ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବ୍ୟବସାୟ ପେଣ୍ଠସ୍ଥଳୀ ରାଜଧାନୀ ମାର୍କେଟ ବିଲ୍ଡିଂରେ ଆଜି ସନ୍ଧ୍ୟାରେ ଆତଙ୍କ ଖେଳି ଯାଇଛି । ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଉକ୍ତ ମାର୍କେଟରେ ପଶି ୫୦ରୁ ଅଧିକ ଦୋକାନ ଭଙ୍ଗାରୁଜା କରିଛନ୍ତି । ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଗ୍ରାହକଙ୍କୁ ବି ଛାଡ଼ିନାହାନ୍ତି । ପ୍ରାୟ ଅଧଘଣ୍ଟାଏ ଆତଙ୍କ ଖେଳାଇବା ପରେ ଆରାମରେ ଖସି ପଳାଇଛନ୍ତି । କମିଶନରେଟ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଛି । ଆକ୍ରମଣକାରୀ ସନେ୍ଦହରେ ପୁଲିସ ୨ଜଣଙ୍କୁ ଅଟକ ରଖିଛି । ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି । ଏହି ସଂଘବଦ୍ଧ ଆକ୍ରମଣରେ ୫ ଜଣ ଦୋକାନୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ସମୟ ପ୍ରାୟ ସନ୍ଧ୍ୟା ସାଢେ଼ ୬ଟା ହେବ । ମାର୍କେଟ ବିଲ୍ଡିଂରେ ହାଉଯାଉ ଗହଳି ଲାଗିଥାଏ । କେଶରୀ ମଲ୍ ସାମ୍ନାରେ ଧାଡିÿ ବାନ୍ଧି ଛିଡ଼ା ହୋଇଥିବା ୨୫ରୁ ଅଧିକ ଠେଲା ଦୋକାନୀଙ୍କ ବେଶ୍ ବେପାର ଚାଲିଥାଏ । ଦୋକାନ ସାମ୍ନାରେ ଗ୍ରାହକ ଗୁପ୍ଚୁପ୍, ପାପୁଡି ଚାଟ୍, ଛୋଲେ ବଟୁରେ ଆଦି ଖାଉଥାନ୍ତି । ଆଉ କିଛି ପ୍ରସାଧାନ ସାମଗ୍ରୀ ସହ ଡ୍ରେସ ମ୍ୟାଟେରିଆଲ୍ କିଣୁଥାନ୍ତି । ଏହି ସମୟରେ ଶୌଚାଳୟ ପଟୁ ୨୦ରୁ ଅଧିକ ବାଇକ୍ କେଶରୀ ମଲ୍ କଡ଼ ପାର୍କିଂସ୍ଥଳରେ ଅଟକିଥିଲା । ସେଥିରୁ ୨୫-୩୦ ମୁଖାପିନ୍ଧା ଦୁର୍ବୃତ୍ତ ଓହ୍ଲାଇ ଉଠା ଦୋକାନୀ ଆଡେ ମାଡ଼ି ଆସିଲେ । ସମସ୍ତଙ୍କ ହାତରେ ବାଉଁଶ ଫାଳିଆ, ହକି ଷ୍ଟିକ୍, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଥିଲା । ଦୁର୍ବୃତ୍ତମାନେ ଉଠାଦୋକାନୀଙ୍କ ଉପରେ ଅଚାନକ ଆକ୍ରମଣ କଲେ । ଗୋଟିଏ ପଟୁ ଯାହା ସାମ୍ନାରେ ପଡିÿଲା, ସବୁ ଭାଙ୍ଗିଲେ । ଅଶ୍ରାବ୍ୟ ଭାଷାରେ ଦୋକାନୀଙ୍କୁ ଗାଳିଗୁଲଜ କଲେ । ଏଭଳି ଆତର୍କିତ ଆକ୍ରମଣରେ ଦୋକାନୀ ଓ ଗ୍ରାହକ ଯିଏ ଯୁଆଡେ଼ ପାରିଲା ଧାଇଁଲେ । କିଛି ଲୋକ ଦୌଡି ଯାଇ କେଶରୀ ମଲ୍ ଓ ମାର୍କେଟ ବିଲ୍ଡିଂର କୋଠା ଭିତରକୁ ପଶି ଯାଇଥିଲେ । ଦୁର୍ବୃତ୍ତମାନେ କେଶରୀ ମଲ୍ ସାମ୍ନାରେ ଥିବା ୩୦ରୁ ଅଧିକ ଦୋକାନ ଭାଙ୍ଗିବା ପରେ ମଲ୍ ପଛପାଶ୍ୱର୍ ଦେଇ ଖସି ପଳାଇଥିଲେ ।
ଆକ୍ରମଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ କ୍ୟାପିଟାଲ ଥାନା ପୁଲିସ ମାର୍କେଟ ବିଲ୍ଡିଂରେ ପହଞ୍ଚିଥିଲା । ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରା ଯାଇଥିଲା । ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ଜୋନ୍-୧ ଏସିପି ମାନସ ଗଡ଼ନାୟକ ସେଠାରେ ଉପସ୍ଥିତ ରହି ଦୋକାନୀଙ୍କୁ ବୁଝାସୁଝା କରିଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସମସ୍ତ ଆକ୍ରମଣକାରୀ ମାର୍କେଟ ବିଲ୍ଡିଂ ମଝିରେ ଥିବା ଏକ ପାର୍କିଂ ସ୍ଥଳରେ ଏକାଠି ହୋଇଥିଲେ । ମୁହଁରେ ରୁମାଲ ଓ କପଡା ଗୁଡାଇ କେଶରୀ ମଲ୍ ଆଡେ଼ ମାଡ଼ି ଯାଇଥିଲେ ।
ସେପଟେ ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥିବା ପୁଲିସ ଜାଣିବାକୁ ପାଇଛି । ଅମୋଦ କୁମାର ଶାହା ନାମକ ଜଣେ ଘଣ୍ଟା ଦୋକାନୀଙ୍କୁ ଘଣ୍ଟା ଫେରାଇବାକୁ ଆସିଥିବା ଝିଅଙ୍କ ସହ ହୋଇଥିବା ବଚସାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା । ଝିଅଙ୍କ ସହ ଆସିଥିବା ୩-୪ ପୁରୁଷ ବନ୍ଧୁଙ୍କ ସହ ଉଠାଦୋକାନୀଙ୍କ ଠେଲାପେଲା ଲାଗିଥିଲା । ଉଠାଦୋକାନୀମାନେ ଏକାଠି ହୋଇ ଜଣଙ୍କୁ ପିଟିଥିଲେ । ଏହାର ପ୍ରତିଶୋଧରେ ଏମିତି ଆତଙ୍କରାଜ ଘଟିଥିବା ପୁଲିସ ଜାଣିବାକୁ ପାଇଛି । ତେବେ ରାଜଧାନୀର ସବୁଠୁ ବଡ଼ ମାର୍କେଟ ସ୍ଥଳ ଓ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏମିତି ଆକ୍ରମଣ କମିଶନରେଟ ପୁଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠାଇଛି । ଏତେ ସଂଖ୍ୟକ ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ହେଁ କମିଶନରେଟ୍ ପୁଲିସ କି ଗୁଇନ୍ଦା ବିଭାଗ ଏନେଇ କିଛି ଟେର୍ ପାଇପାରିନି ।
Comments are closed, but trackbacks and pingbacks are open.