ରକ୍ଷଣାବେକ୍ଷଣ ହେଉନି, ସହଯୋଗ ଆବଶ୍ୟକ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ମାନବ ସେବା, ମାଧବ ସେବା । ଏଭଳି ଏକ ମହତ ଉଦେ୍ଧଶ୍ୟ ନେଇ ବ୍ରହ୍ମପୁରରେ ଆରମ୍ଭ ହୋଇଥିଲା ‘ଦୟାର ପ୍ରାଚୀର’ । ବ୍ରହ୍ମପୁରରେ ପ୍ରାୟ ୪ଟି ଅଞ୍ଚଳରେ ‘ଦୟାର ପ୍ରାଚୀର’ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହି ‘ଦୟାର ପ୍ରାଚୀର’ । ଏଠାରେ ଥିବା ଜିନିଷ ପଡ଼ିପଡ଼ି ନଷ୍ଟ ହେଉଛି । ଏହାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।
ଅନେକ ଲୋକ ରହିଛନ୍ତି ଯେଉଁମାନେ ପିନ୍ଧିବାକୁ ପାଉ ନାହାନ୍ତି । ଖାଇବାକୁ ନପାଇ ଉପାସରେ ଦିନ କାଟୁଛନ୍ତି । ଖାଲି ସେତିକି ନୁହେଁ ଖରା ତାତିରେ ବୁଲୁଥିଲେ ମଧ୍ୟ ପିନ୍ଧିବାକୁ ଚପଲ ଖଣ୍ଡେ ପାଇନଥାନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଉଦେ୍ଧଶ୍ୟ ନେଇ କିଛି ବର୍ଷ ତଳେ ବ୍ରହ୍ମପୁରରେ ଆରମ୍ଭ ହୋଇଥିଲା ‘ଦୟାର ପ୍ରାଚୀର’ । ସେଠାରେ ଲେଖା ରହିଛି ‘ଥିଲେ ଦିଅ ନଥିଲେ ନିଅ’ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପ୍ରଥମେ ଦୟାର ପ୍ରାଚୀର ଆରମ୍ଭ ହୋଇଥିଲା । ଆପଣଙ୍କ ପାଖରେ ରହିଥିବା ଅଦରକାରୀ ଲୁଗାପଟା ଠାରୁ ଚପଲ ଆଦି ନଫୋପାଡ଼ି ଏଠାରେ ରଖି ଦିଅନ୍ତୁ । ଯାହାର ଆବଶ୍ୟକ ସେମାନେ ଏଠାରୁ ନିଜର ବ୍ୟବହାର ନିମନ୍ତେ ନେଇପାରିବେ । ସହରରେ ବହୁ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ଭଲ ପିନ୍ଧିବା ଦୂରର କଥା ଖାଇବା ସଂଗ୍ରହ କରିବା କଷ୍ଟକର ହୋଇପଡୁଛି ସେମାନଙ୍କ ପାଇଁ । ଗରିବ ଶ୍ରେଣୀର ଲୋକ ଅତି ସହଜରେ ଏଠାରୁ ନିଜ ପାଇଁ କିମ୍ବା ନିଜ ପରିବାର ପାଇଁ ପୋଷାକ ପାଇ ପାରିବ । ପ୍ରାୟ ସ୍ଥାନରେ କିଛି ଲୁଗାପଟା ରଖାଯିବା ସହ ଜୋତା ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳୁଛି । ସହରର ପୁରୁଣା ବସ୍ଷ୍ଟାଣ୍ଡ୍, ଏମ୍କେସିଜି, ଖଲ୍ଲିକୋଟ କଲେଜ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ୍, ଧର୍ମନଗର, ଭଳି ଅନେକ ସ୍ଥାନରେ ଏଭଳି ଦୟାର ପ୍ରାଚୀର ନିର୍ମାଣ କରାଯାଇଛି । କିନ୍ତୁ ସେସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବା ସହିତ ସେଠାରେ ରଖାଯାଇଥିବା ବ୍ୟବହାର ଉପଯୋଗୀ ଜିନିଷ ଏଣେତେଣେ ପଡିରହୁଛି । କାହାର ବ୍ୟବହାରରେ ଆସିବା ପୂର୍ବରୁ ନଷ୍ଟ ହୋଇଯାଉଛି । ଯେଉଁ ଉଦେ୍ଧଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା ସେହି ଉଦେ୍ଧଶ୍ୟରୁ ଲାଇନ୍ଚୁ୍ୟତ ହୋଇଯାଇଛି ।
ଖଲ୍ଲିକୋଟ କଲେଜ ଆଗରେ କରାଯାଇଥିବା ଦୟାର ପ୍ରାଚୀର ଏବିଭିପି ପକ୍ଷରୁ କରାଯାଇଛି । ଏନେଇ ଏବିଭିପି ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ଠାରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏଠାରେ ଲୁଗା, ଚପଲ ଭଳି ଅନେକ ଜିନିଷ ସଂଗ୍ରହ କରି ରଖାଯାଉଛି । ଲୋକମାନେ ମଧ୍ୟ ଏଠାରେ ରଖି ଯାଉଛନ୍ତି । ଅନେକ ଗରିବ ଲୋକ ଏଥିରୁ ଉପକୃତ ହୋଇପାରିଛନ୍ତି । ମାତ୍ର ରଖିବା ପାଇଁ କୌଣସି ସୁବିଧା ନଥିବାରୁ ଅନେକ ନଷ୍ଟ ହେଉଛି । ସମସ୍ତଙ୍କ ସହଯୋଗ ରହିଲେ ଉଦ୍ୟମ ସଫଳ ହେବ । ଆଗକୁ ପୁରୁଣା ବହି ଠାରୁ ଆରମ୍ଭ କରି ଖାଦ୍ୟ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଏବିଭିପି ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons