଜଣେ କି ଦୁଇ ଜଣ ନୁହଁ, ଆଠରୁ ଦଶ ଜଣ ଯୁବକ ସଂଘବଦ୍ଧ ହୋଇ ନିର୍ମମ ଭାବେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ରବିବାର ପହିଲି ରଜରେ ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅନ୍ତର୍ଗତ ରାଇପୁର ଛକରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ, ତରଭା ଗାଁର ଚିକୁନ୍ ବିଶ୍ୱାଳ (୨୨) । ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକଶ ପାଇଛି । କଟକରୁ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାର ଓ ଗ୍ରାମବାସୀ ଅଭିଯୁକ୍ତଙ୍କ ଗିରଫଦାରି ଦାବି କରିଛନ୍ତି । ଏନେଇ ଢେଙ୍କାନାଳ-ବଣସିଂହ ରାସ୍ତାର କଳାପାଣି ଛକ ନିକଟରେ ଦୀର୍ଘ ସମୟ ଧରି ରାସ୍ତାରୋକ ହୋଇଥିଲା । ପୁଲିସ୍ ପହଞ୍ଚି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।
ପୁଲିସ୍ ସୂଚନା ଅନୁସାରେ, ତରଭା ଗାଁ’ର ପ୍ରସନ୍ନ ବିଶ୍ୱାଳଙ୍କ ପୁଅ ପ୍ରକାଶ ବିଶ୍ୱାଳ (୨୮), ତାଙ୍କ ଦାଦା ପୁଅ ଭାଇ ଜଗନ ବିଶ୍ୱାଳ ଦୁଇଟି ମଟର ସାଇକେଲ୍ ଯୋଗେ ରବିବାର ଅପରାହ୍ଣ ୪ଟାରେ ରାଇପୁର ଛକକୁ ତେଜରାତି ସାମଗ୍ରୀ କିଣିବା ପାଇଁ ଯାଇଥିଲେ । ଛକରେ ପୂର୍ବରୁ ଉପସ୍ଥିତ ସଦର ଥାନା ଇଲାକା କାଙ୍କଡପାଳ ଗାଁର ଲିପୁନ୍ ସାମଲ, ଟାଉନ୍ ଥାନା ଇଲାକା ବାଜିଚୌକ ଅଞ୍ଚଳର ସୋନୁଙ୍କ ସମେତ ୭-୮ ଜଣ ଯୁବକ ଖୁବ୍ ଜୋର୍ରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ଅପ୍ରୀତିକର ବାତାବରଣ ସୃଷ୍ଟି ହେଉଥିବା ଜାଣି ପ୍ରକାଶଙ୍କ ସାଙ୍ଗରେ ଥିବା ଜଗନ ଏହାର ପ୍ରତିବାଦ କରିଥିଲେ । କାହିଁକି ଏପରି ବିଶୃଙ୍ଖଳା କରୁଛ ବୋଲି କହିବାରୁ ଯୁବକମାନେ ଜଗନଙ୍କ ମଟର ସାଇକେଲ୍କୁ ବିଭିନ୍ନ ମାରଣାସ୍ତ୍ରରେ ପିଟି ଭଙ୍ଗାରୁଜା କରିଥିଲେ । ପୁନଶ୍ଚ ତାଙ୍କୁ ପ୍ରବଳ ମାଡପିଟ୍ କରିଥିଲେ । ଏହି ସମୟରେ ପ୍ରକାଶଙ୍କ ପୁତୁରା ଚିକୁନ୍ ବିଶ୍ୱାଳ ସେଠାରେ ପହଞ୍ଚିଥିଲେ । କାହିଁକି ମୋ ଦାଦାଙ୍କୁ ମାରଧର କରୁଛ ବୋଲି କହି ସେମାନଙ୍କୁ ଛଡାଇବାକୁ ଉଦ୍ୟମ କରିଥିଲେ । ମାତ୍ର ରକ୍ତମୁଖା ଯୁବକମାନେ ଚିକୁନ୍ଙ୍କୁ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ନିସ୍ତୁକ ପିଟିବା ସହ ତାଙ୍କୁ ଉଠାଇ ନେଇ ଢେଙ୍କାନାଳ ଅଭିମୁଖେ ପଳାଇଥିଲେ । ସେମାନେ ବାଟରେ ଚିକୁନ୍ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଦରମରା ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ପକାଇ ଫେରାର ହୋଇଯାଇଥିଲେ । ଢେଙ୍କାନାଳ ଡାକ୍ତରଖାନାର ଡାକ୍ତରମାନେ ଚିକୁନ୍ଙ୍କର ଚିକିତ୍ସା କରିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏବଂ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ପରିବାର ଲୋକେ ଖବରପାଇ ଢେଙ୍କାନାଳ ଡାକ୍ତରଖାନାରେ ପହଞ୍ଚିଥିଲେ । ଘଟଣା ସଂପର୍କରେ ପ୍ରକାଶ ନିଜେ ତରଭା ଫାଣ୍ଡି ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଚିକୁନ୍ଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତୁ୍ୟ ହୋଇଥିଲା । କଟକରୁ ସୋମବାର ଚିକୁନ୍ଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ମୃତଦେହ ଅପରାହ୍ଣ ୩ଟା ବେଳେ ଢେଙ୍କାନାଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକମାନେ ଚିକୁନ୍ଙ୍କ ମୃତଦେହକୁ କଳାପାଣି ଛକରେ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତାରୋକରେ ତରଭା ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ଖବରପାଇ ମାଜିଷ୍ଟେ୍ରଟ୍ ଭାବେ ସଦର ତହସିଲ୍ଦାର ଲକ୍ଷ୍ମୀଧର ରାଉତ, ସଦର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ଥାନା ଅଧିକାରୀ ସଂଧ୍ୟାରାଣୀ ବେଉରିଆଙ୍କ ସମେତ ଥାନାର କର୍ମଚାରୀ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବାପରେ ଅପରାହ୍ଣ ସାଢେ଼ ୫ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଅଭିଯୁକ୍ତମାନେ ପ୍ରଚୁର ମଦ୍ୟପାନ କରି ହତ୍ୟାକାଣ୍ଡ ଭିଆଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ କେତେଜଣ ସଂପୃକ୍ତ ସେ ନେଇ ତନାଘନା ଚାଲିଥିବା ସଦର ଏସ୍ଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।
Comments are closed, but trackbacks and pingbacks are open.