ରାଜଧାନୀରେ ଘରେ ପଶି ହାଣିଲେ, ଲୁହା ରଡ୍ରେ ପିଟିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଅଧରାତିରେ ଆତଙ୍କ ଖେଳାଇଛନ୍ତି ଖଣ୍ଡାଧାରୀ । ୨୦ରୁ ୨୨ ଜଣ ଶିରିପୁର ଶବର ସାହିରେ ପଶି ଖଣ୍ଡାରେ ହାଣିବା ସହ ଲୁହା ରଡ୍ରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏଥିରେ ଗୋଟିଏ ପରିବାରର ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । କାହାର ମୁଣ୍ଡ ଓ ଦେହରେ ଚୋଟ ବାଜିଛି ତ ଆଉ କାହାର ଗୋଡ଼ହାତ ଭାଙ୍ଗି ଯାଇଛି । ପ୍ରାୟ ଅଧଘଣ୍ଟା ଧରି ଏଭଳି ଆତଙ୍କ ରଚାଇ ଆକ୍ରମଣକାରୀମାନେ ପଳାଇଛନ୍ତି । ଅଧରାତିରେ ଏଭଳି ଅମାନୁଷିକ ଆକ୍ରମଣକୁ ଦେଖି ପୂରା ବସ୍ତିରେ କୋକୁଆ ଭୟ ସୃଷ୍ଟି ହୋଇଛି । ଝିଅର ପ୍ରେ୍ରମ ବିବାହକୁ ବିରୋଧ କରି ଜ୍ୱାଇଁ ଘରେ ଏଭଳି ଆତଙ୍କ ଖେଳାଇଛନ୍ତି ଶ୍ୱଶୁର ଘର ଲୋକେ । ଅଭିଯୋଗପାଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଶିରିପୁର ଶବର ସାହିର ଜୟଦେବ ଦେହୁରୀ ନୂଆପଲ୍ଲୀ ବେହେରା ସାହିର ସୁନୀତା (ଛଦ୍ମନାମ, ୨୦) ନାମ୍ନୀ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟେ ଘରୁ ଫେରାର୍ ହୋଇଯାଇଥିଲେ । ସୁନୀତାଙ୍କ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅପହରଣ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଚଳାଇ ଥିଲା । ତେବେ ଜୟଦେବ ଓ ସୁନୀତା କୋର୍ଟରେ ରେଜିଷ୍ଟି୍ର ମ୍ୟାରେଜ କରିଥିଲେ । ଗତକାଲି ଘରକୁ ଫେରି ଖଣ୍ଡଗିରି ଥାନାରେ ଆତ୍ମ ସମର୍ପଣ କରିଥିଲେ । ପୁଲିସ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା । ଜୟଦେବ ଏବଂ ସୁନୀତା ସାବାଳକ ଓ ସାବାଳିକା ହୋଇଥିବାରୁ ପୁଲିସ ଉଭୟ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ ସୁନୀତାଙ୍କ ପରିବାର ଲୋକେ ରାଜି ନଥିଲେ । ସେମାନଙ୍କ ବାହାଘର ଆଇନ୍ସମ୍ମତ ହୋଇଥିବାରୁ ସୁନୀତାଙ୍କ ପରିବାର କିଛି ନ କହି ସେଠାରୁ ପଳାଇ ଯାଇଥିଲେ । ଜୟଦେବ ସୁନୀତାଙ୍କୁ ନେଇ ନିଜ ଘରକୁ ଯାଇଥିଲେ ।
ରାତି ପ୍ରାୟ ସାଢେ଼ ୨ଟାରେ ୨୦-୨୨ ଜଣ ହଠାତ୍ ଆସି ଜୟଦେବଙ୍କ ଘର କବାଟକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସୁନୀତାଙ୍କୁ ନେଇଯିବାକୁ ଉଦ୍ୟମ କରିଥିଲେ । ଜୟଦେବଙ୍କ ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନେ ଖଣ୍ଡା ଓ ଲୁହା ରଡ୍ରେ ଆକ୍ରମଣ କରିଥିଲେ । ଯାହାକୁ ପାରିଲେ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଲୁହା ରଡ୍ରେ ପିଟିଥିଲେ । ଘର ଭିତରେ ପଶି ଜିନିଷପତ୍ର ଏଣେତେଣେ ଫିଙ୍ଗା ଫୋପଡ଼ା କରିଥିଲେ । ଭୟରେ ଜୟଦେବ ଓ ସୁନୀତା ସାହିର ଅନ୍ୟ ଲୋକଙ୍କ ଘରେ ଲୁଚି ଯାଇଥିଲେ । ଆକ୍ରମଣକାରୀମାନେ ପୂରା ବସ୍ତିରେ ଖଣ୍ଡା ବୁଲାଇ ସେମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଶେଷରେ ସେମାନେ ବସ୍ତିକୁ ବୋମା ପକାଇ ଉଡ଼ାଇ ଦେବେ ବୋଲି ଧମକଚମକ ଦେଇ ଚାଲି ଯାଇଥିଲେ । ପ୍ରାୟ ଅଧଘଣ୍ଟା ଧରି ସେମାନେ ଆତଙ୍କ ଖେଳାଇଥିଲେ । ଫଳରେ ଶବର ସାହି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଆକ୍ରମଣରେ ଜୟଦେବଙ୍କ ଦାଦା, ଭାଇ, ଜେଜେ ଆଦି ୬ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ତ୍ରିନାଥ ଦେହୁରୀ (୩୫), ସୁଦାମ ଦେହୁରୀ (୧୯), ଉମେଶ ଦେହୁରୀ (୪୫), ଆଦର ଦେହୁରୀ (୭୦), ଗୁରୁଦେବ ଦେହୁରୀ (୨୦) ଓ ସାହିର କାଳିଆ ଜେନା (୨୫) । ସାହିଲୋକେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁଦେବଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons