ରାଉରକେଲା ଉପକଣ୍ଠରେ ୧୮ ହାତୀ :ବନ କର୍ମଚାରୀ ନାକେଦମ

Get real time updates directly on you device, subscribe now.

ଲାଠିକଟା,(ବି.ବି.ନୁ୍ୟଜ୍): ରାଉରକେଲା ସହର ଉପକଣ୍ଠ ପୁରୁଣା ଜଲଦରେ ବୁଧବାର ୧୮ ହାତୀ ଥିବା ଏକ ପଲ ପଶି ଆସିବାରୁ ଆଖପାଖରେ ବସବାସ କରୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରି ବନ କର୍ମଚାରୀ ନାକେଦମ ହୋଇ ପଡ଼ିଛନ୍ତି ।
ମଙ୍ଗଳବାର ରାତିରେ ୧୮ ହାତୀ କଂସର ଗାଁରେ ଥିବା ଚାଷ ଜମିରେ ପଶି ଧାନ ଖାଉଥିଲେ । ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୨ଟା ସମୟରେ ଉକ୍ତ ଗ୍ରାମର ଜଣେ ବାସିନ୍ଦା ହାତୀପଲକୁ ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକମାନେ ନିଅାଁ ହୁଳା ଜାଳି, ବାଜା ବଜାଇ ଉକ୍ତ ହାତୀପଲକୁ ଘଉଡାଇଥିଲେ । ଫଳରେ ହାତୀପଲ ନଦୀ କୂଳ ଦେଇ ପୁରୁଣା ଜଲଦା ସ୍ଥିତ ବିରୁଆଲ ଘାଟ ନିକଟକୁ ଚାଲି ଆସିଥିଲେ । ସେଠାରେ ଲୋକମାନେ ହାତୀକୁ ଦେଖି ସେମାନଙ୍କୁ ଘଉଡାଇବାରୁ ସେମାନେ ନିକଟସ୍ଥ ଏକ ଜଙ୍ଗଲର ଟାପୁ ଉପରକୁ ଚଢ଼ି ଯାଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ସଦଳବଳେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଚାରି ପଟୁ ଘେରି ରହିଥିଲେ । ହାତୀପଲକୁ ଦେଖିବା ନିମନ୍ତେ ଜଲଦା ତଥା ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଥିଲା ।
ସହର ଭିତରକୁ ଯେଭଳି ହାତୀପଲ ପଶି ନପାରିବେ ସେଥିପ୍ରତି ବନ କର୍ମଚାରୀ ସଜାଗ ହୋଇ ରହିଥିଲେ । ସଂଧ୍ୟା ହେବା ପୂର୍ବରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ହଠାତ୍ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ବର୍ଷା ହେବାରୁ ହାତୀ ଘଉଡାଇବାରେ ବାଧା ସୃଷ୍ଟି ହୋଇଥିଲା । ତଥାପି ବନ କର୍ମଚାରୀ ନିଅାଁ ହୁଳା ଦେଖାଇବା ସହ ଲାଇଟ୍ ଜଳାଇ ବାଣ ଫୁଟାଇ ହାତୀପଲକୁ ଘଉଡାଇବା କାମ ଆରମ୍ଭ କରିଥିଲେ । ମାତ୍ର ଉକ୍ତ ହାତୀପଲ କିଛି ବାଟ ଆଗକୁ ଯାଇ ଧାନ କ୍ଷେତକୁ ଦଳି ଚକଟି ପୁଣି ଥରେ ଉକ୍ତ ଟାପୁ ଉପରକୁ ଚଢ଼ି ଯାଇଥିଲେ । ଏହି ହାତୀପଲରେ ୩ଟି ଦନ୍ତା, ୨ଟି ଛୁଆ ଏବଂ ୧୩ଟି ମାଈ ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ହାତୀପଲ ଏକ ଇଟାଭାଟି ଭିତରକୁ ପଶି ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons