ଜୟପୁର: ଜିଲ୍ଲା ଯୋଗାଣ ବିଭାଗର ନିଦ ଭାଙ୍ଗୁନି । ଆନ୍ଧ୍ର, ଛତିଶଗଡ ଓ ମାଲକାନଗିରି ଜିଲ୍ଲାରୁ ଫର୍ଟିଫାଇଡ୍ ରାଇସ୍ ଆଣି ଏଠାରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ଦିଆଯାଉଛି । ହିତାଧିକାରୀ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି କହି ତୀବ୍ର ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି । କୋଟପାଡ ପରେ ନାରାୟଣପାଟଣା, ଲକ୍ଷ୍ମୀପୁରରେ ଏଭଳି ଅଭିଯୋଗ ହୋଇଆସୁଥିଲା । ଏବେ ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଚାଉଳ ଦିଆଯାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାରେ ପିଡିଏସ୍ରେ ଫର୍ଟିଫାଏଡ ରାଇସ ଦେବାକୁ ଅନୁମତି ନଥିବା ବେଳେ ଏହି ଚାଉଳ କେଉଁଠି ଆସୁଛି, ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
ଜିଲ୍ଲାର ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଫର୍ଟିଫାଏଡ ରାଇସ ଯୋଗାଣ ହେଉଛଇ । ହିତାଧିକାରୀ ପିଡିଏସ୍ ଯୋଗାଣ କେନ୍ଦ୍ରରୁ ଘରକୁ ନେବା ପରେ ସାଧାରଣ ଚାଉଳ ସହ ଅନ୍ୟ ରଙ୍ଗର ଚାଉଳ ଦେଖୁଛନ୍ତି । ଏହା ପ୍ଲାଷ୍ଟିକ ବୋଲି ସେମାନଙ୍କ ଧାରଣା ହେଉଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଏହି ଚାଉଳ ସମ୍ପର୍କରେ କିଛି କୁହାଯାଉନି । ବୁଦ୍ଧିଜୀବୀଙ୍କ କହିବା କଥା, ପ୍ରଥମେ କୋଟପାଡରେ ଏଭଳି ଚାଉଳ ବାହାରିଥିଲା । ଯୋଗାଣ ବିଭାଗ ଏହାକୁ ହାଲୁକା ଭାବେ ନେଇଛି । ଏହି ଚାଉଳ କିଏ ଯୋଗାଣ କରିଛି, ଏହାର ତଦନ୍ତ କଲାନାହିଁ । ଶେଷରେ ବିଡିଓ ରିପୋର୍ଟ ଦେଇଦେଲେ, ଏହା ଡିସକଲର୍ ଚାଉଳ । ସ୍ୱାସ୍ଥ୍ୟ ପକ୍ଷରେ ଏହା କ୍ଷତିକାରକ ନୁହେଁ । କିନ୍ତୁ ଏହାକୁ ଫର୍ଟିଫାଏଡ ରାଇସ ବୋଲି ସ୍ପଷ୍ଟ କଲେ ନାହିଁ । ଏହାପରେ ନାରାୟଣପାଟଣା ବ୍ଲକ ଓ ଲକ୍ଷ୍ମୀପୁର ବ୍ଲକରେ ଫର୍ଟିଫାଏଡ ରାଇସ ବାହାରିଲା । ପ୍ଲାଷ୍ଟିକ ଚାଉଳ ଯୋଗାଣ ହେଉଛି ବୋଲି ହିତାଧିକାରୀ ଅସନ୍ତୋଷ ପ୍ରକାଶ କଲେ । ଏହା ପରେ ମଧ୍ୟ ଚୁପ୍ ରହିଲା ପ୍ରଶାସନ । ଏବେ ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫର୍ଟିଫାଏଡ ରାଇସ୍ ଯୋଗାଇ ଦିଆଯାଉଛି । ମିଲରମାନେ କିପରି ଏହି ଚାଉଳ ଯୋଗାଉଛନ୍ତି ତଦନ୍ତ ହେବା କଥା । ଖାଦ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଚାଉଳକୁ ଯାଞ୍ଚ କରାଗଲେ ଡିସ୍କଲର ନା ଫର୍ଟିଫାଏଡ ଚାଉଳ ଜଣାପଡିବ । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା । ବୈଠକରେ ବସିଥିବା କହି ଫୋନ କାଟି ଦେଇଥିଲେ । ଫଳରେ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପକ୍ଷରେ ବୋରିଗୁମ୍ମା ବ୍ଲକର ପ୍ରକୁ୍ୟରମେଣ୍ଟ ଇନ୍ସପେକ୍ଟର ଶରତ ପାଣିଗ୍ରାହୀ କହିଛନ୍ତି, ଅଭିଯୋଗ ପରେ ଚାଉଳ ନମୁନା ସଂଗ୍ରହ କରାଯାଇଛି । ଏହା ଯାଞ୍ଚହେବା ପରେ ସ୍ପଷ୍ଟ ହେବ ଏହା କେଉଁ ପ୍ରକାର ଚାଉଳ । ଏଥିରୁ ଜଣାପଡୁଛି ମିଲର୍ସ ଓ ଯୋଗାଣ ବିଭାଗର ଜାଣତରେ ଏହି ଚାଉଳ ଯୋଗାଣ ହେଉଛି । ଏହି ଚାଉଳ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ନୁହେଁ । କିନ୍ତୁ ଏହି ଚାଉଳ କେଉଁଠୁ ଆଣି ମିଲର୍ସ ଯୋଗାଉଛନ୍ତି ତଦନ୍ତ ହେବା ସହ ଏହା ପ୍ଲାଷ୍ଟିକ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ଦେବାକୁ ସାଧାରଣରେ ଦାବି ହୋଇଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.