ଭୁବନେଶ୍ୱର: କର୍ମଚାରୀ ଭାବେ ବରିÂ ଅଧିକାରୀଙ୍କୁ ଫୋନ୍ କରି ଇ-କୋର୍ଡ ଓ ପାସ୍ୱାର୍ଡ ହାତେଇଥିଲା । ଆଉ ସଂସ୍ଥାର ମୋବାଇଲ୍ ଆପ୍ ଯୋଗେ ୩୦ ଲକ୍ଷ ହଡପ କରିନେଲା । ମନାପୁରମ ଗୋଲ୍ଡ ଲୋନ୍ ସଂସ୍ଥାର ହାଇଦ୍ରାବାଦ୍ସ୍ଥିତ ଶାଖାରୁ ଏମିତି ଢ଼ଙ୍ଗରେ ଠକିଥିବା ମାଷ୍ଟରମାଇଣ୍ଡ ଭୁବନେଶ୍ୱରରୁ ଧରାପଡିଛି ।
ହାଇଦ୍ରାବାଦ ସାଇବର ପୁଲିସ ଭୁବନେଶ୍ୱର ଆସି ଭରତପୁର ଅଞ୍ଚଳରୁ ମାଷ୍ଟରମାଇଣ୍ଡ ସହ ୫ ଠକଙ୍କୁ ଗିରଫ କରି ହାଇଦ୍ରାବାଦ ନେଇଛି । ମାଷ୍ଟରମାଇଣ୍ଡ ଜଣକ ହେଲା ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟି ପିଜି ପଢ଼ୁଥିବା ବ୍ରହ୍ମପୁର ଅଞ୍ଚଳର ଆଦିତ୍ୟ ନାରାୟଣ ମହାପାତ୍ର(୨୨) । ଅନ୍ୟ ଅଭିଯୁକ୍ତମାନେ ହେଲେ ଘାଟିକିଆ ଅଞ୍ଚଳର ପିଏନଏ କଲେଜ ଛାତ୍ର ଦେବାଶିଷ ନାୟକ ଓଝା (୨୦), ଭରତପୁର ଅଞ୍ଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ(୨୧), ଦେବରାୟ କଲେଜ ଛାତ୍ର ପ୍ରମୋଦ ନାୟକ(୨୩) ଓ ବରମୁଣ୍ଡା ଅଞ୍ଚଳର ଲକ୍ଷ୍ମୀଧର ମୁର୍ମୁ । ମାଷ୍ଟରମାଇଣ୍ଡ ଆଦିତ୍ୟ ହାଇଦ୍ରାବାଦ ହିମାୟାଥ ନଗରସ୍ଥିତ ସଂସ୍ଥା ଶାଖାରେ ଚାକିରି କରୁଥିଲା । ସଂସ୍ଥାର ‘ଡୋର୍ ଷ୍ଟେପ୍ ଗୋଲ୍ଡ ଲୋନ୍’ ଯୋଜନାରେ ସେ ଘର ଘର ବୁଲି ଗ୍ରାହକ ଯୋଗାଡ କରୁଥିଲା । ସେମାନଙ୍କୁ ଋଣ ଦେଇ ବଦଳରେ ସଂସ୍ଥା ପାଇଁ ସୁନା ଅଳଙ୍କାର ଆଣୁଥିଲା । ଲକ୍ ଡାଉନ୍ ବେଳେ ତାର କେରଳର ଏକ ସହରକୁ ବଦଳି ହୋଇଗଲା । ଆଦିତ୍ୟ କିନ୍ତୁ କେରଳ ନ ଯାଇ ଭୁବନେଶ୍ୱର ପଳାଇ ଆସିଥିଲା । ସାଙ୍ଗରେ ସଂସ୍ଥାର ଆଇ-କାର୍ଡ ନେଇ ଆସିଥିଲା । ଯେଉଁଥିରେ ତା’ର ୟୁଜର ଆଇଡି ନମ୍ବର ଉଲ୍ଲେଖ ଥିଲା । ହାଇଦ୍ରାବାଦ୍ ବ୍ରାଞ୍ଚର ଅନ୍ୟ ୨ ସହକର୍ମୀଙ୍କ ସହ ମିଶି ଠକେଇର ଯୋଜନା କରିଥିଲା । ଗତମାସ ୧୫ ତାରିଖରେ ସେମାନେ ଏକ ଅଜଣା ଫୋନ୍ରୁ ଶାଖାର ଜୁନିଅର ଆସିଷ୍ଟାଣ୍ଟ ରବି ବର୍ମାଙ୍କୁ ଫୋନ କରି ମନାପୁରମ ମୋବାଇଲ୍ ଆପ୍ର ପାସ୍ୱାର୍ଡ ମାଗିଥିଲେ । ୨ ଜଣ ଗୋଲ୍ଡ ଲୋନ୍ ନେବେ ବୋଲି କହିବାରୁ ଶ୍ରୀ ବର୍ମା ପାସ୍ୱାର୍ଡ ଦେଇଥିଲେ । ପରେ ଉକ୍ତ ଆପ୍ ଜରିଆରେ ସଂସ୍ଥାର ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ । ଏସବୁ ଠକେଇ ଜଣାପଡିବା ପରେ ସଂସ୍ଥାର ଏରିଆ ହେଡ୍ ଏମ୍ ରବିନ୍ଦ୍ର ରେଡ୍ଡୀ ଗତମାସ ୨୪ ତାରିଖରେ ହାଇଦ୍ରାବାଦ୍ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.