ନୂଆଦିଲ୍ଲୀ: ନିର୍ଭୟା ବଳାକ୍ରାର ମାମଲାରେ ସମସ୍ତ ୪ ଦୋଷୀ ଖୁବ୍ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି । ଏହି ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ଘାତକ ଆବଶ୍ୟକ । ଏହି ଘାତକ ସାଜିବା ପାଇଁ ଅନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ରକ୍ତରେ ଏକ ଚିଠି ଲେଖି ନିବେଦନ କରିଛନ୍ତି । ନିର୍ଭୟାର ଦୋଷୀମାନଙ୍କୁ ଜଣେ ମହିଳା ଦ୍ୱାରା ଫାଶୀ ଖୁଣ୍ଟରେ ଝୁଲାଇବା ନିହାତି ଆବଶ୍ୟକ ବୋଲି ସେ ଚିଠିରେ ପ୍ରକାଶ କରିଛନ୍ତି । ବର୍ତ୍ତିକା ଚିଠିଟିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦୋଷୀମାନଙ୍କୁ ମୋ ଦ୍ୱାରା ଫାଶୀ ଦେବା ନିହାତି ଆବଶ୍ୟକ । ଏହା ଦ୍ୱାରା ଜଣେ ମହିଳା ମଧ୍ୟ ଫାଶୀ ଦେଇ ପାରିବ ବୋଲି ସାରା ଦେଶକୁ ବାର୍ତ୍ତା ଯାଇପାରିବ । ଏହି ପ୍ରସ୍ତାବରେ ମୁଁ ମହିଳା ସାଂସଦ ଏବଂ ଅଭିନେତ୍ରୀମାନଙ୍କର ସମର୍ଥନ ଚାହୁଁଛି । ଏହା ଦ୍ୱାରା ସମାଜରେ ପରିବର୍ତ୍ତନ ହୋଇପାରିବ ବୋଲି ମୋର ବିଶ୍ୱାସ ରହିଛି । ନିର୍ଭୟା ବଳାକ୍ରାରୀମାନଙ୍କୁ ଫାଶୀଦେବା ପାଇଁ ତିହାର ଜେଲ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତିହାର କର୍ତ୍ତୃପକ୍ଷ ବିହାରର ବକ୍ସାର ଜେଲ୍ରୁ ଫାଶୀ ଦଉଡି ମଗାଇଥିଲା ବେଳେ ଉତ୍ତରପ୍ରଦେଶ ସରକାରଙ୍କୁ ଘାତକ ଯୋଗାଇଦେବା ଲାଗି ଅନୁରୋଧ କରି ଚିଠି ଲେଖିଛନ୍ତି । ବର୍ତ୍ତିିକାଙ୍କ ବ୍ୟତୀତ ତାମିଲନାଡୁ ପୁଲିସର ହେଡକନ୍ଷ୍ଟେବଳ ଏସ୍. ସୁବାଷ ଶ୍ରୀନିବାସନ ମଧ୍ୟ ନିର୍ଭୟା ବଳାକ୍ରାରୀଙ୍କୁ ଫାଶୀଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିପାଇଁ ଗତ ୬ ତାରିଖରେ ସେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ତାଙ୍କୁ ଏହି ସୁଯୋଗ ଦେବା ଲାଗି ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.