ମୟୂରଭଞ୍ଜ,(ଘାସିରାମ ବେହେରା):ମାଫିଆମାନଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି କରୋନାକୁ ନେଇ ବଳବତ୍ତର ରହିଥିବା ଲକଡାଉନ ସାଙ୍ଗକୁ ରାତ୍ରିକାଳୀନ କର୍ଫ୍ୟୁ। ଆଉ ଏହି ନିରୋଳା ସମୟର ଭରପୁର ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ଖଣି ମାଫିଆମାନେ। ସେହିପରି ବେଆଇନ ଭାବେ ଖଣିଜସଂପଦ ବୋଝେଇ କରି ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ଗୁଡିକ କାଁ ଭାଁ ଧରାପଡୁଥିଲେ ମଧ୍ୟ ବିଭିନ୍ନ ଆଳରେ ଖସାଇଦେବାକୁ ପ୍ରଶାସନର ମିଳିତ ଉଦ୍ୟମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଚୋରା ଖଣିଜସଂପଦ ବୋଝେଇ ଟ୍ରାକ୍ଟର, ଡ଼ମ୍ଫର ଓ ଟ୍ରକ ସହିତ ଲୁଟେରା ମାନଙ୍କ ବିରୋଧରେ ଦୃଢ଼କାର୍ୟ୍ୟାନୁଷ୍ଠାନ ବଦଳରେ ପ୍ରଶାସନର ଅନୁକମ୍ପା ପ୍ରଦର୍ଶନ ପଛରେ କାହାର କୋଉ ସ୍ବାର୍ଥ ରହିଛି ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଉଛି। ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନସ୍ଥ ଜୁଆଳିଆ ଛକ ନିକଟରେ ଚୋରାଚାଲାଣ କରୁଥିବା ଖଣିଜସଂପଦ ବୋଝେଇ ଏକଟ୍ରାକ୍ଟରକୁ ମିଳିତ ଭାବେ ଉଦଳା ତହସିଲଦାର ଏବଂ ଉଦଳା ପୋଲିସ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି। ତେବେ ଘଟଣାସ୍ଥଳରୁ ଜବତ ଟ୍ରାକ୍ଟରଟିକୁ ତହସିଲଦାର ଉଦଳା ପୋଲିସକୁ ହସ୍ତାନ୍ତର କରିଥିଲେ। ଜବତ ଟ୍ରାକ୍ଟରରେ ମାଙ୍କଡ଼ା ବୋଝେଇ ହୋଇଥିବା ସହିତ ଗାଡ଼ିରେ କୌଣସି ନମ୍ବରନଥିବା ଏବଂ ଅଧିକାରୀଙ୍କର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ତେବେ ଘଟଣା ବାବଦରେ ଉଦଳା ଥାନା ଅଧିକାରୀଙ୍କୁ ପଚାରିବାରୁ ତହସିଲଦାରଙ୍କ କାର୍ୟ୍ୟ ଉପରେ ଆଙ୍ଗୁଠି ନିର୍ଦ୍ଧେଶ କରିଥିବା ବେଳେ ଉଦଳା ତହସିଲଦାର ଏନେଇ ଥାନାକୁ ଜଣାଇଛନ୍ତି। ସେହିପରି ତହସିଲଦାରଙ୍କ ଦ୍ଵାରା ପ୍ରସ୍ତୁତ ସିଜରିପୋର୍ଟ ଥାନା ଅଧିକାରୀଙ୍କୁ ଦିଆଯାଇଛି ବୋଲି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସନ୍ଧ୍ୟା ୭ ରୁ ସକାଳ ୭ ପର୍ୟ୍ୟନ୍ତ ୧୨ଘଣ୍ଟିଆକର୍ଫ୍ୟୁ ଥିବା ବେଳେ ମାଙ୍କଡ଼ା ମାଫିଆମାନେ ଘରୁ ବାହାରକୁ ଆସିଲେ କେମିତି ବୋଲି ପ୍ରଶ୍ନ ଉଠୁଛି। ଏହା ବ୍ୟତୀତ ଚୋରାଚାଲାଣ ଗାଡ଼ିଟିକୁ ଥାନା ଅଧିକାରୀ ସିଜ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି କାର୍ୟ୍ୟାନୁଷ୍ଠାନ ନ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାହା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସାଧୁତା ଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରିବା ସହିତ ମାଫିଆଙ୍କ ଚୋରା ସାମ୍ରାଜ୍ୟ ବିସ୍ତାର ପଛରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ନୀରବ ସମର୍ଥନ ରହିଥିବା ଅଭିଯୋଗ ହେଉଛି। ତେବେ ବେଆଇନ ଭାବେ ଖଣିଜସଂପଦ ଚୋରା ଚାଲାଣରେ ବ୍ୟବହୃତ ନମ୍ବର ବିହୀନ ଜବତ ଟ୍ରାକ୍ଟର ଏବଂ ଚାଲାଣକାରୀ ବିରୋଧରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଗକୁ କିପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।
Comments are closed, but trackbacks and pingbacks are open.