
ରାଜନଗର,(ବି.ବି.ନୁ୍ୟଜ): ରାଜନଗର ପଞ୍ଚାୟତ ଅଧୀନ ରାଜନଗର ଗାଁର ବଡ଼ଦାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଆଁ ଭିତରେ ୬ଟି ପରିବାରଙ୍କ ୧୬ ବଖରା ଘର ସମେତ ବହୁ ମୂଲ୍ୟବାନ ଧନସମ୍ପତ୍ତି ପୋଡ଼ିଯାଇଛି । ଘରେ ଥିବା ଧାନ, ଚାଉଳ, ଆସବାବପତ୍ର, ଏକ ସ୍କୁଟର, ୩ଟି ସାଇକେଲ, ସୁନାଗହଣା ଭସ୍ମୀଭୂତ ହୋଇଯାଇଛି । ତେବେ ସବୁଠୁ ବଡ଼ କଥା ହେଲା ବିଦୁ୍ୟତ୍ ସଟ୍ସର୍କିଟ୍ କାରଣରୁ ଏଇ ଅଗ୍ନିକାଣ୍ଡ ଘଟିଥିବାରୁ ଭୟରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ସାହସ ଜୁଟାଇପାରି ନ ଥିଲେ । ଏଣୁ ନିଆଁକୁ ଆୟତ୍ତ କରିବା ଲାଗି ଉଭୟ ବିଦୁ୍ୟତ୍ ଓ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ିଥିଲେ । କିନ୍ତୁ ଉଭୟ ବିଭାଗର କର୍ମଚାରୀମାନେ ଫୋନ ନ ଉଠାଇବାରୁ ନିଆଁ ବ୍ୟାପିଯାଇଥିଲା । ଏଣୁ କର୍ମଚାରୀଙ୍କ ଅବହେଳା ପ୍ରତିବାଦରେ ଲୋକେ ଆଜି ସକାଳେ ରାସ୍ତାରୋକ କରିଥିଲେ । ଏନେଇ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।
ଉଭୟ ବିଦୁ୍ୟତ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଅବହେଳା ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ଲୋକେ ରାଜନଗର- ଭିତରକନିକାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଦୀର୍ଘ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଫଳରେ ଏଇ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା । ଖବରପାଇ ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀ ଓ ଅଗ୍ନିବିପନ୍ନ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଘଟଣାସ୍ଥଳରେ ରାଜନଗର ସରପଞ୍ଚ ଝୁନି ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲିକ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ୩ଦିନ ପାଇଁ ରନ୍ଧାଖାଦ୍ୟ ଲାଗି ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେହିପରି ଅଗ୍ନିବିପନ୍ନ ୬ଟି ପରିବାରଙ୍କୁ ରାଜନଗର ବିଭିନ୍ନ ରାଜନୈତିକ ଦଳ ଓ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି ।
ଏହି ଅଗ୍ନିକାଣ୍ଡରେ ଖବରକାଗଜ ବିତରକ ଭାବେ କାମ କରୁଥିବା ନିତ୍ୟାନନ୍ଦ ମିଶ୍ରଙ୍କ ୮ ବଖରା ଘର ସମେତ ସୁବାଶିଷ ମିଶ୍ର, ତ୍ରିଲୋଚନ ମିଶ୍ର, ରାଧାମୋହନ ମିଶ୍ର, ପ୍ରତାପ ମିଶ୍ର, ଜଗମୋହନ ମିଶ୍ରଙ୍କ ୮ ବଖରା ଘର ପୋଡ଼ିଯାଇଛି । ନିତ୍ୟାନନ୍ଦଙ୍କ ୧୨ ଭରଣ ଧାନ ଓ ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା ଅଳଙ୍କାର ଏବଂ କଂସାବାସନ ଜଳିଯାଇଛି । ସେହିପରି ଜଗମୋହନ ମିଶ୍ରଙ୍କ ଟେଣ୍ଟ୍ହାଉସ୍ର ସମସ୍ତ ସାମଗ୍ରୀ, ହଣ୍ଡା, ଡିସ୍ ସହିତ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଛି । ସେହିପରି ଅନ୍ୟ ପରିବାର ମାନଙ୍କର ସମସ୍ତ ଆସବାବପତ୍ର, ଧାନ ଓ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି । ପିନ୍ଧାଲୁଗା ବ୍ୟତିତ ୬ ପରିବାର କୌଣସି ସାମଗ୍ରୀ ଉଦ୍ଧାର କରିପାରି ନଥିଲେ । ବିପନ୍ନ ପରିବାର ଲୋକେ ପାଖ ପଡେ଼ାଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ।
Comments are closed, but trackbacks and pingbacks are open.