ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ସେ ହେଲେ ଅଶ୍ୱିନୀ ରାଉତ । ଅଶ୍ୱିନୀ ଆଜି ରାତିରେ ରାଗ ତମତମ ହୋଇ ପଡୋଶୀ କୁଞ୍ଜ ବିହାରୀ ବେହେରାଙ୍କ ଉପରକୁ ଗୁଳି ଚଳାଇଛନ୍ତି । କୁଞ୍ଜଙ୍କ ବାମ ହାତରେ ୨ଟି ଗୁଳି ଲାଗିଛି । ଆହତ କୁଞ୍ଜ ଏନେଇ ଅଶ୍ୱିନୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତାଲା ଦେଇଛନ୍ତି । ପୁଲିସ ଅଶ୍ୱିନୀଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଭରତପୁର ବିଜୁ ନଗରର ପ୍ଲଟ ନମ୍ବର ୨୦୧୨ରେ କୁଞ୍ଜ ରୁହନ୍ତି । ସେ ସମ୍ ହସ୍ପିଟାଲରେ ମେଡିକାଲ ଆସିଷ୍ଟାଣ୍ଟ ଅଛନ୍ତି । ତାଙ୍କ ଘର ସାମ୍ନା ପ୍ଲଟ୍ ନମ୍ବର ୨୦୧୭ରେ ଅଶ୍ୱିନୀ ରହୁଛନ୍ତି । ଆଜି ରାତି ୮ଟା ବେଳେ କୁଞ୍ଜ ଘର ସାମ୍ନା ବାରଣ୍ଡାରେ ବସିଥିଲେ । ସାହିରେ କିଛି ଛୋଟ ପିଲା ଟେକା ଫିଙ୍ଗା ଫିଙ୍ଗି ହୋଇ ଖେଳୁଥିଲେ । ସେଥିରୁ ଏକ ଟେକା ଅଶ୍ୱିନୀଙ୍କ ଘର କବାଟରେ ବାଜିଲା । କାଳେ ପୂର୍ବତନ ସେନା କର୍ମଚାରୀ ରାଗିବେ, ସେଥିପାଇଁ ପିଲାମାନେ ସେଠାରୁ ଉଭାନ୍ ହୋଇ ଯାଇଥିଲେ । ଅଶ୍ୱିନୀ ବାହାରକୁ ଆସି ଦେଖିଲା ବେଳକୁ ରାସ୍ତାରେ କେହି ନାହାନ୍ତି । ତାଙ୍କ ଘର ସାମ୍ନାରେ କୁଞ୍ଜ ବସିଛନ୍ତି । ଅଶ୍ୱିନୀ ରାଗିଯାଇ କୁଞ୍ଜଙ୍କୁ ଗାଳିଗୁଲଜ କରି ଘରକୁ ପଳାଇଥିଲେ । ଏହାପରେ ପୁଣି କିଛି ପିଲା ଅଶ୍ୱିନୀଙ୍କ ଘର ଉପରକୁ ଟେକା ଫିଙ୍ଗିଥିଲେ ।
ଏଥର ଅଶ୍ୱିନୀ ପ୍ରଚଣ୍ଡ ରାଗି ଯାଇଥିଲେ । ଘରେ ରଖିଥିବା ରାଇଫଲ୍ରେ ଗୁଳି ଭର୍ତ୍ତି କରି ବାହାରକୁ ବାହାରିଥିଲେ । ଘର ସାମ୍ନାରେ ବସିଥିବା କୁଞ୍ଜଙ୍କ ଆଡକୁ ମାଡ଼ି ଯାଇଥିଲେ । କାହିଁକି ଟେକା ଫିଙ୍ଗୁଛୁ କହି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ୨ଟି କୁଞ୍ଜଙ୍କ ବାମ ହାତରେ ବାଜିଥିଲା । ପରେ ସ୍ଥାନୀୟ ଲୋକ ସେଠାକୁ ମାଡି ଆସିବାରୁ ଅଶ୍ୱିନୀ ଘର ଭିତରକୁ ପଳାଇଥିଲେ । ସ୍ଥାନୀୟ ଲୋକ କୁଞ୍ଜଙ୍କୁ ନେଇ ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କୁଞ୍ଜ ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ଅଶ୍ୱିନୀଙ୍କ ନାଁରେ ଥାନାରେ ଏତାଲା ଦେଇଛନ୍ତି ।
ସେପଟେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କୁଞ୍ଜଙ୍କ ରାଇଫଲକୁ ଜବତ କରିଛି । ଏହି ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ, ତାହା ମଧ୍ୟ ଅନୁସନ୍ଧାନ କରୁଛି । ଆସନ୍ତାକାଲି କୋଭିଡ୍-୧୯ ଟେଷ୍ଟ ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.