ନବରଙ୍ଗପୁର,(ବି.ବି.ନୁ୍ୟଜ୍): କରୋନା କଟକଣା ଯୋଗୁ ନିରାଡମ୍ବର ସହ ରକ୍ତତୀର୍ଥ ପାପଡାହାଣ୍ଡିରେ ପାଳନ ହେଲା ସହିଦ ସ୍ମୃତି ଦିବସ । କେବଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ପୁଲିସର ଗାର୍ଡ ଅଫ୍ ଅନରରେ କାର୍ଯ୍ୟକ୍ରମକୁ ସୀମିତ ରଖାଗଲା । ସହିଦ ସ୍ମୃତି ସ୍ତମ୍ଭ ନିକଟରେ ଅତିଥିମାନେ ଉପସ୍ଥିତ ରହି ପାପଡାହାଣ୍ଡି ଗୁଳିକାଣ୍ଡ ସହିଦଙ୍କୁ ମନେ ପକାଇଲେ ।
ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ନବରଙ୍ଗପୁର ସହରରୁ ଏକ ମଶାଲ ଅଣାଯାଇଥିଲା । ପରେ ଟୁରୀ ନଦୀ କୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ହୋଇଥିଲା । ସ୍ମୃତିସ୍ତମ୍ଭ ନିକଟରେ ସହିଦଙ୍କ ଉଦେ୍ଧଶ୍ୟରେ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନିତ ଅତିଥିଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର, ସହିଦ ସ୍ମୃତି କମିଟିର ସୋମନାଥ ବିଷୋୟୀ, ମୁନ୍ନା ତ୍ରିପାଠୀ, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ସେବତୀ ସାନ୍ତା, ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ ଓ ସହିଦଙ୍କ ଦାୟାଦମାନେ ଯୋଗ ଦେଇଥିଲେ । ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୯୪୨ ଅଗଷ୍ଟ ୨୪ ରେ ଟୁରୀ ନଦୀ କୂଳରେ ବ୍ରିଟିଶ ପୁଲିସ ଗୁଳିରେ ୧୯ ଜଣ ସହିଦ ହୋଇଥିଲେ ।
Comments are closed, but trackbacks and pingbacks are open.