ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିବ୍ରତ ହୋଇପଡ଼ିଥିବା ପାକିସ୍ତାନକୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି କଡା ଚେତାବନୀ ଦେଇଛନ୍ତି । କହିଛନ୍ତି ପାକିସ୍ତାନ ସହ ଆଗକୁ ଯାହା ବି ଆଲୋଚନା ହେବ ତାହା କେବଳ ପାକ୍ ଅଧୀକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ । ତାଙ୍କର ଏହି ବୟାନକୁ ନେଇ ଦେଶରେ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ପାକିସ୍ତାନ ବିଚଳିତ ହୋଇପଡିଛି । ଧାରା ୩୭୦ ଉଚ୍ଛେଦ ପରେ ପିଓକେ ଠାରେ ଭାରତ ବାଲାକୋଟଠାରୁ ବଡ଼ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ପାକିସ୍ତାନକୁ ଭୟଭୀତ କରାଇ ଦେଇଛି । ପାକିସ୍ତାନ ଯେ ପର୍ଯ୍ୟନ୍ତ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ତାହା ସହ କୌଣସି ଆଲୋଚନା ହେବନାହିଁ ବୋଲି ମଧ୍ୟ ରାଜନାଥ ସ୍ପଷ୍ଟ କରିଛନ୍ତି ।
ହରିୟାନାର କାଲ୍କାଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖ;ରଙ୍କ ‘ଜନ ଆଶୀର୍ବାଦ ଯାତ୍ରା’ର ଶୁଭାରମ୍ଭ କରିବା ଅବସରରେ ରାଜନାଥ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଆମର ଏକ ପଡ଼ୋଶୀ ଦେଶ ଅଛି ଯିଏ ଧାରା ୩୭୦ ଉଚ୍ଛେଦ ପରେ ସମ୍ପୂର୍ଣ୍ଣ ରୂପେ ଡ଼ରିଯାଇଛି । ସେ ଏବେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶମାନଙ୍କର ସାହାଯ୍ୟ ମଧ୍ୟ ମାଗୁଛି । ବେଳେବେଳେ ଛୋଟଛୋଟ ଧମକ ଦେଉଛି । କିନ୍ତୁ, ଏସବୁର କିଛି ବି ପ୍ରଭାବ ଭାରତ ଉପରେ ପଡିବନି । ଏପରିକି ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ପାକ୍ର ହାତ ଛାଡ଼ି ଭାରତକୁ ସମର୍ଥନ ଦେଇଥିବା ରାଜନାଥ ପ୍ରକାଶ କରିଥିଲେ ।
ପାକିସ୍ତାନର ଲୋକେ ଭାରତ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ମଧ୍ୟ ଭାରତ ଏବେ କେଉଁ ପ୍ରସଙ୍ଗରେ ପାକିସ୍ତାନ ସହ ଆଲୋଚନା କରିବ ବୋଲି ରାଜନାଥ ପ୍ରଶ୍ନ କରିଥିଲେ । କହିଥିଲେ ଉଭୟ ଦେଶ ମଧ୍ୟରେ ପାକ୍ ଅଧୀକୃତ କାଶ୍ମୀର (ପିଓକେ)କୁ ଛାଡ଼ିଦେଲେ ଆଲୋଚନା କରିବାକୁ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । ଏଣୁ ଆଗକୁ ଯେବେ ବି ଭାରତ ପାକିସ୍ତାନ ସହ କଥାବାର୍ତ୍ତା ହୁଏ ତେବେ ପିଓକେ ହିଁ ପ୍ରସଙ୍ଗ ହେବ । କିନ୍ତୁ ଯେତେ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି ଭାରତ ତା ସହ କୌଣସି ବି କଥାବାର୍ତ୍ତା କରିବ ନାହିଁ । କାହିଁକି ନା ପାକିସ୍ତାନ ଗୋଟିଏ ପଟେ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ ଅନ୍ୟ ପଟେ ଭାରତ ସହ ଆଲୋଚନା କରିବାର କୌଣସି ମୂଲ୍ୟ ନାହିଁ ।
ବାଲାକୋଟରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ପ୍ରସଙ୍ଗ ଉଠାଇ ରାଜନାଥ କହିଛନ୍ତି ଯେ, ପୁଲୱାମାଠାରେ ଆମ ବୀର ସୁରକ୍ଷାବଳଙ୍କ ସହ ପାକ୍ ଯାହା କରିଥିଲା ତା’ର ଜବାବ ଆମର ପ୍ରଧାନମନ୍ତ୍ରୀ ଦେଇ ସାରିଛନ୍ତି । ପାକିସ୍ତାନ ବାଲାକୋଟ ଆକ୍ରମଣକୁ ପ୍ରଥମେ ସ୍ୱୀକାର କରିନଥିଲା । ସେ ବାରମ୍ବାର କହୁଥିଲା ଭାରତ ଆକ୍ରମଣରେ ବାଲାକୋଟ୍ଠାରେ ଜଣେ ହେଲେ ପ୍ରାଣ ହରାଇ ନାହାନ୍ତି । କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କିଛି ଦିନ ତଳେ ପିଓକେ ଠାରେ କହଛନ୍ତି ଯେ ଭାରତ ବାଲାକୋଟଠାରୁ ମଧ୍ୟ ଆହୁରି ବଡ଼ ଆକ୍ରମଣ କରିବାକୁ ଯୋଜନା କରିଛି’ । ଏଣୁ ଏହା ସ୍ପଷ୍ଟ ସୂଚିତ କରୁଛି ଯେ, ଧାର ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଖୁବ୍ ଭୟଭୀତ ହୋଇପଡ଼ିଛି ଏବଂ ଭାରତ କରିଥିବା ବାଲାକୋଟ ଆକ୍ରମଣକୁ ସ୍ୱୀକାର କରିଛି ।
ରାଷ୍ଟ୍ରର ସ୍ୱାଭିମାନ ଓ ସୁରକ୍ଷା ପ୍ରସଙ୍ଗରେ ବିଜେପି ସରକାର କେବେ ବି ସାଲିସ କରିବ ନାହିଁ ବୋଲି ମଧ୍ୟ ରାଜନାଥ ସ୍ପଷ୍ଟ କରିଥିଲେ । ଏହା ବ୍ୟତୀତ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରସଙ୍ଗ ଆଲୋକପାତ କରିଥିଲା ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛି ବୋଲି ସେ କହିଥିଲେ । ଧାରା ୩୭୦ ଉଚ୍ଛେଦ ଦ୍ୱାରା ଦଳ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲେ ମଧ୍ୟ ଏହା ଦ୍ୱାରା ଦେଶର ମଙ୍ଗଳ ହେଉଥିବାରୁ କ୍ଷମତାଠାରୁ ଦୂରରେ ରହି ଧାରା ୩୭୦କୁ ଉଚ୍ଛେଦ କରାଯାଇଥିବା ସେ ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.