ରଥ ଯା’ ଚାଲିଯା ଚକ ଗଡ଼ି ଯାରେ

Get real time updates directly on you device, subscribe now.

୧୯୬୨ ମସିହାରେ ମୁକ୍ତିପ୍ରାପ୍ତ କରିଥିଲା ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ନୂଆବୋଉ’ । ବିଭିନ୍ନ ଦୃଷ୍ଟିକୋଣରୁ ସିନେମାଟି ବେଶ୍ ବଳିÂ ହୋଇଥିଲା । କିନ୍ତୁ ଏହାର ଗୋଟିଏ ଗୀତ ଥିଲା ‘ରଥ ଯା’ ଚାଲିଯା ଚକ ଗଡ଼ି ଯାରେ’ । ଯାହାକୁ ରଚନା କରିଥିଲେ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ । ସେ ବି ଦିଲ୍ ଦେବି ବୋଲି ଆଉ ଗୋଟିଏ ଗୀତ ମଧ୍ୟ ଲେଖିଥିଲେ । ମୋଟ୍ ୬ଟି ଗୀତ ଥିଲା ବେଳେ ରସରାଜଙ୍କ ‘ରଥ ଯା’ ଚାଲିଯା ଚକ ଗଡ଼ି ଯାରେ’ ପଛରେ ଗୋଟିଏ ସୁନ୍ଦର କାହାଣୀ ଥିଲା । ଯାହା ସମ୍ପର୍କରେ ପରେ ରସରାଜ କହିଥିଲେ । ୨୦୧୬ ମସିହା ଅଗଷ୍ଟ ୧୨ରେ ଯେତେବେଳେ ଜୟଦେବ ଭବନରେ ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍ ‘ସ୍ମୃତିଛାୟା’ ଆୟୋଜନ କରିଥିଲା ସେତେବେଳେ ଚଳଚ୍ଚିତ୍ର ସୂଚନା ପୁସ୍ତିକାରେ ରସରାଜଙ୍କ ଏହି କଥାକୁ ଛପା ଯାଇଥିଲା । ରସରାଜ କହିଥିଲେ, ‘ସନ୍ଧ୍ୟାବେଳେ ବଗିଚାରେ ପାଣି ଦେଉଛି, ଗୋରାଚାନ୍ଦ ମିଶ୍ର ଓ ଧୀର ବିଶ୍ୱାଳ ଆସି ପହଞ୍ଚିଲେ । କହିଲେ ସିନେମାରେ ଗୀତ ଲେଖିବାକୁ ପଡ଼ିବ । ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିଦେ୍ର୍ଧଶନାରେ ହସ ତାମସା ଭରା ସିନେମା ହେଉଛି ‘ନୂଆବୋଉ’ । ତତେ ଦି’ଟା ଗୀତ ଲେଖିବାକୁ ହେବ । ମୋତେ କେମିତି ଅପସନ୍ଦ ଲାଗିଲା । କହିଲି ଗୋରା ଭାଇ, ଧୀର ଭାଇ! ରେଡିଓରେ ବା ପତ୍ରପତ୍ରିକାରେ ଗପ, କବିତା ବା ଗୀତ ସିନା ଲେଖି ଦେଉଛି ହେଲେ ସିନେମା ଗୀତ ଲେଖିବା ମୁଁ ମୋଟେ ଜାଣେନା । ଧୀର ଭାଇ କହିଲା ଆବେ ଜାଣିବୁ ଜାଣିବୁ! ବେକରେ ପଡ଼ିଲେ ବଜାଇ ଶିଖିବୁ । ସନ୍ଧ୍ୟାବେଳେ ଆସ ମାନସିଂହ ପାଟଣା ବାଳକୃଷ୍ଣ ଦାଶଙ୍କ ଘରକୁ । ଖଡ଼ିଟିଏ ନେଇ ଆସିଥିବୁ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଲେଖି ଶିଖିବୁ । ଶଳା କହୁଛି ଜାଣେନା । ତା’ ପରେ ସେଇ ଚିରାଚରିତ ରାବଣେଶ୍ୱର ହସ । ମୁଁ ଗଲି, ମୁ୍ୟଜିକ୍ ସିଟିଂରେ ବସିଲି । ତବଲା ବାଦକ ଧ୍ରୁବ ନ୍ନା(ଧ୍ରୁବ ଚରଣ ରଥ), ମୋ ସାଙ୍ଗ ଦିନମଣି ଖୁଣ୍ଟିଆ ଓ କୈଳାଶ କରଣ ଥିଲେ । ମୋତେ ଦୁଇଟି ଗୀତ ଲେଖିବାକୁ କୁହାଗଲା । ପ୍ରଥମ ଗୀତର ପରିସ୍ଥିତ, ସ୍ଥାନ, କାଳ, ପାତ୍ର ବୁଝାଇ ଦିଆଗଲା । ଗାଁ ଦାଣ୍ଡ, ରଥଯାତ୍ରା । ଦି’ଟା ବଗୁଲିଆ ଟୋକା ଗାଁ ବଇଦକୁ ଠକି ଯାତ୍ରାକୁ ଆସିଛନ୍ତି । ଥଟ୍ଟାରେ ଗୀତ ଗାଉଛନ୍ତି । ମୁଁ ସିଚୁଏସନ୍ ବୁଝିଲାବେଳକୁ ଝର୍କା ଦେଇ ଦେଖିଲି ଶଗଡ଼ ଚକଟିଏ ଗଡ଼ି ଗଡ଼ି ଯାଉଛି । ସେଇଠୁ ପ୍ରଥମ ଲାଇନ୍ ମିଳିଗଲା ‘ରଥ ଯା’ ଚାଲିଯା ଚକ ଗଡ଼ି ଯାରେ…’ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons