ଯୋଗଦେଲେ ନୂଆ ବୋଲିଂ କୋଚ ଭିଟ୍ଟୋରି

Get real time updates directly on you device, subscribe now.

ଢ଼ାକା: ଆସନ୍ତା ୩ ତାରିଖରୁ ବାଂଲାଦେଶ ଦଳର ଭାରତ ଗସ୍ତ ଆରମ୍ଭ ହେବ । ଏହି ଗସ୍ତରେ ଦଳ ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏଥିପାଇଁ ଶୁକ୍ରବାର ଠାରୁ ବାଂଲାଦେଶ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଦଳରେ ନୂଆ ବୋଲିଂ କୋଚ୍ ଡାନିଏଲ୍ ଭିଟ୍ଟୋରି ଯୋଗଦେଇଛନ୍ତି । ପ୍ରଥମ ଦିନରେ ସେ ଦୀର୍ଘ ସମୟ ଧରି ଖେଳାଳିଙ୍କୁ ଅଭ୍ୟାସ କରାଇ ଥିଲେ ।
ବିଭିନ୍ନ ଦାବିରେ ବାଂଲାଦେଶ ଖେଳାଳି ଧର୍ମଘଟକୁ ଓହ୍ଲାଇଥିଲେ । ଦାବି ପୂରଣ ନହେଲେ ସେମାବେ ଆଗାମୀ ଭାରତ ବିପକ୍ଷ ସିରିଜରୁ ଓହରିଯିବେ ବୋଲି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଲିଖିତ ଭାବେ ଜଣାଇଥିଲେ । ପରେ ଖେଳାଳି ଓ ବୋର୍ଡ ମଧ୍ୟରେ ବୁଝାମଣା ପରେ ସମସ୍ୟାର ସମାଧାନ ହୋଇଥିଲା । ଫଳରେ ଖେଳାଳିମାନେ ଗତ ଗୁରୁବାର ଧର୍ମଘଟ ପ୍ରତ୍ୟାହାର କରି ନେଇଥିଲେ । ଖେଳାଳିମାନଙ୍କ ବିଭିନ୍ନ ଦାବି ଗୁଡ଼ିକ ଥିଲା – ବାଂଲାଦେଶ କ୍ରିକେଟ୍ ପ୍ରିମିୟର ଲିଗ୍ରେ ସଂସ୍କାର, ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳାଳିଙ୍କ ଦରମା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଇବା, ଦେଶ ସାରା ବିଭିନ୍ନ ଗ୍ରାଉଣ୍ଡ, ଜିମ୍ ଓ ନେଟ୍ସର ଉନ୍ନତି, ଉନ୍ନତ ବଲ ସାଙ୍ଗକୁ ଖେଳାଳିଙ୍କ ଦୈନିକ ଭତ୍ତା ବୃଦ୍ଧି କରାଇବା, ଖେଳାଳିଙ୍କ ହଷ୍ଟେଲ ଗୁଡ଼ିକ ୱାନ୍ କିମ୍ବା ଟୁ ଷ୍ଟାଣ୍ଡାର୍ଡର ହେବା ଦରକାର, ଗ୍ରାଉଣ୍ଡସମ୍ୟାନ୍, କୋଚ୍ ଓ ଫିଜିଓ ପ୍ରଭୃତିଙ୍କ ଦରମା ବୃଦ୍ଧି କରାଇବା ଏବଂ ଘରୋଇ କ୍ରିକେଟ୍ରେ ଅଧିକ ଦିନିକିଆ ଓ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ସାମିଲ କରିବା ଇତ୍ୟାଦି ।
ପୂର୍ବରୁ ଦଳ ଘୋଷଣା ହୋଇ ସାରିଛି । ସାକିବ ଅଲ୍ ହାସନ ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ରହିଛନ୍ତି । ସେ ପ୍ରଥମ ଦିନର ଅଭ୍ୟାସ ଶିବିରରେ ଯୋଗ ଦେଇ ନଥିଲେ । ଦକ୍ଷିଣ ଆଫ୍ରିକାର ରସେଲ ଡୋମିନଗୋ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ସୁନୀଲ ଯୋଷୀଙ୍କ ସ୍ଥାନରେ ଭିଟ୍ଟୋରି ଯୋଗଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons