ଯୁବ କର୍ମଚାରୀଙ୍କୁ ଟିକସ ଛାଡ଼

Get real time updates directly on you device, subscribe now.

ୱାର୍ସ:ଅନେକ ସମୟରେ ଦେଖାଯାଏ କୌଣସି ଦେଶରେ ଟିକସ ଅଧିକ ଥିଲେ ଯୁବପିଢ଼ି ବିଦେଶକୁ ସ୍ଥାନାନ୍ତର ହୋଇଯାଆନ୍ତି । ଆୟ କର ବୋଝ ମଧ୍ୟରେ ଅଣନିଶ୍ୱାସୀ ହୋଇ ସେମାନେ ବାହାରକୁ ପଳାନ୍ତି । ବିଦେଶକୁ ଯାଇ ସେମାନେ ଉକ୍ତ ରାଷ୍ଟ୍ରର ବିକାଶ ଦିଗରେ ନିଜ ଦକ୍ଷତାକୁ ଉପଯୋଗ କରନ୍ତି । ଏହା ଦ୍ୱାରା ସେମାନଙ୍କ ଆୟ ବଢ଼ିଥାଏ । କିନ୍ତୁ ମୂଳ ରାଷ୍ଟ୍ର ହରାଏ ଦକ୍ଷ ଯୁବ ବଳ । ଏଭଳି ସମସ୍ୟାକୁ ଏଡାଇବା ପାଇଁ ନିଆରା ପଦକ୍ଷେପ ନେଇଛି ପୋଲାଣ୍ଡ । ପୋଲାଣ୍ଡବାସୀ ଯେପରି ଅନ୍ୟ ରାଷ୍ଟ୍ରକୁ ସ୍ଥାନାନ୍ତର ନ ହେବେ ସେଥିପାଇଁ ଏହା ଯୁବପିଢ଼ିଙ୍କ ଉପରୁ ଟିକସ ଛାଡ଼ କରିଛି । ବର୍ଷକୁ ୨୨,୦୦୦ ଡଲାରରୁ କମ୍(ପାଖାପାଖି ୧୫,୧୬,୪୯୩ ଟଙ୍କା) ରୋଜଗାର କରୁଥିବା ଯୁବପିଢ଼ିଙ୍କୁ ଏହା ଟିକସମୁକ୍ତ କରିଛି ।
ଏହି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି ଯୁବ କର୍ମଚାରୀଙ୍କୁ ଧରି ରଖିବା । ସେମାନଙ୍କ ଦକ୍ଷତାକୁ ଉପଯୋଗ କରି ମଜଭୂତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା । ଗୁରୁବାର ପୋଲାଣ୍ଡର ଦକ୍ଷିଣାପନ୍ଥୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୬ ବର୍ଷରୁ କମ୍ ବୟସ୍କ ଯୁବପିଢ଼ି, ଯେଉଁମାନଙ୍କ ବାର୍ଷିକ ଆୟ ୨୨,୦୦୦ ଡଲାରରୁ କମ୍ ସେମାନେ ଆୟ କର ଦେବେ ନାହିଁ । ପୂର୍ବରୁ ଏମାନେ ୧୮ଧ ଆୟକର ଦେଉଥିବାବେଳେ ଏବେ ଆଦୌ ଟିକସ ଦେବେ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା ୨୦ ଲକ୍ଷ ପୋଲାଣ୍ଡ ନାଗରିକ ଉପକୃତ ହେବେ । ସେମାନଙ୍କ ଆୟ ପରିମାଣ ବଢ଼ିବ । ସରକାର ଆଶା ରଖିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ବିଦେଶରେ କାର୍ଯ୍ୟ କରୁଥିବା ପୋଲାଣ୍ଡ ନାଗରିକମାନେ ଦେଶକୁ ଫେରିବା ପାଇଁ ବିଚାର କରିବେ । ସମ୍ପ୍ରତି ପୋଲାଣ୍ଡବାସୀଙ୍କ ହାରାହାରି ବାର୍ଷିକ ଆୟ ୧୫,୭୦୦ ଡଲାରରୁ କମ୍ ଥିବାବେଳେ ଏହା ନିଶ୍ଚିତ ଭାବେ ଏକ ଉଦାର ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ମାଟ୍ୟୁସ୍ ମୋରାୱିକି କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ଆମେ ଆଗକୁ ଆଉ ଆମର ଯୁବଶକ୍ତିଙ୍କୁ ହରାଇବୁ ନାହିଁ । ସେମାନଙ୍କ ଦକ୍ଷତା ଏବଂ ଜ୍ଞାନକୁ ବ୍ୟବହାର କରି ଦେଶକୁ ବହୁ ଆଗକୁ ନେଇଯିବୁ ।
ଏହି ନିଷ୍ପତ୍ତି ମଧ୍ୟରେ ଅନ୍ୟ ଏକ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି ଯେ, ସତରେ କ’ଣ ଏହା ଯୁବଶକ୍ତିଙ୍କୁ ଆକର୍ଷିତ କରିପାରିବ । ସମ୍ପ୍ରତି ଅଧିକ ଦରମା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗୁ ପୋଲାଣ୍ଡର ଯୁବପିଢ଼ିମାନେ ଲଣ୍ଡନ, ବର୍ଲିନ ଏବଂ ଅନ୍ୟାନ୍ୟ ସହରଗୁଡିକୁ ଚାଲିଯାଉଛନ୍ତି । ଏକ ଟିଭି ଷ୍ଟେସନରେ ପାର୍ଟଟାଇମ୍ ଚାକିରି କରୁଥିବା ପୋଲାଣ୍ଡର ଜଣେ ୧୯ ବର୍ଷୀୟ କର୍ମଜୀବୀ ପଲିନା କହିଛନ୍ତି ଯେ, ମୁଁ ଭାବୁନାହିଁ ସରକାରଙ୍କ ଏହି ନିଷ୍ପତ୍ତି ମୋ ଭଳି ଯୁବପିଢ଼ିଙ୍କୁ ଆକୃଷ୍ଟ କରିପାରିବ । ପୋଲାଣ୍ଡ ତୁଳନାରେ ବିଦେଶରେ ଆହୁରି ଉତ୍ତମ ସୁଯୋଗ ରହିଛି । ସରକାରଙ୍କୁ ଏ ନିଷ୍ପତ୍ତିଠାରୁ ଆହୁରି ଅଧିକ କିଛି ଚିନ୍ତା କରିବାକୁ ପଡ଼ିବ ।
ଆଗକୁ ପୋଲାଣ୍ଡରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଉକ୍ତ ନିଷ୍ପତ୍ତି ନିଆଯାଇଛି । ଏହି ସୁବିଧା ବଳରେ ସରକାର ବୃହତ୍ ମାତ୍ରାରେ ଯୁବ ଭୋଟ୍ ସାଉଁଟିବା ଉଦ୍ଦେଶ୍ୟରେ ଅଛନ୍ତି । କିନ୍ତୁ ରାଜକୋଷ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋରାୱିକି ସୂଚନା ଦେଇଛନ୍ତି ଯେ, ୨୦୦୪ରୁ ପୋଲାଣ୍ଡରୁ ପାଖାପାଖି ୧୫ ଲକ୍ଷ ଲୋକ ବିଦେଶକୁ ସ୍ଥାନାନ୍ତର ହୋଇଛନ୍ତି । ଏହି ପରିମାଣ ୱାର୍ସ ଜନସଂଖ୍ୟା ସହ ସମାନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons