ପୁରୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରଥ ନିର୍ମାଣ । ରବିବାର ତିନି ରଥରେ ହଂସପଟା ଲାଗିଛି । ରଥ ଚତୁଃପାଶ୍ୱର୍ରେ ହଂସପଟା ପିଟାଯାଇଛି । ଠେକରା ବାଡ଼ ତଳକୁ ରହିଥାଏ ହଂସପଟା । ପଟା ଚଟାଣକୁ ଲାଗି ହଂସପଟା ସଂଯୋଗ ହୋଇଛି । ଅଶ୍ୱରେ ରଙ୍ଗ ଦିଆ ଆରମ୍ଭ ହୋଇଛି । ରଥତ୍ରୟରେ ଅଶ୍ୱ ଲାଗିବାକୁ ଇଶ ଓ ଜୁଆଳି ପ୍ରସ୍ତୁତ । ଚାରପରିଛା କାଠରେ ଦୁଇଟି ଇଶ ଲାଗୁଛି । ପରେ ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ ।
ରୂପକାର ପ୍ରଭାରେ ଖୋଦେଇ କରି କିର୍ତ୍ତୀମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଛନ୍ତି । ଆଜି ଚିତ୍ରକର ପ୍ରଭାରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି । ଚିତ୍ର ସରିଲେ ରଥରେ ସ୍ଥାପନ ହେବ ପ୍ରଭା । ଶ୍ରୀମନ୍ଦିର ପ୍ରଶାସନ ଅଧିକ୍ଷଣ ଯନ୍ତ୍ରୀ ସହ ଅନୁଧ୍ୟାନ ଟିମ୍ ତିନି ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ସହ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ତିନି ରଥର ଚକରେ ପଦ୍ମ ପାଖୁଡ଼ା ଚିତ୍ର ହେଉଛି ।
ରଥ ଉପରେ ଠାକୁରଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡେ଼ଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃÂଶ୍ରେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡ଼ିଲା । ଏହାପରେ ପଟା ପଡି ଚକା ପଡ଼ିବ । ନନ୍ଦିଘୋଷ ରଥର ବିଜେ ଚକା ତିଆରି ସରିଛି । ଚକା ସିଂହାସନରେ ଠାକୁରେ ବସିବେ । ବେଦି ପଛପଟେ ରହିବ ପ୍ରଭା । ସିଂହାସନ ଉପରେ କନକମୁଣ୍ଡି କାମ କରାଯାଇଛି । କନକମୁଣ୍ଡିରେ ପିତଳ ଚାଦର ବୁଲିବ ।
ରଥମାନଙ୍କରେ ପଣି-ଫାଉଡା ଲଗାଯାଇଛି । ସେଥିରେ ମଣ୍ଡଣି ବାଉଁଶ ବୁଲିବ । ରଥର ଚାରିପଟେ ଠେକରା ବାଡ଼ ଲାଗିବ । ଦୋଳବେଦିରେ ଓଝା ସେବକମାନେ ଘୋଡ଼ା କ୍ଲାମ୍ପ ତିଆରି ନିର୍ମାଣକାରୀଙ୍କୁ ଯୋଗାଇଛନ୍ତି । ଦର୍ଜୀ ସେବକମାନେ ତିନି ରଥର ଦୁଆର ଘଡ଼ା ପାଇଁ କନା କଟିଙ୍ଗ ପରେ ଲେସ୍ ଲଗାଉଛନ୍ତି । ଆଜି ମୋଟ ୧୯୭ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.